ଦୁବାଇରେ ବିକ୍ରି ହେବ ଧୋନୀଙ୍କ ଫାର୍ମ ହାଉସ୍‌ର ପରିବା, ଚାହିଦା ବଢିବା ପରେ ଝାଡଖଣ୍ଡ ସରକାରଙ୍କ ନିଷ୍ପତ୍ତି

Published By : Prameya-News7 Bureau | January 02, 2021 IST

ରାଞ୍ଚୀ,୦୨/୦୧:  ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପରିବାର ସହ ଅଧିକ ସମୟ ବିତାଉଛନ୍ତି । ସମୟ ଅତିବାହିତ ପାଇଁ ସେ ନିଜ ଫାର୍ମ ହାଉସରେ ପନିପରିବା ଚାଷ ମଧ୍ୟ କରୁଛନ୍ତି । ଏବେ ତାଙ୍କ ଫାର୍ମ ହାଉସରୁ ଉତ୍ପନ୍ନ ପନିପରିବା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଛି । ଏହି ପରିବାକୁ ଦୁବାଇ ପଠାଇବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି ।  ଝାଡଖଣ୍ଡ କୃଷି ବିଭାଗ ଧୋନୀଙ୍କ ପରିବାକୁ ବିଦେଶ ପଠାଇବା ପାଇଁ ଦାୟିତ୍ୱ ନେଇଛି ।

ଅଲ୍ ସିଜିନ୍ ଫାର୍ମ ଫ୍ରେସ୍ ଏଜେନ୍ସି ଧୋନୀଙ୍କ ପରିବାକୁ ବିଦେଶରେ ବିକ୍ରି କରିବ । ଏହା ସେହି ଏଜେନ୍ସି ଯାହା ସାହାଯ୍ୟରେ କୃଷି ବିଭାଗ ପରିବାକୁ ରପ୍ତାନୀ କରିବ । ବଜାର ସମିତିର ସଚିବ ଅଭିଷେକ ଆନନ୍ଦ କହିଛନ୍ତି ଯେ, ସରକାର ନୂଆ ପ୍ରକଳ୍ପ ହିସାବରେ କାମ କରୁଛନ୍ତି । ଧୋନୀ ଜଣେ ବ୍ରାଣ୍ଡ୍ । ତାଙ୍କ ପରିବା ସହ ଝାଡଖଣ୍ଡନ ନାଁ ଯୋଡିହେଲେ ଏହା କୃଷକଙ୍କୁ ଫାଇଦା ଦେବ । ଆହୁରି ଅନେକ ଏଜେନ୍ସି ଧୋନୀଙ୍କ ପରିବାକୁ ଅନ୍ୟ ଦେଶରେ ବିକ୍ରି କରିବା ପାଇଁ ଆଗକୁ ଆସିଛନ୍ତି ।

ସୂଚନାଯୋଗ୍ୟ, ଧୋନୀଙ୍କ ଫାର୍ମ ହାଉସ୍ ରିଙ୍ଗ୍ ରୋଡ୍ ସେମ୍ବୋ ଗାଁରେ ଅବସ୍ଥିତ । ୪୩ ଏକର ବିଶିଷ୍ଟ ଏହି ଫାର୍ମ ହାଉସରେ ୧୦ ଏକରରେ ଷ୍ଟ୍ରବେରୀ, କୋବି, ଟମାଟୋ, ବ୍ରୋକଲୀ, ମଟର, ଅମୃତଭଣ୍ଡା ଆଦି ଚାଷ ହେଉଛି । ଧୋନୀଙ୍କ ଫାର୍ମ ହାଉସର କୋବି, ଟମାଟୋ, ମଟରର ରାଞ୍ଚୀ ବଜାରରେ  ଚାହିଦା ଅଧିକ ରହିଛି ।

ସୂଚନାଯୋଗ୍ୟ, ଦୁବାଇରେ ଧୋନୀଙ୍କର ଭଲ ଫ୍ୟାନ୍ ରହିଛନ୍ତି । ଯେବେ ବି ଭାରତୀୟ ଦଳ ଦୁବାଇରେ ମ୍ୟାଚ୍ ଖେଳିଛି ସେତେବେଳେ ଧୋନୀଙ୍କ ଫ୍ୟାନରେ ଷ୍ଟାଡିୟମ ଭରପୁର ହୋଇଯାଇଛି । ଏବେ ମାହି ପରିବାର ସହ ନୂଆବର୍ଷ ପାଇଁ ଦୁବାଇରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.