ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଡାଏଲ୍‌ରେ ନୂଆ ନିୟମ: ପ୍ରଥମେ 'ଜିରୋ' ତାପରେ ନମ୍ବର ଦବାଇବାକୁ ହେବ, ପହିଲାରୁ ହେବ ଲାଗୁ

Published By : Prameya-News7 Bureau | November 25, 2020 IST

ନୂଆଦିଲ୍ଲୀ ୨୫/୧୧ : ଲ୍ୟାଣ୍ଡଲାଇନରୁ ମୋବାଇଲକୁ ଫୋନ କରିବାକୁ ହେଲେ ଗ୍ରାହକଙ୍କୁ ଜାନୁଆରୀ ୧ ତାରିଖରୁ ନମ୍ବର ପୂର୍ବରୁ ଜିରୋ (0) ଲଗାଇବାକୁ ହେବ। ଦୂରସଞ୍ଚାର ବିଭାଗ ଏହା ସହ ଜଡିତ ଟ୍ରାଏ (TRAI) ର ପ୍ରସ୍ତାବ ସ୍ୱୀକାର କରିଛି। ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ଏହିଭଳି କଲ ପାଇଁ ନମ୍ବର ପୂର୍ବରୁ ଜିରୋ ଲଗାଇବାକୁ ଚଳିତ ବର୍ଷ ମେ ୨୯ ତାରିଖରେ ସୁପାରିଶ କରିଥିଲା। ଫଳରେ ଦୂର ସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀକୁ ଅଧିକ ନମ୍ବର ତିଆରି କରିବାକୁ ସୁବିଧା ମିଳିବ।

ଦୂର ସଞ୍ଚାର ବିଭାଗ ନଭେମ୍ବର ୨୦ ତାରିଖରେ ଏକ ସର୍କୁଲାର ଜାରି କରିଥିଲା ଯେଉଁଥିରେ ସେ କହିଥିଲା ଯେ ଲ୍ୟାଣ୍ଡଲାଇନରୁ ମୋବାଇଲକୁ ଫୋନ କରିବ ପାଇଁ ଡାଏଲ ତରିକା ବଦଳାଇ ଦିଆଯାଇଛି। ଟ୍ରାଏର ସୁପାରିଶକୁ ସ୍ୱୀକାର କରାଯାଇଛି। ସର୍କୁଲାର ଅନୁଯାୟୀ, ଉକ୍ତ ନିୟମ ଲାଗୁ କରିବ ପରେ ଲ୍ୟାଣ୍ଡଲାଇନରୁ ମୋବାଇଲକୁ କଲ କରିବାକୁ ନମ୍ବର ପୂର୍ବରୁ ଶୂନ ଡାଏଲ କରିବାକୁ ହେବ। ଦୂରସଞ୍ଚାର ବିଭାଗ କହିଛି ଯେ କମ୍ପାନୀଗୁଡିକୁ ଲ୍ୟାଣ୍ଡଲାଇନର ସମସ୍ତ ଗ୍ରାହକଙ୍କୁ ଶୂନ ଡାଏଲ କରିବା ସୁବିଧା ଦେବାକୁ ହେବ। ଏହି ସୁବିଧା ବର୍ତ୍ତମାନ ନିଜ ଅଞ୍ଚଳରୁ ବାହାର ଅଞ୍ଚଳକୁ କଲ କରିବା ପାଇଁ ପାଇଁ ଉପଲବ୍ଧ।

ସର୍କୁଲାରରେ ଆଗକୁ କୁହାଯାଇଛି ଯେ, ଫିକ୍ସଡ ଲାଇନ ସ୍ୱିଚରେ ଉପଯୁକ୍ତ ଘୋଷଣା କରାଯାଉ ଯାହାଦ୍ୱାରା ଫିକ୍ସଡ ଲାଇନ ସବ୍ସକ୍ରାଇବର୍ସଙ୍କୁ ସମସ୍ତ ଫିକ୍ସଡରୁ ମୋବାଇଲ କଲ ପାଇଁ ନମ୍ବର ପୂର୍ବରୁ ଜିରୋ ଡାଏଲ କରିବା ଆବଶ୍ୟକତା ସମ୍ପର୍କରେ କୁହାଯାଉ।

ଦୂର ସଞ୍ଚାର କମ୍ପାନୀକୁ ଏହି ନୂଆ ବ୍ୟବସ୍ଥା ଆପଣେଇବା ପାଇଁ ଜାନୁଆରୀ ୧ ତାରିଖ ଯାଏଁ ସମୟ ଦିଆଯାଇଛି। ନମ୍ବର ଡାଏଲ କରିବାର ଏହି ପରିବର୍ତ୍ତନ ଫଳରେ ଦୂର ସଞ୍ଚାର କମ୍ପାନୀକୁ ମୋବାଇଲ ସେବା ପାଇଁ ୨୫୪.୪ କୋଟି ଅତିରିକ୍ତ ନମ୍ବର ସୃଜିତ କରିବାକୁ ସୁବିଧା ମିଳିବ। ଏହା ଭବିଷ୍ୟତର ଆବଶ୍ୟକତା ପୁରା କରିବାକୁ ସାହାଯ୍ୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.