ତେଲରେ ଲାଗିଛି ନିଆଁ , ଦେଶରେ ପ୍ରଥମ ଥର ପାଇଁ ୮୦ଟଙ୍କା ହେଲା ଡିଜେଲ : ୧୯ଦିନ ହେଲା ବଢୁଛି, ଏବେ ମହଙ୍ଗା ମାଡକୁ ଡର
25/06/2020 at 10:04 AM

ନୂଆଦିଲ୍ଲୀ ୨୫।୦୬: ସାରାଦେଶରେ ଏବେ କରୋନା ସ୍ଥିତି ଭୟଙ୍କର ହେଉଛି । ଯାହାକୁ ନେଇ ସାରାଦେଶରେ ଏବେ ଭୟର ବାତାବରଣ ରହିଛି । ଗୋଟିଏ ପଟେ କରୋନା ସଂକ୍ରମଣ ସଂଖ୍ୟା ବଢିଚାଲିଥିବା ବେଳେ ଆଉ ଗୋଟିଏ ପଟେ ଦେଶବାସୀଙ୍କୁ ମହଙ୍ଗା ମାଡ । ଲଗାତର ୧୯ଦିନ ହେଲା ଦେଶରେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର । ଭାରତ ଇତିହାସରେ ପ୍ରଥମ ଥର ପାଇଁ ୮୦ଟଙ୍କା ପାର୍ ହୋଇଛି ଡିଜେଲ୍ ଦାମ୍ । ଦେଶର ରାଜଧାନୀ ଦିଲ୍ଲୀରେ ୮୦ ଟଙ୍କା ଡେଇଁଛି ଡିଜେଲ୍ ଦାମ୍ । ଦିଲ୍ଲୀରେ ଡିଜେଲ୍ର ଦାମ୍ ୧୪ପଇସା ବଢିବା ଦ୍ୱାରା ନୂଆ ଦର ୮୦.୦୨ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ସେହିପରି ପେଟ୍ରୋଲର ଦାମ୍ ୧୬ପଇସାର ବୃଦ୍ଧି ଘଟିଛି । ଏହି ୧୯ଦିନରେ ପେଟ୍ରୋଲରେ ୮.୬୬ ଟଙ୍କା ଓ ଡିଜେଲ୍ରେ ୧୦.୬୨ଟଙ୍କା ପ୍ରତି ଲିଟର ମହଙ୍ଗା ହୋଇଛି ।
ଗୋଟିଏ ଦିନ ପୂର୍ବରୁ ଇତିହାସରେ ପ୍ରଥମ ଥର ପାଇଁ ଡିଜେଲ୍ ଦାମ୍ ପେଟ୍ରୋଲ ଦାମ୍ ଠାରୁ ଅଧିକ ହୋଇଯାଇଥିଲା । ୨୪ଜୁନ୍କୁ ପେଟ୍ରୋଲର ଦାମ୍ କୌଣସି ପରିବର୍ତ୍ତନ ହୋଇନିଥିଲା , କିନ୍ତୁ ଡିଜେଲ୍ର ଦାମ୍ରେ ୪୮ପଇସା ର ବୃଦ୍ଧି ପାଇଥିଲା । କେବଳ ଜିଲ୍ଲୀରେ ଏହାହିଁ ହୋଇଥିବା ବେଳେ ଦେଶର ଅନ୍ୟ ସ୍ଥାନରେ ପେଟ୍ରୋଲ ମୁକାବିଲାରେ ଡିଜେଲ୍ ଦାମ୍ କମ୍ ରହିଛି । ଦିଲ୍ଲୀର ଦାମ୍ ବଢିବାର କାରଣ ହେଉଛି ଭ୍ୟାଟ୍, ଦିଲ୍ଲୀ ସରକାର ଲକ୍ଡଉନ୍ ସମୟରେ ଡିଜେଲ୍ ଉପରେ ଭ୍ୟାଟ୍ ଲକାଇଥିଲା, ଯାହାଫଳରେ ଡିଜେଲ୍ ଦାମ୍ ବଢୁଛି । ସେହିପରି ଏହାର ଦ୍ୱିତୀୟ କାରଣ ହେଉଛି, ମେ ମାସର ପ୍ରଥମ ସପ୍ତାହରେ ଭାରତ ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଭାରମାତ୍ରାରେ ଏକ୍ସସାଇଜ୍ ଡ୍ୟୁଟି ବଢାଇଥିଲେ ।
