Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲକ୍‌ଡାଉନ୍‌ରେ ଡିଜିଟାଲ ମ୍ୟାରେଜ୍: ଭିଡିଓ କଲିଂରେ ଶେଷ ହେଲା ବାହାଘର, ଏପଟେ ମାଆ ଆଖିରୁ ଝରୁଥିଲା ଲୁହ

12/05/2020 at 4:23 PM

ସମ୍ବଲପୁର୧୨/୫: ଲକ୍‌ଡାଉନ୍‌ରେ ଡିଜିଟାଲ ମ୍ୟାରେଜ। କରୋନାର ଲକଡାଉନ୍‌ ଦଳାଇ ଦେଲା ବିବାହର ରୀତି-ନୀତି। ଯାହା କେବେ ପୂର୍ବରୁ ଘଟି ନଥିଲା। ସେ ସବୁକୁ ଏବେ ସାମ୍ନା କରିବାକୁ ପଡୁଛି।ବାହା ହେବା ପାଇଁ ସମ୍ବଲପୁରର ଝିଅ ଗଲା ଜାମସେଦପୁର। ସମ୍ବଲପୁରରେ ଝିଅର ବାହାଘର ଦେଖିଲେ ମାଆ। ଏପଟେ ଝିଅ ବାହାଘରରେ ଅନୁପସ୍ଥିତି ଯୋଗୁଁ ମାଆ ଆଖିରୁ ଝରୁଥିଲା ଲୁହ।

ଜାନୁଆରୀରେ ନିର୍ବନ୍ଧ ସରିଥିଲା। ଏପ୍ରିଲ ୨୮ ତାରିଖରେ ବାହାଘର ଥିଲା । ହେଲେ କରୋନା ଜନିତ ଲକଡାଉନ୍ ଯୋଗୁଁ ହୋଇ ପାରି ନଥିଲା ବାହାଘର। ପୁଣି ବାହାଘର ଘୁଞ୍ଚିଗଲା ମେ ୮ ତାରିଖକୁ। ପୁଣି ବଢିଲା ଲକଡାଉନର ଅବଧି । କିନ୍ତୁ ସାତ ଜନ୍ମକୁ ସାଙ୍ଗ ହେଇ ରହିବା ପାଇଁ କଥା ଦେଇଥିବା ଏହି ବର-କନ୍ୟାଙ୍କୁ ଅଟକାଇ ପାରିଲା ନାହିଁ ଲକ୍‌ଡାଉନ୍‌ର ଲକ୍ଷ୍ମଣ ରେଖା। ଶେଷରେ ଡିଜିଟାଲ ମାଧ୍ୟମରେ ବାହା ହେଲେ ବର-କନ୍ୟା। କନ୍ୟା ହେଉଛନ୍ତି ସମ୍ବଲପୁର ମୋଦିପଡାର ସୁକନ୍ୟା ଦେବୀଙ୍କ ଝିଅ ପୂଜା ଠାକୁର ଏବଂ ପୁଅ ହେଉଛନ୍ତି ଜାମସେଦପୁରର ଆକାଶ କୁମାର ମାସ୍କ । ଲକଡାଉନ୍ କଟକଣା ଯୋଗୁଁ ବରଯାତ୍ରୀ ଆସିପାରିଲାନି ସମ୍ବଲପୁର। ଫଳରେ ପୂଜା ବାହା ହେବା ପାଇଁ ଗଲେ ଜାମସେଦପୁର । ସେଠାରେ ଉଭୟ ନିଜ ପରିବାରଙ୍କ ସଦସ୍ୟ ଉପସ୍ଥିତିରେ ବାହାହେଲେ । ଝିଅ ଘର କେହି ଉପସ୍ଥିତ ନଥିବାରୁ ଭିଡିଓ କଲ୍ ଜରିଆରେ ପରିବାର ଲୋକେ ନିଜ ଝିଅର ବାହାଘର ଦେଖିବା ସହ ମାଁ, ଭାଇ ଓ ଭାଉଜ ଶେଷରେ ଡିଜିଟାଲ ଆଶିର୍ବାଦ ଦେଇଛନ୍ତି।

ବାହାଘର ବାରମ୍ବାର ଘୁଞ୍ଚିବା ଦେଖି ଉଭୟ ପରିବାର ଏହି ଅଭିନବ ଉପାୟ ଚିନ୍ତା କରି ବାହାଘର କରିଛନ୍ତି। ଯେହେତୁ ବରପାତ୍ର ଅଲଗା ରାଜ୍ୟର ତେଣୁ ଚିରା ଚରିତ ଢଙ୍ଗରେ ବରଯାତ୍ରୀ ଆସିଲେ କ୍ବାରେଣ୍ଟାଇନ ନିୟମ ମାନିବାକୁ ପଡିବ । ଫଳରେ ପୁଅ ଜାମସେଦପୁରରୁ ପାସ୍ ଆଣି ନିଜ ଦୁଇ ଜଣ ସାଙ୍ଗଙ୍କ ସହ ସମ୍ବଲପୁର ସହରର ବାହାରେ ଝିଅକୁ ଅପେକ୍ଷା କରିଥିଲେ। ପରେ ଝିଅ ଘର ଲୋକେ ବି ଝିଅକୁ ସାଙ୍ଗରେ ନେଇ ପୁଅ ସହିତ ଜାମସେଦପୁର ପଠାଇଲେ ପରେ ସେଠି ବାହାଘର ସମ୍ପନ୍ନ ହୋଇଛି । ଏବେ ଉଭୟ ପରିବାର ଖୁସିରେ ଥିବା ସହ ଝିଅ ମଧ୍ୟ ଖୁସିରେ ଥିବା ପରିବାର ଲୋକେ କହିଛନ୍ତି । ଇଚ୍ଛା ଥିଲେ ଉପାୟ ଆସେ ଏହି ଉକ୍ତିକୁ ସାର୍ଥକ କରିଛନ୍ତି ଏମାନେ । ଏପରି ନିରାଡମ୍ବର ଓ ଅଭିନବ ଉପାୟରେ ବାହାଘରୁ ଅନେକ ସାଧୁବାଦ ଜଣାଇବା ସହ ପ୍ରଶଂସା ବି କରିଛନ୍ତି।

   Related Posts