ପାରିପାର୍ଶ୍ୱିକ ଉନ୍ନୟନ କ୍ଷେତ୍ରରେ ନିରାଶ କରୁଛନ୍ତି ଶିଳ୍ପାନୁଷ୍ଠାନ, ପ୍ରତିବାଦରେ ଟାଟାକୁ ଘେରିବ କ୍ଷତିଗ୍ରସ୍ତ ପ୍ରଜା ସଂଘ

Published By : Prameya-News7 Bureau | July 03, 2021 IST

ଢେଙ୍କାନାଳ, ୦୩/୦୭: ଢେଙ୍କାନାଳରେ ଗଢ଼ି ଉଠିଥିବା ଶିଳ୍ପାନୁଷ୍ଠାନ ଗୁଡିକ ପାରିପାର୍ଶ୍ବିକ ଉନ୍ନୟନ କ୍ଷେତ୍ରରେ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛନ୍ତି । ବିଶେଷ କରି ଢେଙ୍କାନାଳରେ ଜିଏମ୍ ଆର, ନବଭାରତ, ଏମଜିଏମ୍, ବିଆରଜି ଓ ଟାଟା ଷ୍ଟିଲ ବିଏସଏଲ ପରି ଅନେକ ଶିଳ୍ପାନୁଷ୍ଠାନ ଗଢି ଉଠିଛନ୍ତି । ତେବେ ଏହି କାରଖାନା ଗୁଡିକ ଗଢି ଉଠିଥିବା ଶିଳ୍ପାଞ୍ଚଳ ଗୁଡିକରେ କାରଖାନା ପାଇଁ ଜମିବାଡ଼ି ହରାଇଥିବା କ୍ଷତିଗ୍ରସ୍ତ ଅଂଚଳର ଲୋକମାନଙ୍କୁ ଦେଇଥିବା ପ୍ରତିଶୃତି ମୁତାବକ ନିଯୁକ୍ତି, ଶିକ୍ଷା, ସ୍ୱାସ୍ଥ୍ୟ ପାନୀୟ ଜଳ ଆଦି ମୌଳିକ ସମସ୍ୟା ପୁରଣ କରିବାରେ କାରଖାନା ମାନେ ବିଫଳ ହୋଇଛନ୍ତି ।

ଏପରି ସ୍ଥଳେ ଭୂଷଣ ଷ୍ଟିଲ ପରି ବୃହତ କାରଖାନାକୁ ଟାଟା ପରି କମ୍ପାନୀ ନେବା ପରେ ସ୍ଥାନୀୟ ଲୋକମାନେ ଅନେକ ଆଶା ବାନ୍ଧି ବସିଥିଲେ । ମାତ୍ର ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ହେଉ ବା ସ୍ୱାସ୍ଥ୍ୟ ସମସ୍ୟା ସମାଧାନ ହେଉ କିମ୍ୱା ସ୍ଥାନୀୟ ଅଞ୍ଚଳର ଟ୍ରକ ମାଲିକ ମାନଙ୍କୁ ମାଲ ପରିବହନ ସୁବିଧା କ୍ଷେତ୍ରରେ ଟାଳଟୁଳ ନୀତି ଯୋଗୁଁ ପାରିପାର୍ଶ୍ବିକ  ଉନ୍ନୟନ କ୍ଷେତ୍ରରେ ନିରାଶ କରିଯାଉଛି ବୋଲି ଅଭିଯୋଗ ଉଠାଇଛନ୍ତି ସ୍ଥାନୀୟ ଲୋକେ ।

ଫଳରେ ସ୍ଥାନୀୟ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ଓ ବ୍ରାହ୍ମଣୀ ଟ୍ରକ ମାଲିକ ସଂଘ ପକ୍ଷରୁ ଶନିବାର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ମୁତାବକ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ୭ଦଫା ଦାବି ଜିଲ୍ଲାପାଳ, ବିଧାୟକ ଓ କାରଖାନା କତ୍ତୃପକ୍ଷଙ୍କ ଉଦେଶ୍ୟରେ ପଠାଇ ଆସନ୍ତା ଅଗଷ୍ଟ ୩ତାରିଖରେ ଟାଟା ଷ୍ଟିଲ ବିଏସଏଲ କାରଖାନା ଫାଟକ ଆଗରେ ଆନ୍ଦୋଳନ କରିବାପାଇଁ ଚେତାବନୀ ଦେଇଛି ସଂଘ । ଏ ସମ୍ପର୍କରେ ଶନିବାର ଏକ ପ୍ରେସମିଟ ମାଧ୍ୟମରେ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜା ସଂଘ ଓ ବ୍ରାହ୍ମଣୀ ଟ୍ରକ ମାଲିକ ସଂଘ ପକ୍ଷରୁ ଗଣମଧ୍ୟମକୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.