ଢେଙ୍କାନାଳ ମଣ୍ଟୁ ପାତ୍ର ହତ୍ୟାକାଣ୍ଡର ଉନ୍ମୋଚନ ପାଇଁ ସହାୟକ ହୋଇଥିଲା ସ୍ତ୍ରୀ ଅରୁଣା ଛାତିରେ ସୋନୁ ବୋଲି ଲେଖାଥିବା ଟାଟୁ

Published By : Prameya-News7 Bureau | October 21, 2018 IST

ଢେଙ୍କାନାଳ ୨୧/୧୦ : ଢେଙ୍କାନାଳ ମଣ୍ଟୁ ପାତ୍ର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ କୁମାରକୁ ପୋଲିସ କୋର୍ଟ ଚାଲାଣ କରିଛି | ଢେଙ୍କାନାଳ ସୁନା କାରିଗର ମଣ୍ଟୁ ପାତ୍ର ହତ୍ୟା ଘଟଣାରେ ପୋଲିସ ପ୍ରଥମେ ମଣ୍ଟୁ ପାତ୍ରଙ୍କ ସ୍ତ୍ରୀ ଅରୁଣା ପାତ୍ରଙ୍କୁ ଗିରଫ କରିବା ପରେ ଏବେ ଅରୁଣାର ପ୍ରେମିକ ଯବାନ ସଞ୍ଜୟକୁ ଗିରଫ କରିଥିଲା | ସଞ୍ଜୟ କୁମାର ହରିୟାଣାର ଯାମୁଲନଗର ଜିଲ୍ଲା ବୋରିଆ ଥାନା ଅନ୍ତର୍ଗତ ତେଲିପୁର ଗାଁର | ସଞ୍ଜୟର ଡାକ ନାମ 'ସୋନୁ' | ସେ ସାମରିକ ଯବାନ ଭାବେ ଆସାମର ଦେଵରୂଗଡ଼ରେ କାର୍ଯ୍ୟରତ ଥିଲା | ଫେସବୁକରେ ଅରୁଣା ଓ ସଞ୍ଜୟ (ସୋନୁ) ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିବା ପରେ ଅରୁଣା ନିଜ ଡାହାଣ ପଟ ବକ୍ଷରେ ଟାଟୁ କରି 'ସୋନୁ' ବୋଲି ଲେଖିଥିଲେ | ହତ୍ୟାକାଣ୍ଡର ତଦନ୍ତ ବେଳେ ଏହି ଟାଟୁ ହିଁ ପୋଲିସ ପାଇଁ ପ୍ରଥମ ସୁରାକ ଯୋଗେଇଥିଲା ବୋଲି ଢେଙ୍କାନାଳ ଏସପି କହିଛନ୍ତି | ସେପ୍ଟେମ୍ବର ୩ ତାରିଖରେ ଢେଙ୍କାନାଳର ପଟ୍ଟନାୟକ ଗଳିରେ ଭଡ଼ାଘରେ ରହୁଥିବା ମଣ୍ଟୁ ପାତ୍ରଙ୍କୁ ଦିନ ଦ୍ବିପ୍ରହରରେ ନିଜ ଶୋଇବାଘରେ ଅତି ନିର୍ମମ ଭାବେ ହାନି ହତ୍ୟା କରାଯାଇଥିଲା | ମଣ୍ଟୁ ପାତ୍ରଙ୍କ ହତ୍ୟା ଖବର ପାଇବାପରେ ପଶ୍ଚିମବଙ୍ଗରେ ରହୁଥିବା ମଣ୍ଟୁ ପାତ୍ରଙ୍କ ବଡଭାଇ ଓ ପରିବାର ଲୋକେ ଢେଙ୍କାନାଳ ଆସିଥିଲେ | ସେମାନେ ପୋଲିସକୁ କହିଥିଲେ ଯେ, ମଣ୍ଟୁ ପାତ୍ରଙ୍କ ହତ୍ୟା ଘଟଣା ପଛରେ ମଣ୍ଟୁଙ୍କ ସ୍ତ୍ରୀ ଅରୁଣାର ହାତ ଥାଇପାରେ | କାରଣ ଅରୁଣାର ପରକୀୟା ସମ୍ପର୍କକୁ ନେଇ ମଣ୍ଟୁ ଓ ଅରୁଣା