ମୋଦୀ କ୍ୟାବିନେଟ୍: ନୂଆ ଶିକ୍ଷା ମନ୍ତ୍ରୀ ହେଲେ ଧର୍ମେନ୍ଦ୍ର, ଅଶ୍ଵିନୀ ବୈଷ୍ଣବଙ୍କୁ ରେଳ ବିଭାଗ

Published By : Prameya-News7 Bureau | July 07, 2021 IST

ନୂଆଦିଲ୍ଲୀ ୦୭।୦୭: ଧର୍ମେନ୍ଦ୍ର ପ୍ରଧାନ ହେଲେ ଦେଶର ନୂଆ ଶିକ୍ଷା ମନ୍ତ୍ରୀ। ଏହା ସହ ଦକ୍ଷତା ବିକାଶ ମନ୍ତ୍ରାଳୟର ଦାୟିତ୍ବ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ରହିବ। ସେପଟେ ଓଡ଼ିଶାରୁ ବିଜେପି ଟିକେଟରେ ରାଜ୍ୟସଭା ପହଞ୍ଚଥିବା ଏବଂ ପ୍ରଥମ ଥର ମୋଦୀଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ମିଳିଛି ବଡ଼ ଦାୟିତ୍ବ। କେନ୍ଦ୍ର ରେଳ ମନ୍ତ୍ରୀ ହୋଇଛନ୍ତି ଅଶ୍ବିନୀ ବୈଷ୍ଣବ। ଏହା ସହ ତାଙ୍କୁ ଆଇଟି ମନ୍ତ୍ରାଳୟର ଦାୟିତ୍ବ ମଧ୍ୟ ଦେଇଛି କେନ୍ଦ୍ର।

ନରେନ୍ଦ୍ର ମୋଦୀ ସରକାରର ଦ୍ଵିତୀୟ ପାଳିରେ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି। ଆଜି ମନ୍ତ୍ରିମଣ୍ଡଳରେ ବ୍ୟାପକ ଅଦଳବଦଳ କରାଯିବା ସହ ଅନେକ ମନ୍ତ୍ରୀଙ୍କୁ ପଦନ୍ନୋତି ମିଳିଥିବା ବେଳେ ଆଉ କିଛି ନେତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଛି।

ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରୁରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ଦାୟିତ୍ବ ନେଇ ଏବେ ହରଦୀପ ସିଂହ ପୁରୀଙ୍କୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେହି ପରି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଆଜି ଶପଥ ନେଇଥିବା ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ରାଜ୍ୟସଭା ସାଂସଦ ଅଶ୍ଵିନୀ  ବୈଷ୍ଣବଙ୍କୁ ରେଳ ସହ ସୂଚନା ଓ ଯୋଗାଯୋଗ ମନ୍ତ୍ରୀ ଭାବେ ନିଯୁକ୍ତ ମିଳିଛି।

ସେହି ପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦାୟିତ୍ଵ ମିଳିଥିବା ବେଳେ ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ ବିଭାଗ ସହ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ମିଳିଛି। ପିୟୂଷ ଗୋଏଲଙ୍କୁ ବୟନ ଶିଳ୍ପ, ମନସୁଖ ମାଣ୍ଡଭିୟଙ୍କୁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସହ ସାର ଓ ରସାୟନ ମନ୍ତ୍ରଣାଳୟ ମିଳିଛି।

ସେହି ପରି ମୀନାକ୍ଷୀ ଲେଖିଙ୍କୁ ବିଦେଶ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ଵ ମିଳିଛି। ଏଥିସହ ସଂସ୍କୃତି ବିଭାଗ ଦାୟିତ୍ଵ ସେ ସମ୍ଭାଳିବେ। ପ୍ରଧାନମନ୍ତ୍ରୀ ନିଜ ପାଖରେ ବିଜ୍ଞାନ ଓ ବୈଷେୟିକ ମନ୍ତ୍ରଣାଳୟ ନିଜ ପାଖରେ ରଖିଛନ୍ତି। ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ମନ୍ତ୍ରିମଣ୍ଡଳର ନୂଆ ଦାୟିତ୍ଵ ଦିଆଯାଇଛି। ଶାହାଙ୍କୁ ମିନିଷ୍ଟ୍ରୀ ଅଫ କୋପୋରେସନ ଦାୟିତ୍ଵ ମିଳିଛି।

ସ୍ମୁତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ପୁରୁଷତ୍ତୋମ ରୁପାଲାଙ୍କୁ ମତ୍ସ୍ୟ ଓ ଗୋପାଳନ ମନ୍ତ୍ରଣାଳୟ, ଅନୁରାଗ ଠାକୁରଙ୍କୁ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ସହ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦାୟିତ୍ଵ ମିଳିଛି। ପଶୁପତି କୁମାର ପାରସଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.