‘ଓଡ଼ିଶାରୁ ପୁଣି ଚାଲୁ ହେଉ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍’: ‌ରେଳମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | September 08, 2020 IST

ନୂଆଦିଲ୍ଲୀ ୦୮/୦୯:  ଓଡ଼ିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁଣିଥରେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା ମହାମାରୀ ଆରମ୍ଭ ସମୟରେ ହୋଇଥିବା ଲକ୍‌ଡାଉନ୍‌ରେ ବିଭିନ୍ନ ରାଜ୍ୟରେ ରହିଯାଇଥିବା  ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ମେ ୧ରେ ଶ୍ରମିକ ସ୍ପେଶାଲ ଟ୍ରେନ୍‌ର ଶୁଭାରମ୍ଭ କରିଥିଲା ରେଳ ବିଭାଗ । ଶେଷ ଥର ପାଇଁ ଜୁଲାଇ ୯ରେ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍ ଗଡ଼ିଥିଲା। ତେବେ​‌ ସେହି ସମୟରେ ବହୁ ସଂଖ୍ୟକ ଶ୍ରମିକ ପ୍ରବାସରୁ ଓଡ଼ିଶାକୁ ଫେରିଥିଲେ । ଏବେ ଜୀବନ ଜୀବିକା ପାଇଁ ପୁଣିଥରେ ସେମାନେ ଫେରିବାକୁ ଚାହୁଁଥିବାରୁ ଶ୍ରମିକ ସ୍ପେଶାଲ ଟ୍ରେନ ଚାଲୁ କରିବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଗଞ୍ଜାମ ଜିଲ୍ଲାରେ ବାସ କରୁଥିବା ଅନେକ ପ୍ରବାସୀ ଓଡିଆମାନେ ଗୁଜୁରାଟ ଏବଂ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା ପାଇଁ ଅନୁରୋଧ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର  । ଏହାସହ ଜୀବନଜୀବିକା ପାଇଁ ସୁଯୋଗର ଅଭାବ ଥିବା ଏବଂ ପୁଣି କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଯିବାରେ ଅସୁବିଧା ହେଉଥିବା ସେମାନେ ଦର୍ଶାଇଛନ୍ତି । ଦେଶବ୍ୟାପୀ କୋଭିଡ୍ -୧୯ ତଥା ଲକ୍ ଡାଉନ ସମୟରେ ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ରାଜ୍ୟରୁ ପ୍ରବାସୀମାନେ ଓଡିଶାକୁ ପ୍ରତ୍ୟାବର୍ତନ କରିଥିଲେ ଏବଂ ରେଳ ମନ୍ତ୍ରଣାଳୟର ସହଯୋଗ ଓ ଉଦ୍ୟମ କାରଣରୁ ଦେଶର କୋଣ ଅନୁକୋଣରୁ ହଜାର ହଜାର ‘ଶ୍ରମିକ ସ୍ପେଶାଲ୍ ଟ୍ରେନ୍‌’ ମାଧ୍ୟମରେ ଘରକୁ ଫେରିପାରିଥିଲେ ବୋଲି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଦେଶସାରା ଲକ୍ ଡାଉନକୁ ପ୍ରତ୍ୟାହାର କରାଯାଉଥିବା ବେଳେ ଏବେ ଆମେ ସମସ୍ତେ ସ୍ୱଭାବିକ ସ୍ଥିତିକୁ ଫେରୁଛୁ । ଏହି ସମୟରେ ବାହାରେ କାମ କରୁଥିବା ଲୋକମାନଙ୍କ ପାଇଁ ପୁନର୍ବାର ରେଳସେବା ଆରମ୍ଭ ହେବାର ଆବଶ୍ୟକତା ରହିଛି । ପ୍ରବାସୀଙ୍କ ତୁରନ୍ତ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁଣି ଥରେ ‘ଶ୍ରମିକ ସ୍ପେଶାଲ ଟ୍ରେନ୍‌’ ଚାଲୁ କରିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର  ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

 ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.