ଦିଗପହଣ୍ଡି ପୋଲିସ ପକ୍ଷରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, କାର, ୫ ବାଇକ ସମେତ ୧୦ ଜଣ ଗିରଫ

Published By : Prameya-News7 Bureau | May 21, 2021 IST

ଦିଗପହଣ୍ଡି, ୨୧।୦୫: ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ବର୍ତ୍ତମାନ କରୋନା ଲକଡାଉନ ଓ ସଟଡାଉନ ସମୟରେ ମଦବେପାରୀ ମାନେ ପ୍ରଚୁର ଅର୍ଥ ପାଇବା ଉଦ୍ଦେଶ୍ୟରେ ବେଧଡକ ଭାବେ ରାତାରାତି ଚୋରାଚାଲାଣ ମଦ କାରବାର କରୁଛନ୍ତି। ବର୍ତ୍ତମାନ ମଦ ବ୍ୟବସାୟୀମାନେ ଚୋରାରେ ମଦ ଆଣି ନିଜ ଦୋକାନରେ ମହଜୁଦ ରଖି ଚଢା ଦରରେ ବିକ୍ରୀ କରୁଥିବା ବେଳେ ନକଲୀ ବିଦେଶୀ ମଦ ବ୍ୟବସାୟୀମାନେ ଲକଡାଉନର ସୁଯୋଗ ନେଇ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରି ସେମାନଙ୍କ ବ୍ୟବସାୟକୁ ଦ୍ଵିଗୁଣିତ କରୁଥିବା ଜଣାପଡିଛି ।

ଏହି ପରିପ୍ରେକ୍ଷୀରେ ଗୁରୁବାର ବିଳମ୍ବିତ ରାତିରେ ଦିଗପହଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଦିଗପହଣ୍ଡି - ଘୋଡାହଡ ରାସ୍ତାରୁ ମଦ ଭାଗ ବାଣ୍ଟୁଥିବା ବେଳେ ଅତର୍କିତ ଚଢ଼ାଉ କରି ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି ପୋଲିସ l ଏଥିସହ ଗୋଟିଏ କାର (ଓଆର ୦୭ ଏମ୍ ୪୨୦୦), ୫ଟି ବାଇକ ସମେତ ୧୦ ଜଣକୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ମାନଙ୍କ ମଧ୍ୟରେ ଦିଗପହଣ୍ଡି ବ୍ଲକ କେ . ନୂଆଗାଁ ଥାନା ଅଧିନସ୍ଥ ଗୈାଡଗାଁ ଗ୍ରାମର ବବୁଲ୍ ସାହୁ, ଚନ୍ଦନ ସେଠୀ, ମନୋରଞ୍ଜନ ସାହୁ, ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଡାମାରୀ ଗ୍ରାମର ବୁଲୁ ସାହୁ ଓ ଚାକୁଣ୍ଡାପଲ୍ଲୀ ଗ୍ରାମର ରବିନ୍ଦ୍ର ସାହୁ, ଦିଗପହଣ୍ଡି ଥାନା ଭୀଷ୍ମଗିରୀ ଗ୍ରାମର ଟୁନା ମହାନ୍ତି ଓ ଜିତୁ ମହାନ୍ତି, ମଦନମୋହନପୁର ଗ୍ରାମର ସୁରେନ୍ଦ୍ର ବେହେରା, ଜଗନ୍ନାଥପୁର ଗ୍ରାମର ରାମଚନ୍ଦ୍ର ଚୌଧୁରୀ ଏବଂ ବୁରିପଦର ଗ୍ରାମର ନରେନ୍ଦ୍ର ସାହୁ ବୋଲି ସୂଚନା ମିଳିପାରିଛି ।

ଖବରନୁଯାୟୀ, ଗୁରୁବାର ବିଳମ୍ବିତ ରାତି ସାଢ଼େ ୩ ଘଣ୍ଟା ସମୟରେ ଏହି ମଦବେପାରୀ ମାନେ ମିଳିତଭାବେ ଏକ ବଡ଼ ଧରଣର ମଦ କାଉଣ୍ଟରରୁ ୧୭ କାଟୁନ ଅର୍ଥାତ୍ ୧୪୯ ଲିଟର ବିଦେଶୀ ମଦକୁ ବେଆଇନ ଭାବେ ଏକ କାର ଓ ୫ ଟି ବାଇକ ସାହାଯ୍ୟରେ ଆଣି ଘୋଡାହଡ - କଇଠଖଣ୍ଡି ମଝି ରାସ୍ତା ପାର୍ଶ୍ବରେ ବସି ମଦକୁ ଭାଗ ବଣ୍ଟନ କରୁଥିଲେ । ଏହି ସମୟରେ ଦିଗପହଣ୍ଡି ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ କର୍ମଚାରୀ ଉକ୍ତ ସ୍ଥାନରେ ଅତର୍କିତ ଚଢ଼ାଉ କରିଥିବା ଜଣାପଡ଼ିଛି ।

ଘଟଣାସ୍ଥଳରୁ ମଦକୁ ଜବତ କରିବା ସହ ବ୍ୟବହୃତ ଗାଡ଼ିକୁ ଜବତ କରିଥିଲେ । ଏନେଇ ଦିଗପହଣ୍ଡି ଥାନା ମାମଲା ୧୧୯/୨୧ ଅନୁସାରେ ମକଦ୍ଦମା ରୁଜୁ କରି ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କର ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଥିଲା । ତେବେ ସେଠାରେ ଜାମିନ ଆବେଦନ ଖାରଜ ହେବାରୁ ଅପରାହ୍ନରେ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.