ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ପରେ ଛାତରୁ ଠେଲିଦେଲା ହୋଟେଲ ମାଲିକ: କଟକରେ ଛଦ୍ମ ନାମରେ ଚାଲିଥିଲା ଚିକିତ୍ସା, ହୋସ ଆସିବା ପରେ ଖୋଲିଲା ଗୁମର

Published By : Prameya-News7 Bureau | June 05, 2020 IST

ନୀଳଗିରି, ୦୫|୦୬:   ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ନିକଟରେ ଥିବା ବିଭିନ୍ନ ହୋଟେଲରେ ଦିନକୁ ଦିନ ଅନୈତିକ କାର୍ଯ୍ୟ ହେଉଥିବାର ଅଭିଯୋଗ ହେଉଛି। କିଛିଦିନ ପୂର୍ବରୁ ଏଠାକାର ଏକ  ହୋଟେଲରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଜୀବନ ବିକଳରେ ଯୁବତୀ ଜଣକ ଖସିବାକୁ ଚେଷ୍ଟା କରୁଥିଲେ ମଧ୍ୟ ହୋଟେଲ ମାଲିକ ତାଙ୍କୁ  ଛାତରୁ ତଳକୁ ଠେଲି ମାରିଦେବାକୁ ଉଦ୍ୟମ କରିଥିଲେ । ତଳେ ପଡିବା ପରେ  ଯୁବତୀଜଣକ ଗୁରୁତର ହୋଇ ଜୀବନ ମରଣ ସହିତ ହସ୍ପିଟାଲରେ  ସଙ୍ଘର୍ଷ କରୁଛନ୍ତି। ଘଟଣାକୁ ରଫାଦଫା କରିବା ପାଇଁ ଯୁବତୀଙ୍କ ନାଁ ବଦଳାଇ କଟକ ବଡ ମେଡିକାଲରେରେ ଭର୍ତି କରାଯିବା ପରେ ଏବେ ସମସ୍ତ ତଥ୍ୟ ପଦାକୁ ଆସିଛି। ଏନେଇ ବାଙ୍କୀ ଥାନାରେ ମଧ୍ୟ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

ସୂଚନାରୁ ପ୍ରକାଶ ଯେ, ବାଙ୍କୀ ଥାନା ଅଧିନ ଗ୍ରାମରୁ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟ ଭଉଣୀ ରୋଜଗାର ଆଶାରେ ମାର୍ଚ୍ଚ ମାସ ୨୦ ତାରିଖରେ ଘରୁ ନେଇ ଆସିଥିଲେ। ତାଙ୍କୁ ସେ ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ନିକଟରେ ଥିବା ଏକ ହୋଟେଲରେ ରଖିଥିଲେ । ହୋଟେଲରେ ରହିବା ପରଠୁ  ହୋଟେଲର ମାଲିକ ତାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ।  କିଛିଦିନ ପୂର୍ବରୁ କିଛି ଯୁବକ ମଧ୍ୟ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ବଳାତ୍କାର କରିଥିବା ଅଭିଯୋଗ ହୋଇଛି ।

ହୋଟେଲ ମାଲିକଜଣକ  ଯୁବତୀ ଙ୍କୁ ଧମକ ଦେଉ ବାରମ୍ବାର ଦୁଷ୍କର୍ମ କରିଥିଲେ । ଦିବ୍ୟାଙ୍ଗ ୟୁବତୀଜଣଙ୍କ ଏହାକୁ ବିରୋଧ କରିବାରୁ ତାଙ୍କୁ ଛାତରୁ ତଳକୁ ଠେଲି ଦେଇଥିଲେ। ତେବେ ଯୁବତୀ ଜଣକ ଆଉ କିଛି ଜାଣିନଥିବା ବେଳେ ଆଖି ଖୋଲିବାପରେ ସେ କଟକ ବଡ ମେଡିକାଲରେ ଭର୍ତି ହୋଇଥିଲେ। ତାଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି।ପୀଡିତା ଜଣଙ୍କ ରହୁଥିବା ହୋଟେଲର ନାଁ ଓ ସ୍ଥାନ କହି ପାରୁନଥିବା ବେଳେ ହୋଟେଲ ମାଲିକର ନାମ ପପୁ ବୋଲି କହିଛନ୍ତି । ତେବେ କଟକ ଡାକ୍ତରଖାନାରେ ଈଶ୍ୱର ବୋଲି ଯୁବକ ତାଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି ।

ଯୁବତୀଙ୍କ ସମ୍ପର୍କୀୟ ଖବର ପାଇ ପୋଲିସ ହସ୍ପିଟାଲରେ ପହଁଞ୍ଚିବା ବେଳକୁ ନାମ ବଦଳାଇ ଭର୍ତ୍ତି କରୁଥିବା ଯୁବକ ଖସିଯାଇଥିଲେ। ପରେ କିଛି ସ୍ୱେଚ୍ଛାସେବୀ ସହାୟତାର ହାତ ବଢାଇବାରୁ ଘଟଣାକୁ ନେଇ ବାଙ୍କୀ ଥାନାରେ ଏକ ଅଭିଯୋଗ ହୋଇ ଘଟଣାକୁକୁ ନେଇ ଖୋଳତାଡ ଚାଲିଛି। ବାଙ୍କୀ ପୋଲିସ ଆସି ନୀଳଗିରି ଥାନାରେ ପହଂଚିବା ପରେ ପଞ୍ଚଲିଙ୍ଗେଶ୍ୱର ହୋଟେଲରେ ଚଢାଉ କରିଛି ।ଚଡାଉ ପୂର୍ବରୁ ଅଭିଯୁକ୍ତ ମାଲିକ ଖସି ପଳାଇଯାଇଥିବା ବେଳେ ଖୁବଶୀଘ୍ର ଘଟଣାର ପର୍ଦ୍ଦାଫାସ ହେବ ବୋଲି ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.