ଆଇପିଏଲ ୨୦୨୧ : ଶାରଜାହରେ ମୁହାଁମୁହିଁ ହେବେ ଧୋନୀ ଓ ବିରାଟ

Published By : Prameya-News7 Bureau | September 24, 2021 IST

ଶାରଜାହ,୨୪/୦୯: ଆଇପିଏଲ୍‌ର ୩୫ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇବା ପରେ ସୁପରକିଙ୍ଗ୍‌ସର ନଜର ଏବେ କୋହଲି ବାହିନୀ ଉପରେ । ବିଜୟ ଜାରି ରଖି ପୁନର୍ବାର ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବା ପାଇଁ ସୁପରକିଙ୍ଗ୍‌ସ ପ୍ରୟାସ କରିବ ।ଅପର ପକ୍ଷରେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ପାଇଁ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି ।

ଏପ୍ରିଲ ୨୫ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ମୁକାବିଲା ଖେଳାଯାଇଥିଲା । ଏହି ମ୍ୟାଚ୍‌ରେ ସୁପରକିଙ୍ଗ୍‌ସ ୬୯ ରନ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ପରାସ୍ତ କରିଥିଲା । ରୟାଲ୍‌ ଚ୍ୟାଲେଞ୍ଜର୍ସ ଏଥର ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟକୁ ଫେରିବା ପାଇଁ ପ୍ରସ୍ତୁତ । ଚମତ୍କାର ବିଜୟ ସହ ଦ୍ୱିତୀୟାର୍ଦ୍ଧ ଆରମ୍ଭ କରିଥିବା ସୁପରକିଙ୍ଗ୍‌ସ ଶୁକ୍ରବାର ଏକ ସନ୍ତୁଳିତ ଦଳ ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ । ଅମ୍ବାତି ରାୟୁଡୁ ଆହତ ଅଛନ୍ତି । ତାଙ୍କ ସ୍ଥାନରେ ରବିନ ଉଥପ୍ପାଙ୍କୁ ଏକାଦଶରେ ସୁଯୋଗ ମିଳିବା ଆଶା କରାଯାଉଛି । ବାକି ଦଳ ଅପରିବର୍ତ୍ତିତ ରହିବା ନିଶ୍ଚିତ ।

ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିବା ଓପନିଂ ବ୍ୟାଟ୍ସମ୍ୟାନ୍‌ ଋତୁରାଜ ଗାଏକୱାଡ୍‌ ନଜରରେ ରହିବେ। ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ବିଶେଷ କରି ବ୍ୟାଟିଂ ବିଭାଗ ଦଳ ପାଇଁ ଚିନ୍ତାର ବିଷୟ ହୋଇଛି । କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଦଳ ମାତ୍ର ୯୨ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଏବି ଡି ଭିଲର୍ସ ଓ ଗ୍ଲେନ ମ୍ୟାକ୍ସୱେଲ ଫର୍ମକୁ ଫେରିଲେ ରୟାଲ୍‌ ଚ୍ୟାଲେଞ୍ଜର୍ସର ବିଜୟ ସହଜ ହେବ ।

କୋହଲିଙ୍କ ପାଇଁ ଆଉ ଏକ ରେକର୍ଡ ଅପେକ୍ଷା କରି ରହିଛି । ଶୁକ୍ରବାର ୬୬ ରନ୍‌ କଲେ ସେ ପ୍ରଥମ ଭାରତୀୟ ଭାବେ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ୧୦,୦୦୦ ରନ୍‌ ପୂରଣ କରିବେ । ପୂର୍ବରୁ କ୍ରିସ୍‌ ଗେଲ୍‌, କିରେନ ପୋଲାର୍ଡ, ସୋହେବ ମାଲିକ ଓ ଡେଭିଡ ୱାର୍ଣ୍ଣର ୧୦,୦୦୦ ଟି-ଟ୍ୱେଣ୍ଟି ରନ୍‌ କ୍ଲବ୍‌ରେ ସ୍ଥାନ ପାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.