ଆଇପିଏଲରେ ସିଏସକେକୁ ଚାମ୍ପିଅନ କରାଇଥିଲେ, ଏବେ ଏହି ଦଳର ନେତୃତ୍ଵ ନେବେ ଋତୁରାଜ

Published By : Prameya-News7 Bureau | October 26, 2021 IST

ନୂଆଦିଲ୍ଲୀ ୨୬।୧୦: ଆଇପିଏଲ ୨୦୨୧ରେ ଦମଦାର ପ୍ରଦର୍ଶନ କରିଥିବା ଋତୁରାଜ ଗାଏକଓ୍ଵାଡ ଏବେ ଘରୋଇ କ୍ରିକେଟ୍‌ରେ ନିଜର ଜଲଓ୍ଵା ଦେଖାଇବାକୁ ପ୍ରସ୍ତୁତ। ଋତୁରାଜ ଆସନ୍ତା ମାସରୁ ଆରମ୍ଭ ହେଉଥିବା ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମହାରାଷ୍ଟ୍ର ଦଳର ନେତୃତ୍ଵ ନେଉଛନ୍ତି। ମହାରାଷ୍ଟ୍ରକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଏଲିଟ୍ ଗ୍ରୁପ-ଏରେ ରଖାଯାଇଛି। ଦଳର ପ୍ରଥମ ମ୍ୟାଚ୍ ତାମିଲନାଡୁ ବିପକ୍ଷରେ ରହିଛି।

ଅନୁଭବୀ ବ୍ୟାଟସମ୍ୟାନ କେଦାର ଯାଦବଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ନୌଶାଦ ଶେଖଙ୍କୁ ଦଳର ଉପ ଅଧିନାୟକ କରାଯାଇଛି। ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ(କେକେଆର) ପାଇଁ ଖେଳୁଥିବା ରାହୁଲ ତ୍ରିପାଠୀ ଆଇପିଏଲ ଫାଇନାଲ୍‌ରେ ଲାଗିଥିବା ଆହତରୁ ମୁକୁଳି ପାରି ନାହାନ୍ତି। ତେଣୁ ତାଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ।

ଉଲ୍ଲେଖନୀୟ ଚେନ୍ନାଇ ସୁପରକିଙ୍ଗ୍ସର ଓପନର ଋତୁରାଜ ଗାଏକଓ୍ଵାଡ ଆଇପିଏଲରେ ଏହି ସିଜିନରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ତଥା ଅରେଞ୍ଜ କ୍ୟାପ୍ ଅଧିକାରୀ। ସେ ୧୬ଟି ମ୍ୟାଚ୍‌ରେ ୪୫.୩୩ ହାରରେ ଏବଂ ୧୩୬.୨୬ ଷ୍ଟ୍ରାଇକ୍ ରେଟ୍‌ ୬୩୫ ରନ କରିଛନ୍ତି। ଏଥିରେ ଗୋଟିଏ ଶତକ ଏବଂ ଚାରି ଅର୍ଦ୍ଧଶତକ ସାମିଲ୍।

ଗାଏକଓ୍ଵାଡଙ୍କୁ ଚଳିତ ବର୍ଷ  ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତରେ ସ୍ଥାନ ମିଳିଥିଲା। ଏହି ଗସ୍ତରେ  ଋତୁରାଜଙ୍କୁ ଟି-୨୦ରେ ପଦାର୍ପଣ କରିବାର ସୁଯୋଗ ମିଳିଥିଲା। ହେଲେ ୨୪ ବର୍ଷୀୟ ଋତୁରାଜ ଏହି ସମୟରେ କେବଳ ୩୫ ରନ କରିପାରିଥିଲେ। ଏବେ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ନିଜର ଦାବିଦାର ମଜବୁତ କରିବାକୁ ଚାହିଁବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.