ଇତିହାସ ରଚିଲା ଡିଜେଲ, ପେଟ୍ରୋଲ ଦରକୁ ଟପିଲା : ରାଜଧାନୀରେ ଡିଜେଲ ଲିଟର ପିଛା ୮୦ ଟଙ୍କା ୭୮ ପଇସା

Published By : Prameya-News7 Bureau | October 21, 2018 IST

ଭୁବନେଶ୍ୱର ୨୧/୧୦ : ଡିଜେଲ ରଚିଛି ଇତିହାସ । ପେଟ୍ରୋଲ ଦରକୁ ଟପିଗଲା ଡିଜେଲ । ଭୁବନେଶ୍ବର ବଜାରରେ ଏବେ ପେଟ୍ରୋଲ ଦାମ୍ ଡିଜେଲ ଲିଟର ପିଛା ୮୦ଟଙ୍କା ୬୫ ପଇସା ଥିବା ବେଳେ ଡିଜେଲ ଦର ୮୦ ଟଙ୍କା ୭୮ ପଇସା । ଡିଜେଲର ଏହି ଓଲଟା ଅଙ୍କ ସମସ୍ତଙ୍କୁ ତାଜୁବ୍ କରିଛି । ତାହା ସହ ରାଜନୀତି ପାଣିପାଗକୁ ବି ଉଷ୍ଣ କରିଛି । ସବ୍ ଗୋଲମାଲ୍ । ପୂରା ଓଲଟା । ଯାହା କେବେ ହୋଇ ନ ଥିଲା ତାହା ଏବେ ହେଲା । ପେଟ୍ରୋଲ ଦରକୁ ଟପି ଗଲା ଡିଜେଲ ଦର । ଭୁବନେଶ୍ବର ବଜାରରେ ଏବେ ପେଟ୍ରୋଲଠାରୁ ଡିଜେଲ ମହଙ୍ଗା । ପେଟ୍ରୋଲ ଲିଟର ପିଛା ୮୦ଟଙ୍କା ୬୫ ପଇସା ଥିବା ବେଳେ ଡିଜେଲ ଦର ୮୦ ଟଙ୍କା ୭୮ ପଇସା । ମାନେ ଯେଉଁ ଡିଜେଲ ଦିନେ ପେଟ୍ରୋଲ ଠାରୁ ୧୩ ଟଙ୍କା କମରେ ଥିଲା ତାହା ଏବେ ୧୩ ପଇସା ବେଶୀ । ପେଟ୍ରୋଲ ଓ ଡିଜେଲ୍‌ ଦରର ଯାତନାରେ କଲବଲ ହେଉଛନ୍ତି ଲୋକେ । ଆଉ ଏବେ ଡିଜେଲର ଏହି ଓଲଟା ଅଙ୍କ ସମସ୍ତଙ୍କୁ ତାଜୁବ୍ କରିଛି । ଡିଜେଲର ଏ ସ୍ଥିତି ଦେଖି ରାଜନେତା ବି ଆଟାକ୍-କାଉଣ୍ଟର ଆଟାକର ଆକ୍ସିଲେରଟରକୁ ଜୋରରେ ମୋଡ଼ିଛନ୍ତି । ସୁଯୋଗ ଦେଖି, କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା । କେନ୍ଦ୍ର ଭୁଲ ତୈଳ ନୀତି ଲାଗି ଏ ଅବସ୍ଥା ବୋଲି ଆରୋପ ଲଗାଇଛନ୍ତି । । ଅଢେଇ ଟଙ୍କା ହ୍ରାସ କେବଳ ଏକ କୁହେଳିକା ବୋଲି ସେ କହିଛନ୍ତି । ଯାହାର ପାଲଟା ଜବାବ ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଏହି ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଧର୍ମେନ୍ଦ୍ର କହିଛନ୍ତି । ତେବେ ପେଟ୍ରୋଲ, ଡିଜେଲର ବେଲଗାମ ସ୍ଥିତି ଦେଖି ବିଭିନ୍ନ ପରିବହନ ସଂଗଠନ ଚିହିଁକି ଉଠିଲେଣି । ଉଭୟ କେନ୍ଦ୍ର ଓ ରାଜ୍ୟ ଏ ଦିଗରେ ପଦକ୍ଷେପ ନ ନେଲେ ରାଜରାସ୍ତାକୁ ଓହ୍ଲାଇବାର ଚେତାବନୀ ଦେଇଛି ରାଜ୍ୟ ପରିବହନ ଶ୍ରମିକ ସଂଘ । ଡିଜେଲ ଦର ବୃଦ୍ଧିର ସିଧା ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ପଡ଼ିବାର ଆଶଙ୍କା ରହିଛି । ଗୋଟିଏ ପଟେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ଖସୁଛି କିନ୍ତୁ ଦେଶରେ ତେଳ ଦର ବଢୁଛି । ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ ଓ ଇରାନ ସହ ଆମେରିକାର ସଂପର୍କକୁ ତୈଳ ଦର ବୃଦ୍ଧିର କାରଣ ଭାବେ ସଫେଇ ଦେଇ ଆସୁଛନ୍ତି କେନ୍ଦ୍ର ସରକାର । ତେବେ ଉଭୟ କେନ୍ଦ୍ର ଓ ରାଜ୍ୟ ଯେ ତେଲ ଉପରୁ ମୋଟା ଟ୍ୟାକ୍ସ ନେଉଛନ୍ତି, ସେ କଥାକୁ ବି ପବ୍ଲିକ୍ ଦେଖୁଛନ୍ତି । ଅନ୍ୟପକ୍ଷରେ, ଗଲା ୪ ଦିନ ହେଲା ତୈଳ ଦରରେ ନାମକୁ ମାତ୍ର କିଛି ପଇସା ହ୍ରାସ ହେଉଛି, ଯାହା ଚଢା ଦରରେ ବିଶେଷ ପ୍ରଭାବ ପକାଇ ପାରିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.