‘ବିଜେପି ଝଡକୁ ଦେଖି ବିଳିବିଳି ହେଉଛନ୍ତି ଦିଦି, ସେଥିପାଇଁ ହିଂସାକାଣ୍ଡ ଘଟାଉଛନ୍ତି’ : ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ

Published By : Prameya-News7 Bureau | February 27, 2021 IST

ଭୋପାଳ ୨୭/୦୨ : ପଣ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଶିବରାଜ ସିଂହ କହିଛନ୍ତି, ‘ବେଙ୍ଗଲରେ ଭାରତୀୟ ଜନତା ପାର୍ଟି ସପକ୍ଷରେ ହାଓ୍ବା ବହୁଛି । ସେଥିପାଇଁ ଦିଦି ଚିହିକି ଉଠୁଛନ୍ତି । ବିଜେପି ଝଡକୁ ଦେଖି ବିଳିବିଳି ହେଉଛନ୍ତି ଦିଦି । ବିଜେପିର ପରିବର୍ତ୍ତନ ରାଲିଗୁଡିକରେ ବାରମ୍ବାର ଆକ୍ରମଣ କରାଯାଉଛି । ପଶ୍ଚିମବଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଉଛି । ସେମାନଙ୍କ ବଳିଦାନ ବ୍ୟଥ ଯିବନାହିଁ ।’

ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପୂର୍ଣ୍ଣ ବହୁମତ ସହିତ ବିଜୟ ଲାଭ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ସେ ଆହୁରି ମଧ୍ୟ କହିଛନ୍ତି, ଦିଦିଙ୍କ କୁଶାସନ, ଭ୍ରଷ୍ଟାଚାର, ଲୁଣ୍ଠନ ଓ ଗୁଣ୍ଡାଗର୍ଦ୍ଦି ଦେଖି ଦେଖି ଅସହାୟ ମନେକରୁଛନ୍ତି ପଶ୍ଚିମବଙ୍ଗବାସୀ । କିନ୍ତୁ ଆସନ୍ତା ନିର୍ବାଚନରେ ଜନସାଧାରଣ ଏହା ବିରୁଦ୍ଧରେ ଯାଇ ବିଜେପିକୁ ଭୋଟ ଦେବାକୁ ସ୍ଥିର କରିଛନ୍ତି ।

ଆଉ ମାତ୍ର କିଛି ଦିନପରେ ପଶ୍ଚିମବଙ୍ଗ ସମେତ ଦେଶର ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଅଶାସିତ ଅଞ୍ଚଳରେ ସାଧାରଣ ନିର୍ବାଚନ ଅଷ୍ଠିତ ହେବ । ଏ ନେଇ ବିଧିବଦ୍ଧ ଭାବେ ଶୁକ୍ରବାର ପ୍ରେସ୍‌ ମିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଏହା ସହିତ ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ନିଷ୍ପତ୍ତି ନିଆଯାଇଛି । ଅପ୍ରୀତିକର ପରିସ୍ଥିତିକୁ ଆଖିଆଗରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.