ସୋନପୁର ଝାଡାବାନ୍ତି : ନଗର ଉନ୍ନୟନ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ, ପାନୀୟଜଳ ଯୋଗାଣରେ ହୋଇଛି ବ୍ୟାପକ ଅନିୟମିତତା

Published By : Prameya-News7 Bureau | December 14, 2018 IST

ଭୁବନେଶ୍ବର ୧୪|୧୨: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରାଂଚଳରେ ବିଗତ ୩ ଦିନ ହେଲା ଝାଡାବାନ୍ତି ରୋଗରେ ପଡି ୧୦୦ରୁ ଉର୍ଦ୍ଦ୍ବ ରୋଗୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ସହରାଂଚଳରେ ଡାଇରିଆକୁ ରୋକିବାରେ ଜିଲ୍ଲା ପ୍ରଶାସନ ତଥା ଜନସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲାସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପାଇଛି । ସହରାଂଚଳର ସପ୍ଲାଏ ପାଣି ବନ୍ଦ ରହିଥିବା ବଳେ ପଡୋଶୀ ଜିଲ୍ଲାମାନଙ୍କରୁ ସହାୟତା ପାଇଁ ଆସିଥିବା ଟ୍ୟାଙ୍କର ଯୋଗେ ସହରାଂଚଳର ସମସ୍ତ ୱାର୍ଡକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସୋନପୁର ସହରରେ ସ୍ଥିତି ସମାନ୍ୟ ନିୟନ୍ତ୍ରାଣାଧୀନ ରହିଛି ।  ଜନସ୍ବାସ୍ଥ୍ୟ ବିଭାଗର ଦୂଷିତ ପାନୀୟ ଜଳ ପାଇଁ ସହରରେ ଝାଡାବାନ୍ତି ବ୍ୟାପିଲା ବୋଲି ଅଭିଯୋଗ ହୋଇଛି ।

{"id":63501}

ସେପଟେ ନଗର ଉନ୍ନୟନ ମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅଂଚଳ ହୋଇଥିବା ସତ୍ତ୍ବେ ସୋନପୁରରେ ଶୁଦ୍ଧ ପାନୀୟ ଜଳ ନମିଳିବା ଦୁର୍ଭାଗ୍ୟଜନକ ବୋଲି କହିଛି କଂଗ୍ରେସ । କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ସେ କହିଛନ୍ତି ଯେ, ମହାନଦୀର ରାମେଶ୍ବର ଘାଟରୁ ସୋନପୁରକୁ ଜଳଯୋଗାଣ ହୋଇଥାଏ । ବନ୍ୟା ପରେ ଏହି ଘାଟକୁ ସଫା କରିବାରେ ଜନସ୍ବାସ୍ଥ୍ୟ ବିଭାଗ ଉଚିତ ପଦକ୍ଷେପ ନନେବା ଫଳରେ ଏହି ପରିସ୍ଥିତି ଉପୁଜିଛି । ଏପରିକି ପାଣି ବିଶୋଧନ କାର୍ଯ୍ୟରେ ବ୍ୟବହାର ହେଉଥିବା କେମିକାଲ ବାଟମାରଣା ହେଉଛି ବୋଲି ମଧ୍ୟ ସତ୍ୟ ପ୍ରକାଶ ନାୟକ କହିଛନ୍ତି । ସେ କହିଛନ୍ତି ପାଣି ବିଶୋଧନ ପାଇଁ ଯେଉଁ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକ ହେବା ମିୟମ ରହିଛି । କିନ୍ତୁ ସେହି ସବୁ ପଦବୀରେ ମାଟ୍ରିକ୍ ଫେଲ୍‌ ବ୍ୟକ୍ତିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ୨୦୧୨-୧୩ ରେ ୫କୋଟି ୨୭ ଲକ୍ଷ ଟଙ୍କା ବ୍ୟୟରେ ସୋନପୁରରେ ଆରମ୍ଭ ହୋଇଥିବା ପାନୀୟ ଜଳ ପ୍ରକଳ୍ପ କାମ ବର୍ଷେ ମଧ୍ୟରେ ସରିବା କଥା । କିନ୍ତୁ ଏ ପର୍ଯ୍ୟନ୍ତ ତାର ନିର୍ମାଣ କାମ ସରୁନି । ଏହାର କାରଣ କଣ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।  

{"id":63502}

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌର ପରିଷଦରେ ଗତ ୩ ଦିନ ହେଲା ବିଭିନ୍ନ ଓ।ର୍ଡର ଶତାଧତ୍କ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ଗତ ୩ଦିନ ତୁଳନାରେ ଆଜି କମ୍ ରୋଗୀ ମୁଖ୍ୟ ଚିକିତ୍ସାଳୟକୁ ଆସିଥିବା ବେଳେ ପୂର୍ବରୁ ଭର୍ତ୍ତି ହୋଇଥିବା ରୋଗୀ ସୁସ୍ଥ ହୋଇଘରକୁ ଫେରୁଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପକ୍ଷରୁ ପଡୋଶୀ ଜିଲ୍ଲାମାନଙ୍କରୁ ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଇ ରୋଗୀ ଚିକିତ୍ସା କରାଯାଇଥିଲା। ଝାଡାବାନ୍ତି ରୋଗରେ ଆକ୍ରାନ୍ତ ଥିବା ସହରର ବିଭିନ୍ନ ଓ୍ବାର୍ଡକୁ ଏକ ଭ୍ରାମ୍ୟମାଣ ଚିକିତ୍ସା ଟିମ୍ ପଠାଯାଇ ଘରକୁ ଘର ଔଷଧ ବଂଟନ କରାଯାଇ ରୋଗୀମାନଙ୍କୁ ଚିକିତ୍ସା ପ୍ରଦାନ କରାଯିବା ସହ ମଳର ନମୂନା ସଂଗ୍ରହ କରାଯାଇଛି ।ସହରରେ ଝାଡାବାନ୍ତି ରୋଗ ଏବେ ନିୟନ୍ତ୍ରଣାଧୀନ ଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗର ଦୂଷିତ ପାନୀୟ ଜଳ ପାଇଁ ସହରରେ ଏପରି ହୋଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସଠିକ୍ କାରଣ ଜଣାପଡିନାହିଁ । ଫଳରେ ଏବେ ସହରର ସମସ୍ତ ପାନୀୟ ଜଳ ଯୋଗାଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇ ପଡୋଶୀ ଜିଲ୍ଲାମାନଙ୍କରୁ ଆସିଥିବା ପାଣି ଟ୍ୟାଙ୍କର ସାହାଯ୍ୟରେ ସହରର ସମସ୍ତ ଓ୍ବାର୍ଡକୁ ଯୋଗାଇ ଦିଆଯାଉଛି । ତେବେ ଏହାକୁ ନେଇଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରୁ ପାଣିର ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସହରରେ ଥିବା ନଳକୂପ ତଥା ନାଳ ନର୍ଦ୍ଦମା ଦେଇ ଯାଇଥିବା ପାଇପ୍‌ର ତର୍ଜମା କରାଯିବା ସହ ସହରର ଲୋକମାନଙ୍କୁ ଦୂଷିତ ପାଣି ବ୍ୟବହାର ନକରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.