କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି, ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ କିଷାନ କ୍ରେଡିଟ୍ କାର୍ଡରେ ଋଣ ଦେବାକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ

Published By : Prameya-News7 Bureau | October 08, 2020 IST

ଭୁବନେଶ୍ବର ୮।୧୦: ଓଡିଶାର ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ (କେସିସି) ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।

ଚିଠିରେ ଜଗତସଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଖଣ୍ଡାସାହି ଗ୍ରାମର ଦୁଗ୍ଧ ଚାଷୀ ଧ୍ରୁବ ଚରଣ ପରିଡାଙ୍କ ଏକ ଅଭିଯୋଗ ପତ୍ରକୁ ସଲଗ୍ନ କରି ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ବ୍ୟାଙ୍କ୍ ମାଧ୍ୟମରେ ଓମଫେଡ୍ ଦୁଗ୍ଧ ଚାଷୀମାନଙ୍କୁ କିଷାନ କ୍ରେଡିଟ୍ କାର୍ଡରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଥିବା ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ବ୍ୟାଙ୍କ୍ ଋଣ ଦେବାକୁ ଇଚ୍ଛା ପ୍ରକାଶ କରୁନଥିବା ଅଭିଯୋଗ ହେଉଛି । ତେଣୁ ଏହି ମାମଲାରେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧର୍ମେନ୍ଦ୍ର ପ୍ରଧାନ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଧ୍ରୁବଚରଣ ପରିଡା ନାମ୍ନୀ ଦୁଗ୍ଧ ଚାଷୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲେଖିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପତ୍ର ନମ୍ବର (ଏମ୦୧୦୦୭୧୫୧୨୦୨୦), ତା-୨୭.୦୭.୨୦୨୦ରେ ବ୍ୟାଙ୍କ ଜରିଆରେ ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର କିଷାନ କ୍ରେଡିଟ୍ କାର୍ଡ୍ ଦେବାକୁ ନିର୍ଦ୍ଦେଶ ହୋଇଛି । କିନ୍ତୁ ବ୍ୟାଙ୍କ୍ ମାନେ ଋଣ ଦେବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି । ଯେଉଁ କାରଣରୁ ଓମଫେଡ୍ ଚାଷୀମାନେ କୋଭିଡ୍-୧୯ ସମୟରେ ହଇରାଣ ହେଉଛନ୍ତି । ଏହି ଋଣ ବ୍ୟବସ୍ଥା ହୋଇପାରିଲେ ଜଗତସିଂହପୁରର ଅନେକ ଓମଫେଡ୍ ଦୁଗ୍ଧ ଚାଷୀ ଉପକୃତ ହୋଇପାରିବେ ବୋଲି ଧ୍ରୁବଚରଣ ପରିଡା ଅଭିଯୋଗ ପତ୍ରରେ ସେ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.