Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ଓଡିଶାରେ ଆୟୁଷ୍ମାନ ଭାରତ ଓ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଲାଗୁ କରିବାକୁ କଲେ ଅନୁରୋଧ

12/09/2020 at 6:44 PM

ଭୁବନେଶ୍ୱର, ୧୨|୦୯ :   ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ରଙ୍କ କହିବା କଥା ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁହେଲେ ଏହି ଯୋଜନାରେ ରାଜ୍ୟର ୬୦ଲକ୍ଷ ଲୋକ ଉପକୃତ ହେବେ । ପ୍ରଥମେ ସୁପ୍ରିମ କୋର୍ଟଙ୍କ ଜବାବ୍‌ ତଲବ ଏବଂ ଏବେ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପରେ ପ୍ରସଙ୍ଗକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା ।

ଓଡ଼ିଶାରେ ଆୟୁଷ୍ମାନ ଭାରତ ଓ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ଆୟୁଷ୍ମାନ ଭାରତ ଲାଗୁହେଲେ ଏହି ଯୋଜନାରେ ରାଜ୍ୟର ୬୦ଲକ୍ଷ ଲୋକ ଉପକୃତ ହେବେ । ଏମିତିକି ରାଜ୍ୟ ବାହାରେ କାମ କରୁଥିବା ପ୍ରବାସୀ ଓ ଦୁର୍ଗମ ଅଂଚଳବାସୀଙ୍କୁ ଏହି ଯୋଜନା ସ୍ବାସ୍ଥ୍ୟ ସୁବିଧା ଯୋଗାଇବା ସହ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଦେଶର ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ବିପ୍ଳବ ଆଣିବ । ତେଣୁ ଏଭଳି ଏକ ଦୂରଦର୍ଶୀ ଯୋଜନାକୁ ଓଡ଼ିଶା ସରକାର ତୁରନ୍ତ ରାଜ୍ୟରେ ଲାଗୁ କରିବା ଉଚିତ୍‌ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୧୯ ନିର୍ବାଚନ ପୂର୍ବରୁ ଦେଶର ଗରିବ ଓ ମଧ୍ୟବିତ୍ତ ପରିବାରଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ଆୟୁଷ୍ମାନ୍‌ ଯୋଜନାର ଶୁଭାରମ୍ଭ କରିଥିଲେ । ହେଲେ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାକୁ ଛାଡ଼ିଦେଲେ ବାକି ସମସ୍ତ ରାଜ୍ୟ ଏହି ଯୋଜନାକୁ ନିଜ ନିଜ ରାଜ୍ୟରେ ଲାଗୁ କରିଛନ୍ତି । ଯେହେତୁ ଓଡ଼ିଶା ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନାଁରେ ଲୋକଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଦେବାକୁ ନିଜସ୍ବ ଯୋଜନା କରିଥିଲେ ତେଣୁ ଆୟୁଷ୍ମାନର ଆବଶ୍ୟକତାକୁ ଗୁରୁତ୍ବ ଦେଇନଥିଲେ । ରାଜ୍ୟ ସରକାରଙ୍କ ଯୁକ୍ତି ଥିଲା ଆୟୁଷ୍ମାନ ଯୋଜନାରେ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ମିଳୁଥିବା ବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ୭ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ମିଳୁଛି । ତେଣୁ କେନ୍ଦ୍ରର ଯୋଜନା ଠାରୁ ରାଜ୍ୟ ସରକାରଙ୍କ ଯୋଜନା ଭଲ । ହେଲେ ପ୍ରଥମେ ସୁପ୍ରିମ୍‌ କୋର୍ଟଙ୍କ ଜବାବ୍‌ ତଲବ ଆଉ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ପରେ ରାଜ୍ୟ ସରକାର କ’ଣ ନିଷ୍ପତ୍ତି ନେଉଛନ୍ତି ତା’ ଉପରେ ରହିଛି ନଜର । ସେପଟେ କିନ୍ତୁ ମଉକା ଦେଖି କଟାକ୍ଷ କରିବାକୁ ପଛାଇ ନାହାନ୍ତି କଂଗ୍ରେସ ନେତା । ବିଜେଡି କହିଛି ଯୋଜନା ସମ୍ପର୍କରେ ବିଚାର ବିମର୍ଶ କରୁଛନ୍ତି ସରକାର ।

ଦୁଇ ଦିନ ତଳେ ଆୟୁଷମାନ ଯୋଜନା ଲାଗୁ ନହେବା ନେଇ ଓଡ଼ିଶା ସମେତ ୪ ରାଜ୍ୟକୁ ଜବାବ୍‌ ତଲବ କରିଛନ୍ତି ସୁପ୍ରିମ୍‌ କୋର୍ଟ । ପି.ଶେଖର ରାଓ ନାମକ ଜଣେ ଆବେଦନକାରୀଙ୍କ ରିଟ୍‌ ପିଟିସନକୁ ଗ୍ରହଣ କରିବା ସହ ମାମଲାରେ  ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ, ତେଲେଙ୍ଗାନା ସରକାରଙ୍କୁ ନୋଟିସ୍‌ କରିଛନ୍ତି ସର୍ବୋଚ୍ଚ ଅଦାଲତ । ୪ସପ୍ତାହ ଭିତରେ ଜବାବ୍‌ ଦେବାକୁ ନିର୍ଦେଶ ଦେଇଛନ୍ତି କୋର୍ଟ ।

   Related Posts