'ପରାଜୟକୁ ଭୁଲିଯିବା ଜରୁରୀ, କିନ୍ତୁ ଖେଳରୁ ଶିକ୍ଷା ଲାଭ କରିବୁ', ରାଜସ୍ଥାନଠୁ ହାରିବା ପରେ ଧୋନୀଙ୍କ ପ୍ରତିକ୍ରିୟା

Published By : Prameya-News7 Bureau | October 03, 2021 IST

ନୂଆଦିଲ୍ଲୀ, ୦୩/୧୦:  ଆଇପିଏଲର ୪୭ ତମ ମୁକାବିଲାରେ ରାଜସ୍ଥାନ ଓ ଚେନ୍ନାଇ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ୍ ଲଢେଇ । ଷ୍ଟାଡିୟମରେ ରନର ବର୍ଷା। ଚଳିତ ସଂସ୍କରଣର ଦ୍ଵିତୀୟ ସିଜିନରେ ଏହି ମ୍ୟାଚ୍‌ରେ ହିଁ ଦେଖିବାକୁ ମିଳିଛି ଛକା-ଚୌକା ବର୍ଷା। ଯଶସ୍ଵୀ ଜୟଶଓ୍ଵାଲ ଓ ଶିବମ ଦୁବେଙ୍କ ଧୁଆଁଧାର ଅର୍ଦ୍ଧଶତକ ଆଗରେ ଫିକା ପଡିଥିଲା ଚେନ୍ନାର ଓପନର ଋତୁରାଜ ଗାଏଓ୍ଵାର୍ଡଙ୍କ ବିସ୍ଫୋରକ ଶତକ। ନିଜ ପାଇଁ କର ବା ମର ସଦୃଶ ଥିବା ଏହି ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଥିବା ଚେନ୍ନାଇ ସୁପରକିଙ୍ଗ୍ସକୁ ୭ ଓ୍ଵିକେଟ୍‌ରେ ପରାସ୍ତ କରିବାରେ ସକ୍ଷମ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରି ଋତୁରାଜ ଗାଏକଓ୍ଵାଡଙ୍କ ଅପରାଜିତ(୧୦୧) ଶତକ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ୪ ଓ୍ଵିକେଟ୍ ହରାଇ ୧୮୯ ରନର ବଡ ସ୍କୋର କରିଥିଲା। ଜବାବରେ ଯଶସ୍ଵୀ ଜୟଶଓ୍ଵାଲ(୫୦) ଓ ଶିବମ ଦୁବେଙ୍କ ଅପରାଜିତ ୬୪ ରନ ବଳରେ ୧୭.୩ ଓଭରରେ ୩ ଓ୍ଵିକେଟ୍ ହରାଇ ରାଜସ୍ଥାନ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଏହି ବିଜୟ ସହ ରାଜସ୍ଥାନ ରୟାଲ୍ସ ଟୂର୍ଣ୍ଣାମେଣ୍ଟରେ ପ୍ରତ୍ୟାବର୍ତ୍ତନ କରି ପ୍ଲେଅଫ ଦୌଡରେ ନିଜର ଆଶା ଉଜ୍ଜିବୀତ ରଖିଛି। 

ମ୍ୟାଚରେ ପରାସ୍ତ ହେବା ପରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କର ବା ମର ସ୍ଥିତିରେ ଏପରି ଭାବେ ଗୋଟିଏ ଦଳ ଖେଳିପାରେ । ପରାଜୟକୁ ଭୁଲିଯିବା ଜରୁରୀ କିନ୍ତୁ ଏଥିରୁ ଅନେକ କିଛି ଶିକ୍ଷାଲାଭ ମିଳେ ।ପ୍ରଥମେ ଟସ୍ ହାରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ ରୟାଲ୍ସ ବ୍ୟାଟସମ୍ୟାନ୍ ଭଲ ଖେଳିଥିଲେ ।

ଧୋନୀ ଆହୁରି କହିଛନ୍ତି ଯେ, ପଡିଆରେ କାକର ଥିଲା । ବଲ୍ ମଧ୍ୟ ଭଲ ପଡୁଥିଲା । ଏହା ସତ୍ତ୍ୱେ ଭଲ ବ୍ୟାଟିଂର ଆବଶ୍ୟକତା ରହିଥିଲା । ଯାହା ରୟାଲ୍ସ ବ୍ୟାଟସମ୍ୟାନ୍ କରି ଦେଖାଇଥିଲେ । ପ୍ରଥମରୁ ରୟାଲ୍ସ ବ୍ୟାଟସମ୍ୟାନଙ୍କୁ ଚେନ୍ନାଇ ବୋଲର ଅଳ୍ପ ସମୟ ପାଇଁ ନିୟନ୍ତ୍ରଣରେ ରଖିଥିଲେ । ପରେ କିନ୍ତୁ ପରିସ୍ଥିତି ବଦଳି ଯାଇଥିଲା ।  ଏହାସହ ସେ ଖେଳରେ ଡାଏନ ବ୍ରାଭୋ ଓ ଦୀପକ ଚହରଙ୍କୁ ମିସ୍ କରୁଥିବା ମଧ୍ୟ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.