ଭିନ୍ନକ୍ଷମ ଆଦିବାସୀ ମହିଳାଙ୍କୁ ରାସ୍ତାରୁ ଟେକିନେଇ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
17/08/2019 at 3:33 PM

ଦେବଗଡ ୧୭|୮: ଦେବଗଡ ଜିଲ୍ଲା ରିଆମାଳ ଥାନା କୋହ୍ଲବସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିରଗୁଣୀକୁଦର ଗ୍ରାମରେ ଜଣେ ଭିନ୍ନକ୍ଷମ ଆଦିବାସୀ ମହିଳାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି । ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଓ ରାକ୍ଷୀ ପୂର୍ଣ୍ଣିମା ପାଳନ ଉପଲକ୍ଷେ ସମଗ୍ର ରାଜ୍ୟ ଉତ୍ସବମୁଖର ହୋଇଥିବା ବେଳେ ଚିରଗୁଣୀକୁଦର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଗ୍ରାମର ଜଣେ ୪୫ବର୍ଷ ବୟସ୍କା ଭିନ୍ନକ୍ଷମ ଆଦିବାସୀ ଅବିବାହିତ ମହିଳା ନିଜ ବିଧବା ମାଆଙ୍କ ସହ ଘରେ ରହୁଥିଲେ । ମହିଳା ଜଣଙ୍କ ଗତ ଗୁରୁବାର ସନ୍ଧ୍ୟାରେ ପଡୋଶୀ ଘରକୁ ଟିଭି ଦେଖିବାକୁ ଯାଇଥିଲେ । ଟିଭି ଦେଖିସାରି ରାତିରେ ନିଜ ଘରକୁ ଫେରିବା ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଟେକିନେଇ ଦୁଷ୍କର୍ମ କରିଥିବା ରିଆମାଳ ଥାନାରେ ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ପୀଡିତାଙ୍କ ଯୌନାଙ୍ଗରେ ବାଡି କିମ୍ବା ଧାରୁଆ ଅସ୍ତ୍ର ଭର୍ତ୍ତି କରିବା ସହ ପଥରରେ ଛେଚି ମାରି ଦେବାକୁ ଅଭିଯୁକ୍ତ ମାନେ ଉଦ୍ୟମ କରିଥିଲେ ମଧ୍ୟ ସେ ସେମାନଙ୍କ କବଳରୁ ଖସି ଆସି ଘରେ ଶୋଇପଡିଥିଲେ ।

ପର ଦିନ ସକାଳେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିବା ବେଳେ ଘର ଲୋକଙ୍କୁ ସେ ସମସ୍ତ ଘଟଣା ସଂପର୍କରେ ଠାରରେ ଅବଗତ କରାଇଥିଲେ । ଘର ଲୋକ ପୀଡିତାଙ୍କୁ ପ୍ରଥମେ ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ନସୁଧୁରିବାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ଦେବଗଡ ଏସପି ରାହୁଲ ଜୈନଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଡାକ୍ତରଖାନାରେ ପହଞ୍ଚି ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଅନ୍ୟପକ୍ଷରେ ଏହି ଘଟଣାରେ ଦୁଇ ଜଣ ନା ଆଉ ଅଧିକ ବ୍ୟକ୍ତି ସଂପୃକ୍ତ ଅଛନ୍ତି ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ ହୋଇଛି ।