ପୁଣି କେନ୍ଦ୍ରରେ ମନ୍ତ୍ରୀ ହେବେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଲା କଲ୍
29/05/2019 at 7:56 PM

ଭୁବନେଶ୍ବର ୨୯।୫: ଆସନ୍ତା କାଲି ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ କେନ୍ଦ୍ରମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଚଳିତଥର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡିଶାରୁ ଅନ୍ୟୁନ ୩ ଜଣଙ୍କୁ ମନ୍ତ୍ରୀପଦ ମିଳିବ ବୋଲି ଆଶା କରାଯାଉଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନ ପୁଣି ମନ୍ତ୍ରୀହେବେ ବୋଲି ସୂଚନା ମିଳିଛି । ଏଥି ନିମନ୍ତେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟେଲିଫୋନ କଲ ଆସିଥିବା ସୂଚନା ମିଳିଛି ।

ଚଳିତ ନିର୍ବାଚନରେ ଓଡିଶାରୁ ବିଜେପିର ୮ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ସାଙ୍ଗଠନିକ ଦକ୍ଷତା ଓ ମୋଦିଙ୍କ ଲହର ଯୋଗୁ ବିଜେପିକୁ ରାଜ୍ୟରେ ଏହି ସଫଳତା ମିଳିଥିବା ବିଚାର କରାଯାଉଛି । ମୋଦିଙ୍କର ପ୍ରଥମ ପାଳି ସରକାରରେ ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଥିଲେ। ପରବର୍ତ୍ତି ସମୟରେ ତାଙ୍କୁ କ୍ୟାବିନେଟ୍ ପାହ୍ୟା ମଧ୍ୟ ମିଳିଥିଲା।

ସେପଟେ ଗୁଜରାଟ ଗାନ୍ଧି ନଗରରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ବିଜେପି ଜାତୀୟ ସଭାପତି ଅମିତ ଶାହ ପ୍ରତିରକ୍ଷା ମନ୍ତ୍ରୀ ହୋଇ ପାରନ୍ତି ବୋଲି ଆଲୋଚନା ହେଉଥିଲା। ଏଭଳି ହେଲେ ଧର୍ମେନ୍ଦ୍ର ପ୍ରଧାନ ବିଜେପି ଜାତୀୟ ସଭାପତି ଦାୟିତ୍ବ ସମ୍ଭାଳିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ତେବେ ଯାହା ସୂଚନା ମିଳୁଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଅମିତ ଶାହଙ୍କୁ ସ୍ଥାନ ମିଳି ନପାରେ। ପୂର୍ବପରି ଶାହ ଦଳର ଜାତୀୟ ସଭାପତି ଦାୟିତ୍ବରେ ରହିବେ। ତେବେ ଅଋଣ ଜୈଟଲୀ ତାଙ୍କୁ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ବେଳେ ମୋଦି ଆଜି ସନ୍ଧ୍ୟାରେ ତାଙ୍କ ବାସଭବନକୁ ଯାଇ ଜୈଟଲୀଙ୍କୁ ଭେଟିଛନ୍ତି। ସାକ୍ଷାତ ଆଲୋଚନାରେ ଜୈଟଲୀ ସ୍ବାସ୍ଥ୍ୟଗତ କାରଣରୁ କେନ୍ଦ୍ରମନ୍ତ୍ରୀ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।