ରାହୁଲଙ୍କୁ ଧର୍ମେନ୍ଦ୍ରଙ୍କ କଡା ଜବାବ-‘ଭାରତରୁ ସମଗ୍ର ବିଶ୍ୱ ବହୁତ କିଛି ଶିଖିଛି, ରାହୁଲ ମଧ୍ୟ ଶିଖନ୍ତୁ’
24/12/2020 at 6:29 PM

ନୂଆଦିଲ୍ଲୀ ୨୪/୧୨ : କୃଷି ଆନ୍ଦୋଳନକୁ ନେଇ ରାଜନୀତି ଚରମ ସୀମାରେ ପହଞ୍ଚିଛି। ଗୁରୁବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ୨ କୋଟି ଲୋକଙ୍କ ଦସ୍ତଖତ ସହିତ ସ୍ମାରକପତ୍ର ହସ୍ତାନ୍ତର କରିଛନ୍ତି। ଅପରପକ୍ଷରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ହେପାଜତ ନେଇଛି। ରାଷ୍ଟ୍ରପତିଙ୍କୁ ସାକ୍ଷାତ ପରେ ରାହୁଲ ଗାନ୍ଧୀ ସାମ୍ବାଦିକଙ୍କୁ କହିଥିଲେ ଯେ ଭାରତରେ ଆଉ ଗଣତନ୍ତ୍ର ଶାସନ ନାହିଁ। ଦଳ ନେତାଙ୍କୁ ହେପାଜତକୁ ନେବା ଘଟଣାକୁ ନେଇ ସେ କହିଛନ୍ତି ଗଣତନ୍ତ୍ର ସ୍ୱପ୍ନରେ ଥାଇପାରେ କିନ୍ତୁ ବାସ୍ତବରେ ଆଦୌ ନାହିଁ।
ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟର ଜବାବ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି ଯେ, ଲୋକତାନ୍ତ୍ରିକ ସଂସ୍ଥାର ମଜାକ୍ ଉଡ଼ାଇବା କଂଗ୍ରେସ ଦଳର ଏକ ଅଭ୍ୟାସରେ ପରିଣତ ହୋଇଗଲାଣି। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ସେମାନେ ଉତ୍ତରାଧିକାରୀ ସୂତ୍ରରେ କ୍ଷମତା ଉପଭୋଗ କରୁଛନ୍ତି।
ସେମାନଙ୍କର ଇଚ୍ଛା ବିରୋଧରେ କିଛି କାର୍ଯ୍ୟ ହେଲେ ବାଧ୍ୟ ହୋଇ ସେମାନେ ଗଣତନ୍ତ୍ରକୁ ଗାଳି ଦେଇଥାନ୍ତି ବୋଲି ଟ୍ବିଟ୍ କରିଛନ୍ତି ଧର୍ମେନ୍ଦ୍ର। ଭାରତରୁ ସମଗ୍ର ବିଶ୍ୱ ବହୁତ କିଛି ଶିଖିଛି, ରାହୁଲ ମଧ୍ୟ ଶିଖନ୍ତୁ। କଂଗ୍ରେସ ଶାସନ ସମୟରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେ ସମୟରେ ଦେଶରେ ଗଣତନ୍ତ୍ର ବୋଲି କିଛି ନଥିଲା। ମାତ୍ର ସେ ସମୟର କଳା ଦିନ ଆଜି ଆଉ ନାହିଁ ବୋଲି ଧର୍ମେନ୍ଦ୍ର ଟ୍ବିଟରରେ ଲେଖିଛନ୍ତି।