ରାଶି ଓ ନକ୍ଷତ୍ର ମଧ୍ୟରେ କ'ଣ ରହିଛି ପାର୍ଥକ୍ୟ ଜାଣନ୍ତୁ, ଆପଣଙ୍କ ରାଶିଫଳ ନକ୍ଷତ୍ର ଉପରେ ବେଶୀ ନିର୍ଭର କରେ

Published By : Prameya-News7 Bureau | July 05, 2019 IST

ଆପଣ ଜାଣିଛନ୍ତି କି ଦୁନିଆର ସମସ୍ତ ଲୋକଙ୍କ ରୂପ, ରଙ୍ଗ, ଗୁଣ, ସ୍ୱଭାବ ଏବଂ କାର୍ଯ୍ୟକ୍ଷେତ୍ର ଭିନ୍ନ ଭିନ୍ନ କାହିଁକି ? ତାରା ମଣ୍ଡଳକୁ ଗ୍ରହ, ନକ୍ଷତ୍ର ଏବଂ ରାଶିରେ କିଭଳି ବିଭାଜିତ କରାଯାଏ ? ନକ୍ଷତ୍ରର ପୌରାଣିକ ମହତ୍ୱ କଣ ? ନକ୍ଷତ୍ର ଓ ରାଶି ମଧ୍ୟରେ ଅନ୍ତର କଣ ? ଆସନ୍ତୁ ଜାଣିବା :

ନକ୍ଷତ୍ର - ବୈଦିକ ଜ୍ୟୋତିଷ ଅନୁସାରେ, ନକ୍ଷତ୍ର ପାଞ୍ଜିର ମହତ୍ଵପୁର୍ଣ ଅଙ୍ଗ । ଭାରତୀୟ ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ନକ୍ଷତ୍ରକୁ ଚନ୍ଦ୍ର ମହଲ ମଧ୍ୟ କୁହାଯାଏ । ଭବିଷ୍ୟବାଣୀ ପାଇଁ ଲୋକେ ନକ୍ଷତ୍ର ଓ ନକ୍ଷତ୍ରସ୍ଥିତିକୁ ବିଚାରକୁ ନେଇଥାନ୍ତି । ଶାସ୍ତ୍ର ଅନୁସାରେ ୨୭ଟି ନକ୍ଷତ୍ର ରହିଛି । ନକ୍ଷତ୍ର ନିଜ ପ୍ରଭାବରେ ଯେକୌଣସି ବ୍ୟକ୍ତିଙ୍କ ସ୍ୱଭାବ ପରିବର୍ତ୍ତନ କରିପାରେ । ସେଥିପାଇଁ ଲୋକେ ନକ୍ଷତ୍ର ଅନୁକୂଳ କରିବା ପାଇଁ ନକ୍ଷତ୍ର ସହ ସମ୍ବନ୍ଧିତ ଗ୍ରହଙ୍କ ପୂଜାପାଠ ଏବଂ ବ୍ରତ ଇତ୍ୟାଦି କରିଥାନ୍ତି । 

ନକ୍ଷତ୍ରର ପୌରାଣିକ ମହତ୍ୱ - ପୁରାଣରେ ୨୭ ନକ୍ଷତ୍ରର ପରିଚୟ ଦକ୍ଷ ପ୍ରଜାପତିଙ୍କ କନ୍ୟାଙ୍କ ନାମାନୁସାରେ ହୋଇଛି । ଏହି ନକ୍ଷତ୍ରମାନଙ୍କ ବିବାହ ସୋମ ଦେବ ଅର୍ଥାତ ଚନ୍ଦ୍ରମାଙ୍କ ସହିତ ହୋଇଥିଲା । ଏହି ସବୁ ରାଣୀମାନଙ୍କ ମଧ୍ୟରୁ ରୋହିଣୀ ଥିଲେ ଚନ୍ଦ୍ରମାଙ୍କ ପ୍ରିୟ ରାଣୀ । ଯେଉଁଥିପାଇଁ ଚନ୍ଦ୍ରମାଙ୍କୁ ଅଭିଶାପର ସମ୍ମୁଖୀନ ମଧ୍ୟ ହେବାକୁ ପଡିଥିଲା ।

ପୁରାଣ ଅନୁଯାୟୀ, ଋଷିମାନେ ଆକାଶକୁ ୧୨ ଭାଗରେ ବିଭକ୍ତ କରିଥିଲେ । ଯାହାକୁ ଆମେ ୧୨ଟି ଅଲଗା ଅଲଗା ରାଶି ଭାବେ ଜାଣିଥାଉ । ଏହାକୁ ଆହୁରି ସୁକ୍ଷ୍ମ ବିଭାଜନ ପାଇଁ ୨୭ ଭାଗରେ ବିଭକ୍ତ ଯାଇଛି । ପରିଣାମ ସ୍ୱରୂପ ଗୋଟିଏ ରାଶି ଭିତରେ ପାଖାପାଖି ୨.୨୫ ନକ୍ଷତ୍ର ଆସିଥାନ୍ତି । ଚନ୍ଦ୍ରମା ନିଜ କକ୍ଷରେ ପରିକ୍ରମା କରି ପୃଥିବୀକୁ ଗୋଟିଏ ଥର ପରିକ୍ରମା ପାଇଁ ୨୭.୩ ଦିନ ଲାଗିଥାଏ । ଚନ୍ଦ୍ରମା ପ୍ରତିଦିନ ନକ୍ଷତ୍ରର ଗୋଟିଏ ଭାଗ ଯାତ୍ରା କରିଥାଏ ।

