ଭୁବନେଶ୍ବର୧୬/୬: ମଙ୍ଗଳବାର ବିଜେପି ପକ୍ଷରୁ ଭିଡିଓ କନ୍ଫରେନ୍ସିଂରେ ଆୟୋଜିତ ମହିଳା ଜନ ସମ୍ବାଦ ଭର୍ଚୁଆଲ୍ ରାଲିରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଓଡ଼ିଶାରେ ମୋଦିଙ୍କ କାମକୁ ଆଗେଇ ନେବା ପାଇଁ ମହିଳା ଜନପ୍ରତିନିଧିମାନେ କାମ କରନ୍ତୁ। ମୋଦି ସରକାର ପୂର୍ବ ଭାରତକୁ ବିକାଶର ପ୍ରୟୋଗଶାଳା କରିବା ପାଇଁ କାର୍ଯ୍ୟ କରୁଥିବା ବେଳେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ବ ଦେଇଛନ୍ତି ।
ଓଡ଼ିଶା ଆତ୍ମନିର୍ଭର ହେଲେ ଆତ୍ମନିର୍ଭର ଭାରତ ସମ୍ଭବ ହେବ । ସେଥିପାଇଁ ସମସ୍ତେ ମିଳିମିଶି କାମ କରିବା ଦରକାର । ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଓଡ଼ିଶାର ୪୬ ଲକ୍ଷ ଲାଭାର୍ଥୀଙ୍କୁ ଗ୍ୟାସ୍ ଯୋଗାଇ ସେମାନଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିଛନ୍ତି । ସେହିଭଳି ଆବାସ ଯୋଜନା, ସୁକନ୍ୟା ସମୃଦ୍ଧି, ଇନ୍ଦ୍ରଧନୁଷ, ମୁଦ୍ରାଯୋଜନା ଓ ପୋଷଣ ଭଳି କାର୍ଯ୍ୟକ୍ରମ କରି ମହିଳାଙ୍କୁ ସବୁସ୍ତରରେ ସ୍ବାବଲମ୍ବୀ କରିଛନ୍ତି ମୋଦି ସରକାର।
କରୋନା ମହାମାରୀ ସଂକଟ ବେଳେ ଜନଧନ ଆକାଉଣ୍ଟରେ ଓଡ଼ିଶାର ୪୦ ଲକ୍ଷ ମହିଳାଙ୍କୁ ମାସିକ ୫୦୦ଟଙ୍କା ଲେଖାଏଁ ତିନିମାସରେ ୧୫ଶହ ଟଙ୍କା ପଠାଇ ସେମାନଙ୍କୁ ଆର୍ଥିକ ସହଯୋଗ କରିଛନ୍ତି କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରର ପ୍ରଥମ ଦିନରୁ ହିଁ ଦେଶର ନାରୀ ଶକ୍ତିକୁ ସଶକ୍ତ କରିବାକୁ ଅନେକ କଲ୍ୟାଣକାରୀ ଯୋଜନ କରିଛନ୍ତି ।