ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ଉଚ୍ଛେଦ ଦାବି କଲେ ଧର୍ମେନ୍ଦ୍ର: ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖି ହସ୍ତକ୍ଷେପ ଲୋଡ଼ିଲେ

Published By : Prameya-News7 Bureau | October 11, 2020 IST

ଭୁବନେଶ୍ୱର, ୧୧/୧୦: ଓଡ଼ିଶା ବିଧାନସଭାରେ ଗୃହୀତ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦କୁ ରାଜ୍ୟର ବୃହତ୍ତର ଶୈକ୍ଷିକ ସମାଜ ବିରୋଧ କରୁଛି। ଏହା ସହ ଏହି ବିଧେୟକ ଦେଶର ସାମ୍ବିଧାନିକ ବ୍ୟବସ୍ଥା ତଥା ୟୁଜିସି ନିୟମାବଳୀର ଦୃଢ଼ ବିରୋଧାଚରଣ କରୁଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ଛାତ୍ର, ଶିକ୍ଷକ, ଗବେଷକ ତଥା ଉଚ୍ଚଶିକ୍ଷା ବ୍ୟବସ୍ଥାର ସ୍ୱାର୍ଥରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ ନିଶଙ୍କ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଏହି ବିଧେୟକକୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନେବାକୁ ଏକ ପତ୍ରରେ ଦୃଢ଼ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଓଡ଼ିଶା ସରକାରଙ୍କ ଏହି ନୂଆ ନିୟମରେ ବିଶ୍ୱବିଦ୍ୟାଳୟମାନଙ୍କ ନୀତି ନିର୍ଦ୍ଧାରକ ସିନେଟ୍‌ ବ୍ୟବସ୍ଥାକୁ ସମାପ୍ତ କରି ଏହି ସ୍ଥାନରେ ସରକାରଙ୍କ ନିୟନ୍ତ୍ରିତ ସିଣ୍ଡିକେଟ୍‌ ବ୍ୟବସ୍ଥାପ୍ରଚଳନ କରିବାର ଉଲ୍ଲେଖ କରାଯାଇଛି ।

ବିଶ୍ୱବିଦ୍ୟାଳୟ କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ଚତୁରତାର ସହ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ସରକାରଙ୍କ ପ୍ରତିନିଧି ରଖିବା ସହ ଏହି ଚୟନ କମିଟିକୁ ଅଣ ଏକଡେମିକ୍‌ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦେଉଥିବା ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି । ବିଶ୍ୱବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ଅଧିକାରରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବଞ୍ଚିତ କରି ଏହି କାମକୁ ଓଡ଼ିଶା ପବ୍ଲିକ ସର୍ଭିସ୍‌ କମିଶନକୁ ପ୍ରଦାନ କରିବା ଦ୍ୱାରା ରାଜ୍ୟ ସରକାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ରିମୋର୍ଟ କଣ୍ଟ୍ରୋଲ ବ୍ୟବସ୍ଥାରେ ରଖିବାକୁ ଚାହୁଁଥିବା ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ବିଶ୍ୱବିଦ୍ୟାଳୟ ଆୟବ୍ୟୟ ବିବରଣୀ ସାମ୍ବିଧାନିକ ବ୍ୟବସ୍ଥା ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବାର ବ୍ୟବସ୍ଥାକୁ ନୂଆ ବିଧେୟକରେ ବନ୍ଦ କରି ଦିଆଯିବା ଦ୍ୱାରା ଜନସାଧାରଣଙ୍କ ଅର୍ଥ ଖର୍ଚ୍ଚର ସଠିକ୍‌ ସମୀକ୍ଷା ହୋଇପାରିବ ନାହିଁ । ଭାରତୀୟ ସମ୍ବିଧାନରେ ଶିକ୍ଷା ଯୁଗ୍ମ ତାଲିକାରେ ଥିବା କାରଣରୁ ଭାରତୀୟ ସଂସଦର ଉଚ୍ଚଶିକ୍ଷା ଓ ଗବେଷଣା ସମ୍ବନ୍ଧୀୟ ପ୍ରସଙ୍ଗରେ ଆଇନ ପ୍ରଣୟନ କରିବାର ପୂରା ଅଧିକାର ଥିବା ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ୟୁଜିସି ଆକ୍ଟ-୧୯୫୬ ଆଧାରରେ ୟୁଜିସି ନିୟମ ଅଧାରରେ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକର ପରିଚାଳନା ଆଇନ ସମ୍ମତ । ଓଡ଼ିଶାର ନୂଆ ନିୟମରେ ବିଶ୍ୱବିଦ୍ୟାଳୟ ଅଧ୍ୟାପକ ଚୟନ ପ୍ରକ୍ରିୟା ଓପିଏସ୍‌ସି ଦ୍ୱାରା କରାଯିବା ୟୁଜିସି ଅନୁସାରେ ସମ୍ପୂର୍ଣ୍ଣ ବେଆଇନ । ଏହି ପ୍ରକାର ପରିସ୍ଥିତିରେ ଅନ୍ୟ ରାଜ୍ୟମାନେ ପ୍ରସ୍ତୁତ କରିଥିବା ଆଇନ ମାନ୍ୟବର ଉଚ୍ଚତମ ନ୍ୟାୟାଳୟରେ ଖାରଜ ହେବାର ନଜିର ରହିଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ବିଭିନ୍ନ ଉଦାହରଣ ଉଲ୍ଲେଖ କରି ଓଡ଼ିଶାର ଏହି ନିୟମ କିପରି ସାମ୍ବିଧାନିକ ବ୍ୟବସ୍ଥାର ପରିପନ୍ଥୀ ତାହା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ପତ୍ରରେ ଅବଗତ କରାଇଛନ୍ତି ।

ରାଜ୍ୟରେ ଶୈକ୍ଷିକ ସମାଜ ଏହି ନିୟମକୁ ଦୃଢ଼ ବିରୋଧ କରୁଥିବା ପ୍ରସଙ୍ଗ ଉଲ୍ଲେଖ କରି ରାଜ୍ୟ ବିଶ୍ୱବିଦ୍ୟାଳୟ ଶିକ୍ଷକମାନଙ୍କ ଦ୍ୱାରା ଗଠିତ ଜଏଣ୍ଟ ଆକ୍ସନ କମିଟି ଦ୍ୱାରା କରାଯାଇଥିବା ସର୍ଭେରେ ଏହି ବିଲ୍‌ ବିରୋଧରେ ଦୃଢ଼ ମତ ରହିଥିବା ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ର ରାଜ୍ୟ ସରକାରଙ୍କ ନିୟମ ଦୃଢ଼ ବିରୋଧାଚରଣ କରିବା କଥା ମଧ୍ୟ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱବିଦ୍ୟାଳୟମାନଙ୍କ ପାଇଁ ସ୍ୱାୟତ୍ତତା ପ୍ରାଥମିକତା ହୋଇଥିବା ବେଳେ ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ପ୍ରାଶାସନିକ ନିୟନ୍ତ୍ରଣରେ ରଖି ଏହାକୁ ସରକାରୀକରଣ କରିବାକୁ ଚାହୁଁଥିବା ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.