କୋଭିଡ ସଂକ୍ରମିତ ଓ ମୃତକଙ୍କ ପରିବାର ପାଇଁ ଅଣ୍ଟା ଭିଡ଼ିଲେ ସାଂସଦ, ଦୁଇଟି ଆମ୍ବୁଲାନ୍ସ ଓ ଦୁଇଟି ଶବ ବୁହା ଗାଡ଼ିର କଲେ ଲୋକାର୍ପଣ

Published By : Prameya-News7 Bureau | June 06, 2021 IST

ଢେଙ୍କାନଳ, ୦୬/୦୬: କୋଭିଡ ସଂକ୍ରମିତ ଓ ମୃତକଙ୍କ ପରିବାର ପାଇଁ ଅଣ୍ଟା ଭିଡ଼ିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଏପରିକି ରବିବାର ଅବିଭକ୍ତ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାବାସୀଙ୍କ ପାଇଁ ଦୁଇଟି ଆମ୍ବୁଲାନ୍ସ ଓ ଦୁଇଟି ଶବ ବୁହା ଗାଡିକୁ ଲୋକାର୍ପିତ କରିଛନ୍ତି ଢେଙ୍କାନାଳର ସାଂସଦ।

ସୂଚନା ଥାଉକି, ମହାମାରୀ କୋଭିଡ ସଂକ୍ରମଣ ଓ ମୃତ୍ୟୁ ଜନିତ ସଂଖ୍ୟା କ୍ରମଶଃ ବୃଦ୍ଧି ଘଟୁଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏସବୁ ମଧ୍ୟରେ କୋଭିଡ ସଂକ୍ରମିତ ମାନଙ୍କୁ ତୁରନ୍ତ ଡାକ୍ତରଖାନା ବା ମୃତକ ମାନଙ୍କୁ ନେବା ହେଉ, ଆମ୍ବୁଲାନ୍ସ ଓ ଶବ ବୁହା ଗାଡି ପାଇଁ ଉକ୍ତ ପରିବାର ଗୁଡିକ ନାହିଁ ନଥିବା ହନ୍ତ ସନ୍ତ ହେଉଥିବା ଦେଖାଯାଉଛି । ଫଳରେ ଏପରି ପରିସ୍ଥିତିର ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ତାଙ୍କ ସାଂସଦ ପାଣ୍ଠିରୁ ଉଭୟ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର କୋଭିଡ ସଂକ୍ରମିତ ଓ ମୃତକଙ୍କ ପାଇଁ  ୧୧ଲକ୍ଷ ବିନିମୟରେ ଦୁଇଟି ଆମ୍ବୁଲାନ୍ସ ଓ ୪ଲକ୍ଷ ୪୦ହଜାର ଟଙ୍କାର ଦୁଇଟି ଶବ ବୁହା ଗାଡି ଶାନ୍ତି ରଥ ପ୍ରଦାନ କରିଛନ୍ତି ।

ଏହି ଉପଲକ୍ଷେ ଆଜି ସ୍ଥାନୀୟ ବଳରାମ ମନ୍ଦିର ଠାରେ ଆମ୍ବୁଲାନ୍ସ ଓ ଶାନ୍ତି ରଥର ଲୋକାର୍ପଣ କରିଛନ୍ତି ସାଂସଦ ମହେଶ ସାହୁ । ଏଥିରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଜାତରାଣୀ ମିଶ୍ର ଓ ଅନ୍ୟ ସରକାରୀ ପଦାଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ସେ ଜିଲ୍ଲା ସାମ୍ବାଦିକ ସଂଘକୁ ଦୁଇଟି ସାନିଟାଇଜର ସ୍ପ୍ରେଅର ପ୍ରଦାନ ମଧ୍ୟ କରିଛନ୍ତି । ସ୍ୱଳ୍ପ ମୂଲ୍ୟରେ ଏହି ଆମ୍ବୁଲାନ୍ସ ଓ ଶାନ୍ତି ରଥକୁ କୋଭିଡ ସଂକ୍ରମିତ ଓ ମୃତକ ପରିବାର ବ୍ୟବହାର କରିପାରିବେ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.