କଣ୍ଟାବାଞ୍ଜି ୨୧।୧୦: କଳାହାଣ୍ଡି ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ତଦନ୍ତ ଜାରି ରହିଛି । କ୍ରାଇମ୍ ସ୍ପଟ୍ ରେ ଉତ୍ତରାଞ୍ଚଳ ଡିଆଇଜି ଓ ଏସପି ପହଞ୍ଚିଛନ୍ତି । ଯେଉଁ ସବୁ ସ୍ଥାନକୁ ଗୋବିନ୍ଦ, ମମିତାଙ୍କୁ ନେଇକି ଯାଇଥିଲା ସେସବୁ ସ୍ଥାନରେ ଭେରିଫିକେସନ ଚାଲିଛି । ଗୋବିନ୍ଦ ମମିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରି ପୋଲିସ ଆଗରେ ଯାହା କହିଛନ୍ତି ସେସବୁ ସତ ନା ନାହିଁ ତାହା ତଦନ୍ତ କରିବେ ଡିଆଇଜି ଓ ଏସପି । ଟିଟିଲାଗଡ, ବଙ୍ଗୋମୁଣ୍ଡା, ସିନ୍ଧେକେଲା ସହ କଳାହାଣ୍ଡିର ବିଭିନ୍ନ ସ୍ଥାନରେ ତଦନ୍ତ କରିବା ନେଇ ସୂତ୍ରରୁ ଜଣା ପଡ଼ିଛି ।
ସେପଟେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇକୁ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରାଯିବା ନେଇ ମଧ୍ୟ ସୂଚନା ମିଳିଛି।
ଅନ୍ୟପଟେ କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଯାଞ୍ଚ ଆରମ୍ଭ କରିଛି ପ୍ରଶାସନ । କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନ ପକ୍ଷରୁ ଯାଞ୍ଚ ଜାରି ରହିଛି । ଗୋଲାମୁଣ୍ଡା ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ ଓ ତହସିଲଦାର ସର୍ବେଶ୍ବର ଜାଲ ସ୍କୁଲର କାଗଜପତ୍ର ଯାଞ୍ଚ କରିଛନ୍ତି । ସ୍କୁଲର ଉପର ମହଲାରେ ପରିଚାଳିତ ହେଉଥିଲା ଯୁକ୍ତ ୩ କଲେଜ । ଏହାର ଆୟ ବ୍ୟୟ ଅଟକଳ ଯାଞ୍ଚ କରୁଛି ପ୍ରଶାସନ ।
ସେହିପରି ଯୁକ୍ତ ୨ ଓ ଯୁକ୍ତ ୩ କଲେଜ ପାଇଁ କେତେ ଟଙ୍କା ସରକାରୀ ଅନୁଦାନ ମିଳିଛି, ତାର ମଧ୍ୟ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି । ହେଲେ ଏପର୍ଯ୍ୟନ୍ତ ଯାଞ୍ଚ ଟିମ୍ କୁ ଚର୍ଚ୍ଚା ଚାଲିଥିବା କଲେଜର ଗୁପ୍ତ କୋଠରୀ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହି ଯାଞ୍ଚ ଟିମ୍ ସହିତ କେଗାଁ ପୋଲିସ ମଧ୍ୟ ସାମିଲ ରହିଛି ।