ସିବିଆଇ ତଦନ୍ତ ନିର୍ଦ୍ଦେଶ ସହ ନବୀନ ବାବୁ ନିଜେ କ୍ଷମା ମାଗନ୍ତୁ କହିଲେ ଧର୍ମେନ୍ଦ୍ର
6/01/2019 at 5:32 PM

ଭୁବନେଶ୍ୱର ୬/୧ : ପ୍ରଦୀପ ମହାରଥୀଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ଧର୍ମେନ୍ଦ୍ର କହିଛନ୍ତି ଯେ, ମହାରଥୀଙ୍କ ଇସ୍ତଫା ପର୍ଯ୍ୟାପ୍ତ ନୁହେଁ | ପିପିଲି ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବେଦନଶୀଳ ହୋଇ ବିଚାର କରିବା ଉଚିତ ବୋଲି କହିଛନ୍ତି ଧର୍ମେନ୍ଦ୍ର |
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସିଥିଲେ | ସମାବେଶରେ ଉଦବୋଧନ ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ରାଜ୍ୟ ସରକାର ଝିଅଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଉଚିତ | ମହିଳା ସଶକ୍ତିକରଣ ଉପରେ ଦୃଷ୍ଟି ଦେବା ଉଚିତ | ଏହାସହ ପିପିଲି ଗଣଦୁଷ୍କର୍ମ ପୀଡିତା ବେବିନା ବେହେରା ପ୍ରସଂଗ ଉଠାଇ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲେ | ଏହି ପ୍ରସଙ୍ଗରେ ପୁନର୍ବିଚାର କରିବା ପାଇଁ ନବୀନଙ୍କୁ ଆହ୍ୱାନ କରିଥିଲେ ମୋଦି | ପିପିଲି ପ୍ରସଙ୍ଗର ପୁନର୍ବିଚାର ହେବା ଦରକାର ବୋଲି ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର | ଧର୍ମେନ୍ଦ୍ର ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି କହିଛନ୍ତି ଯେ, ଯଦି ସତରେ ନବୀନ ବାବୁ ଦଳିତ ବେବିନା ବେହେରାଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତାହେଲେ ପ୍ରଦୀପ ମହାରଥୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିବିଆଇ ତଦନ୍ତ ନିର୍ଦେଶ ଦିଅନ୍ତୁ | ଏନେଇ ନବୀନ ନିଜେ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଦାବି କରିଛନ୍ତି |
ସୂଚନାଯୋଗ୍ୟ ଯେ, ନିଜେ ଧର୍ମେନ୍ଦ୍ର ଦଳୀ. କର୍ମୀ ଓ କର୍ମକର୍ତ୍ତାଙ୍କ ସହ ଆଜି ମୃତ ବେବିନାଙ୍କ ଗାଁ ପିପିଲିର ଅର୍ଜ୍ଜୁନଗୋଦାରେ ପହଞ୍ଚିଛନ୍ତି। ବେବିନାଙ୍କ ପରିବାରକୁ ସମବେଦନା ଦେବା ସହ ବିଜେପି ତାହ୍କ ପରିବାର ସହ ରହିଛି ବୋଲି କହିଛନ୍ତି।