ପେଟ୍ରୋଲରେ ପ୍ରତି ଲିଟର ଉତ୍ପାଦ ଶୁଳ୍କ ୧୦ଟଙ୍କା ବଢାଯାଇଥିବା ବେଳେ ଡିଜେଲ୍ରେ ପ୍ରତି ଲିଟର ଉତ୍ପାଦ ଶୁଳ୍କ ୧୩ଟଙ୍କା ବଢାଯାଇଥିଲା । ଏହାମଧ୍ୟ ଡିଜେଲ୍ର ମହଙ୍ଗା ହେବାର କାରଣ । ଏହାପରେ ମଧ୍ୟ ସାରାଦେଶରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ସାରାଦେଶରେ ପେଟ୍ରୋଲ ଠାରୁ ଡିଜେଲ୍ ମହଙ୍ଗା ହେଉନାହିଁ, କେବଳ ଦିଲ୍ଲୀରେ ହେଉଛି । କାରଣ ଗତ ମାସରେ ଦିଲ୍ଲୀ ସରକାର ପେଟ୍ରୋଲ ଓ ଡିଜେଲ୍ ଉପରେ ଟ୍ୟାକ୍ସ ବଢାଇଦେଇଥିଲେ । ପେଟ୍ରୋଲ ଦାମ୍ରେ ୧.୬୭ ପ୍ରତି ଲିଟର ଓ ଡିଜେଲ୍ରେ ୭.୧୦ଟଙ୍କା ପ୍ରତି ଲିଟର ମହଙ୍ଗା ହୋଇଛି । ପେଟ୍ରୋଲ ଓ ଡିଜେଲ୍ ଦାମ୍ ବଢିବା ଯୋଗୁଁ ଚାରିଆଡେ ମହଙ୍ଗା ମାଡ, ଯାହାକି ସାଧାରଣ ଜନତା ଉପରେ ପଡିବାର ଆଶଙ୍କା କରାଯାଉଛି । ତୈଳଦର ବଢିବା ଯୋଗୁଁ ଏହା ସିଧାସଳଖ ଭାବେ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ପଡିବ । ଯାହାଦ୍ୱାରା ଆଗାମୀ ଦିନରେ ଅନେକ ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି, ଯାହାର ସିଧାସଳକ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ ।
ସହର | ପେଟ୍ରୋଲ ଦାମ୍/ ପ୍ରତି ଲିଟର | ଡିଜେଲ୍ ଦାମ୍/ ପ୍ରତି ଲିଟର |
ଦିଲ୍ଲୀ | ୭୯.୯୨ | ୮୦.୦୨ |
ମୁମ୍ବାଇ | ୮୬.୭୦ | ୭୮.୩୪ |
କୋଲକାତା | ୮୧.୬୧ | ୭୫.୧୮ |
ଚେନ୍ନାଇ | ୮୩.୧୮ | ୭୭.୨୯ |
ବେଙ୍ଗାଲୁରୁ | ୮୨.୫୨ | ୭୬.୦୯ |
ଲକ୍ଷ୍ନୌ | ୮୦.୫୯ | ୭୨.୦୪ |
ପାଟନା | ୮୨.୯୧ | ୭୭.୦୦ |
ଚଣ୍ଡିଗଡ଼ | ୭୬.୯୨ | ୭୧.୫୨ |