ମଧ୍ୟରେ ଝଗଡା ହେଉଥିବା ପରିବାର ଲୋକେ ଜାଣିଥିଲେ | ଏପରିକି ଅରୁଣା ନିଜ ପ୍ରେମିକର ନାଁ ନିଜ ଛାତିରେ ଟାଟୁ କରି ଲେଖିଥିବା ପୋଲିସକୁ ସୂଚନା ଦେଇଥିଲେ | ଏହି ସୂଚନା ଆଧାରରେ ମହିଳା ପୋଲିସଙ୍କ ଦ୍ୱାରା ଅରୁଣାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ଯାଞ୍ଚ କରାଯାଇଥିଲା ଏବଂ ଏହା ସତ୍ୟ ବୋଲି ଜଣାପଡିଥିଲା | ଫଳରେ ମଣ୍ଟୁ ପାତ୍ର ହତ୍ୟା ଘଟଣା ପାଇଁ ଅରୁଣା ସନ୍ଦେହ ଘେରକୁ ଆସିଥିଲା | ଅନୁସନ୍ଧାନବେଳେ ପୋଲିସକୁ ଆଉ ଏକ ଚାଞ୍ଚଲ୍ୟ ତଥ୍ୟ ମିଳିଥିଲା | ତାହା ହେଉଛି, ଅରୁଣା ୫ଟି ଫେକ ଫେସବୁକ ଆକାଉଣ୍ଟ ଖୋଲି ବିଭିନ୍ନ ପୁରୁଷଙ୍କ ସହ ଚାଟିଙ୍ଗ କରୁଥିଲା | ସେମାନଙ୍କୁ ଆକର୍ଷିତ କରି ପ୍ରେମଜାଲରେ ମଧ୍ୟ ଫସାଇଥିଲା | ଭର୍ଣ୍ଣା ଭଟ୍ଟାଚାର୍ଯ୍ୟ, ସୋନା ଭଟ୍ଟାଚାର୍ଯ୍ୟ ଆଦି ନାମରେ ଏହି ସବୁ ଫେକ ଆକାଉଣ୍ଟ ଥିବା ପୋଲିସ ଜାଣିବାପରେ ଏସବୁକୁ ତନ୍ନା ତନ୍ନା କରି ଯାଞ୍ଚ କରିଥିଲା | ଫେକ ଆକାଉଣ୍ଟ ବିଷୟ ଜାଣିବା ପରେ ହତ୍ୟାକାଣ୍ଡରେ ଅରୁଣାର ସମ୍ପୃକ୍ତି ନେଇ ପୋଲିସର ସନ୍ଦେହ ଆହୁରି ଦୃଢ଼ୀଭୁତ ହୋଇଥିଲା | ଏହାପରେ ପୋଲିସ ଏହି ଫେସବୁକ ଆକାଉଣ୍ଟରୁ ପାଇଥିଲା ତୃତୀୟ ଏବଂ ସବୁଠୁ ଗୁରୁତ୍ୱପୂର୍ଣ ଚାଞ୍ଚଲ୍ୟକର ତଥ୍ୟ ଓ ସୁରାକ | ଏହି ତଥ୍ୟ ଶୁଣିଲେ ଆପଣଙ୍କୁ ଲାଗିବ ଆପଣ ଯେମିତି 'ବି' ଗ୍ରେଡ଼ ସିନେମାର କହାନୀ ଶୁଣୁଛନ୍ତି | ନିଜ ଫେକ ଫେସବୁକ ଆକାଉଣ୍ଟ ମାଧ୍ୟମରେ ଅରୁଣା କଟକର ଜଣେ ଯୁବକଙ୍କୁ ଫସାଇବାରେ ମଧ୍ୟ ସକ୍ଷମ ହୋଇଥିଲା | ସମ୍ପୃକ୍ତ ଯୁବକଙ୍କ ସହ ଚାଟିଙ୍ଗ କରିବା ବେଳେ ନିଜକୁ ଢେଙ୍କାନାଳ କଲେଜରେ ପଢ଼ୁଥିବା ଜଣେ ଯୁକ୍ତ ତିନିର ଛାତ୍ରୀ ବୋଲି ଅରୁଣା ନିଜ ପରିଚୟ ଦେଇଥିଲା | ଚାଟିଙ୍ଗ କରିବା ଭିତରେ ସମ୍ପୃକ୍ତ ଯୁବକ ଅରୁଣା ପ୍ରେମରେ ଏମିତି ପାଗଳ ହୋଇଯାଇଥିଲେ ଯେ, ସେ ଅରୁଣାକୁ ବିବାହ କରିବାକୁ ଚାହୁଁଥିଲେ | ଏ ସମ୍ପର୍କରେ ଯୁବକ ନିଜ ବାପା ମାଙ୍କୁ ମଧ୍ୟ ଜଣାଇଥିଲେ | ଫଳରେ ଯୁବକ ଓ ତାଙ୍କ ବାପା ମା ଅରୁଣାକୁ ଦେଖିବା ପାଇଁ ଢେଙ୍କାନାଳ ଆସିଥିଲେ | ଅରୁଣା ସେମାନଙ୍କୁ ଢେଙ୍କାନାଳର ଏକ ମନ୍ଦିରରେ ସାକ୍ଷାତ କରିଥିଲା | ଯୁବକ ଓ ତାଙ୍କ ବାପା ମାଙ୍କୁ ସାକ୍ଷାତ କରିବାକୁ ଯିବା ପୂର୍ବରୁ ଅରୁଣା ମୁଣ୍ଡରୁ ସିନ୍ଦୁର ପୋଛି, ଡ୍ରେସ ପିନ୍ଧି ନିଜକୁ ଜଣେ ଅବିବାହିତା ଯୁବତୀ ଭଳି ସଜେଇବାକୁ ଭୁଲିନଥିଲା | ସୂଚନାଯୋଗ୍ୟ ଯେ, ଅରୁଣା ବିବାହିତା ଓ ତାର ଦୁଇଟି ପୁଅ ମଧ୍ୟ ଅଛନ୍ତି | ତେବେ ଅରୁଣାକୁ ଦେଖିବାପରେ କୌଣସି କାରଣରୁ ବିବାହ ପାଇଁ ଯୁବକଙ୍କ ପିତା ମାତା ରାଜି ହୋଇନଥିଲେ | ସମ୍ଭବତଃ ଅରୁଣା ସେମାନଙ୍କୁ ଦେଇଥିବା ତଥ୍ୟରେ ତାଳମେଳ ରହୁନଥିବାରୁ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା | ଅରୁଣାର ଫେସବୁକ ଆକାଉଣ୍ଟ ଯାଞ୍ଚ ବେଳେ ପୋଲିସ ସମ୍ପୃକ୍ତ ଯୁବକ ସମ୍ପର୍କରେ ଜାଣିବାକୁ ପାଇଥିଲା | ଫଳରେ ପୋଲିସ ଏହି ଯୁବକଙ୍କୁ ଯୋଗାଯୋଗ ମଧ୍ୟ କରିଥିଲା | ତେବେ ଅତ୍ୟଧିକ ଡରିଯାଇଥିବା କାରଣରୁ ଯୁବକ ପୋଲିସକୁ ଆଭଏଡ଼ କରିବାକୁ ଚେଷ୍ଟା କରିଥିଲେ | ତେବେ ଯୁବକଙ୍କ ପିତା ମାତା ପୋଲିସକୁ ଉପରୋକ୍ତ ସମସ୍ତ ଘଟଣା କହିଥିଲେ | ଏହାପରେ ପୋଲିସ ଫେସବୁକରୁ ମିଳିଥିବା ତଥ୍ୟ ଓ କଲ ଡିଟେଲ ଯାଞ୍ଚ କରି ହତ୍ୟାକାଣ୍ଡରେ ଅରୁଣାର ସମ୍ପୃକ୍ତି ନେଇ ନିଶ୍ଚିତ ହୋଇଯାଇଥିଲା | ଫଳରେ ଆରମ୍ଭ ହୋଇଥିଲା ଅରୁଣାକୁ ଜେରା | ଜେରା ବେଳେ ଅରୁଣା ସତ ଓଗାଳିବା ପାଇଁ ବାଧ୍ୟ ହୋଇଥିଲା ଏବଂ କହିଥିଲା କେମିତି ସେ ସଞ୍ଜୟ ପ୍ରେମରେ ପଡି ନିଜ ସ୍ୱାମୀକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା | ନିଜ ସ୍ୱାମୀକୁ ହତ୍ୟା କରିବା ପଛରେ ମାଷ୍ଟର ମାଇଣ୍ଡ ଥିଲା ଅରୁଣା | ସଞ୍ଜୟ ଏବଂ ଅରୁଣା ବରାବର ଫେସବୁକ, ହ୍ଵାଟ୍ସଆପରେ ଚାଟିଙ୍ଗ କରିବା ସହ ଭିଡିଓ କଲ କରୁଥିଲେ ଏବଂ ଟେଲିଫୋନରେ ମଧ୍ୟ ଘଣ୍ଟା ଘଣ୍ଟା କଥା ହେଉଥିଲେ | ସଞ୍ଜୟକୁ ମଧ୍ୟ ଅରୁଣା ବହୁତ ମିଛକଥା କହିଥିଲା | ସେ ଅବିବାହିତା ଏବଂ ମଣ୍ଟୁ ପାତ୍ର ନାମକ ଜଣେ କାମୁକ ବ୍ୟକ୍ତି ତାକୁ ବିବାହ କରିବା ଲାଗି ଉଦ୍ୟମ କରୁଥିବା ସେ ସଞ୍ଜୟଙ୍କୁ କହିଥିଲା | ଏଥିସହ ମଣ୍ଟୁ ପାତ୍ରକୁ ରାସ୍ତାରୁ ହଟାଇଦେଲେ ସଞ୍ଜୟ ସହ ବିବାହ କରିବାକୁ କିଛି ଅସୁବିଧା ହେବନାହିଁ ବୋଲି ଯହିଁ ଜାଲ ବୁଣିଥିଲେ | ଏହି ଜାଲରେ ସଞ୍ଜୟ ଧରା ଦେଇଥିଲା | କାର୍ଯ୍ୟକ୍ଷେତ୍ର ଦିଵରୂଗଡ଼ରେ ନିଜ ଘରକୁ ଛୁଟିରେ ଯାଇଥିବା ସଞ୍ଜୟ ଅଗଷ୍ଟ ୨ ତାରିଖରେ ଢେଙ୍କାନାଳରେ ପହଂଚି ଶକୁନ୍ତଳା ହୋଟେଲରେ ରହିଥିଲା | ଅଗଷ୍ଟ ୨୮ ତାରିଖରୁ ସେପ୍ଟେମ୍ବର ୩ତାରିଖ ମଧ୍ୟରେ ସଞ୍ଜୟ ମଣ୍ଟୁକୁ ହତ୍ୟା କରିବା ପାଇଁ ଦୁଇଥର ଉଦ୍ୟମ କରି ବିଫଳ ହୋଇଥିଲା | ତେବେ ଶେଷରେ ଅରୁଣା କରିଥିଲା ଶେଷ ଚାଲ | ଯୋଜନା ଅନୁସାରେ ସେପ୍ଟେମ୍ବର ୩ ତାରିଖ ଦିନ ମଣ୍ଟୁର ମଧ୍ୟାହ୍ନ ଭୋଜନରେ ନିଶା ମିଶାଇ ଦେଇଥିଲା ଅରୁଣା | ଖାଇ ସାରିବା ମାତ୍ରେ ମଣ୍ଟୁ ନିଜ ଶୋଇବା ଘରକୁ ଯାଇ ଅଚେତ ପ୍ରାୟ ହୋଇଯାଇଥିଲା | ଏହି ସମୟରେ ଏକ ଧାରୁଆ କାତି ଧରି ସଞ୍ଜୟ ଘର ଭିତରକୁ ଆସି ମଣ୍ଟୁକୁ ନିର୍ମମ ଭାବେ ହାଣି ହତ୍ୟା କରିଥିଲା | ହତ୍ୟାକାଣ୍ଡ ଘଟିବା ବେଳେ ଅରୁଣା ଏବଂ ତାର ଦୁଇ ପୁଅ ମଧ୍ୟ ଘରେ ଥିଲେ | ତେବେ ଘଟଣାସ୍ଥଳରେ ପହଂଚି ପୋଲିସ ଯେତେବେଳେ ପଚାରିଥିଲେ ଯେ, ମଣ୍ଟୁକୁ କିଏ ଓ କେମିତି ହତ୍ୟା କଲା, ସେତେବେଳେ ଅରୁଣା କହିଥିଲା ଯେ, ସେମାନେ ବାରିପଟେ ଥିଲେ | ତେଣୁ କିଏ ହତ୍ୟା କଲା କିଛି ଜାଣିପାରି ନାହାନ୍ତି | ଅରୁଣା ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବୋଲି ପୋଲିସ ମନରେ ସନ୍ଦେହ ସୃଷ୍ଟି ହେବ ପାଇଁ ଏହି ଉତ୍ତର ମଧ୍ୟ ଆଉ ଏକ କାରଣ ଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.