ନକ୍ଷତ୍ର ଦ୍ୱାରା କୌଣସି ବ୍ୟକ୍ତିଙ୍କ ଚିନ୍ତାଶକ୍ତି, ଅନ୍ତର୍ଦୃଷ୍ଟି ଏବଂ ତାଙ୍କ ବିଶେଷ ଗୁଣର ବିଶ୍ଳେଷଣ ସହଜରେ କରାଯାଇପାରେ । ନକ୍ଷତ୍ର ଦଶା ଅବଧି ଗଣନା କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ନକ୍ଷତ୍ର ଓ ରାଶି ମଧ୍ୟରେ ଫରକ :

ଯଦି ଆପଣ ଆକାଶକୁ ୧୨ଟି ସମାନ ଭାଗରେ ବିଭକ୍ତ କରନ୍ତି ତାହେଲେ ପ୍ରତ୍ୟେକ ଭାଗକୁ ରାଶି ବୋଲି କୁହାଯାଏ । ଯଦି ଆକାଶକୁ ସମାନ ୨୭ ଭାଗରେ ବିଭକ୍ତ କରାଯାଏ ତାହେଲେ ପ୍ରତ୍ୟେକ ଭାଗକୁ ନକ୍ଷତ୍ର କୁହାଯାଏ । ଆମେ ସମସ୍ତେ ଜାଣିଛେ ଆକାଶ ବୃତ୍ତାକାର ୩୬୦ ଡିଗ୍ରୀର ହୋଇଥାଏ । ଯଦି ଆମେ ୩୬୦ ଡିଗ୍ରୀକୁ ୧୨ ଭାଗରେ ବିଭକ୍ତ କରିବା ତାହେଲେ ଗୋଟିଏ ରାଶି ଚିହ୍ନ ୩୦ ଡିଗ୍ରୀ ହୋଇଥାଏ । ଏହିଭଳି ନକ୍ଷତ୍ର ପାଇଁ ଯଦି ଆମେ ୩୬୦ ଡିଗ୍ରୀକୁ ୨୭ ଭାଗରେ ବିଭକ୍ତ ତାହେଲେ ଗୋଟିଏ ନକ୍ଷତ୍ର ୧୩.୩୩ ଡିଗ୍ରୀ ହୋଇଥାଏ । ସେଥିପାଇଁ ନକ୍ଷତ୍ରର ସମୁଦାୟ ସଂଖ୍ୟା ୨୭ ଏବଂ ରାଶି ସଂଖ୍ୟା ୧୨ ହୋଇଥାଏ । ଯଦି ଦେଖାଯାଏ ତାହେଲେ ନକ୍ଷତ୍ର ଏକ ଛୋଟ ଅଂଶ ଏବଂ ରାଶି ଏକ ବଡ ଅଂଶ ହୋଇଥାଏ । ଯେକୌଣସି ରାଶି ଚିହ୍ନଟରେ ଅଢେଇଟି ନକ୍ଷତ୍ର ଆସିଥାଏ ।

ଆମେ ସମସ୍ତେ ଜାଣିଛେ ଯେ, ଜନ୍ମ ସମୟରେ ଚନ୍ଦ୍ରମା ଯେଉଁ ନକ୍ଷତ୍ରରେ ରହିଥାଏ ସେହି ନକ୍ଷତ୍ର ଜନ୍ମ ବ୍ୟକ୍ତିଙ୍କ ନକ୍ଷତ୍ର ହୋଇଥାଏ । ଯଦି କୌଣସି ବ୍ୟକ୍ତିଙ୍କ ନିର୍ଭୁଲ ଜନ୍ମ ନକ୍ଷତ୍ରର ସୂଚନା ଥାଏ ତାହେଲେ ସେହି ବ୍ୟକ୍ତିଙ୍କ ସଠିକ ଭବିଷ୍ୟବାଣୀ କରାଯାଇପାରେ । ଆପଣଙ୍କ ନକ୍ଷତ୍ରର ସଠିକ ଗଣନା ଆପଣଙ୍କୁ ଅନେକ ଲାଭ ଦେଇଥାଏ । ଏହାସହ ଆପଣ ଅନେକ ପ୍ରକାର ଦୋଷ ଏବଂ ନକାରାତ୍ମକ ପ୍ରଭାବ ଦୂର କରିବା ପାଇଁ ଉପାୟ ବାହାର କରିପାରିବେ । ସମସ୍ତ ନକ୍ଷତ୍ରଙ୍କ ଅଧିପତି ଗ୍ରହ ଏବଂ ଦେବତା ଥାନ୍ତି । ବିବାହ ସମୟରେ ମଧ୍ୟ ବର ବଧୂଙ୍କ କୁଣ୍ଡଳି ମିଳାଇବା ସମୟରେ ନକ୍ଷତ୍ର ଗଣନା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.