ଡାକଘରେ ବ୍ୟାଙ୍କ ସୁବିଧା: ଓଡ଼ିଶାରେ ଆଜିଠାରୁ ଆଇପିପିବିର ୩୩ଟି ଶାଖା ଏବଂ ୧୬୫ଟି ଉପଶାଖାକୁ କରାଗଲା କାର୍ଯ୍ୟକାରୀ

Published By : Prameya-News7 Bureau | September 01, 2018 IST

ଭୁବନେଶ୍ବର ୧୯: ଏଥର ଡାକଘରେ ମିଳିବ ବ୍ୟାଙ୍କ ସେବା । ଆଜି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୬୫୦ ଶାଖା ଏବଂ ୩ହଜାର ୨୫୦ଟି ଉପଶାଖାକୁ କାର୍ଯ୍ୟକାରୀ କରାଯିବ । ଡିସେମ୍ବର ୩୧ ସୁଦ୍ଧା ଆଇପିପିବି ବ୍ୟବସ୍ଥାକୁ ଦେଶର ୧ଲକ୍ଷ ୫୫ହଜାର ଡାକଘର ସହ ସଂଯୋଗ କରାଯିବ ।ଡାକଘର ଗୁଡ଼ିକରେ କାର୍ଯ୍ୟରତ ୩ଲକ୍ଷ ପୋଷ୍ଟମ୍ୟାନ୍ ଓ ଗ୍ରାମୀଣ ଡାକସେବକଙ୍କ ଜରିଆରେ ଏହି ବ୍ୟାଙ୍କ ସେବା ଉପଲବ୍ଧ ହେବ । ….. ଆଗରୁ ପୋଷ୍ଟମ୍ୟାନ୍ କେବଳ ଚିଠି ଆଣୁଥିଲେ । ଏବେ ପୋଷ୍ଟମ୍ୟାନ୍ ବ୍ୟାଙ୍କ ସେବାକୁ ବି ଲୋକଙ୍କ ପାଖରେ ପହଞ୍ଚାଇବେ । ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀର ତାଳକୋଟରା ଷ୍ଟାଡିୟମରେ ଆୟୋଜିତ ଏହି ଉଦ୍ଘାଟନୀ ଉତ୍ସବରେ ଡାକ ବିଭାଗର ବହୁ ପଦାଧିକାରୀ ସାମିଲ ହୋଇଥିଲେ । ଆଇପିପିବି ଦେଶର ସର୍ବ ବୃହତ ନେଟଓ୍ବର୍କ ଭାରତୀୟ ଡାକ ବିଭାଗ ମାଧ୍ୟମରେ ୧ଲକ୍ଷ ୫୫ହଜାର ଡାକଘରେ କାର୍ଯ୍ୟକାରୀ ହେବ, ଯାହା ମଧ୍ୟରୁ ୧ଲକ୍ଷ ୩୦ହଜାର ଡାକଘର ଗ୍ରାମାଞ୍ଚଳରେ ଥିବା ଜନସାଧାରଣଙ୍କୁ ବ୍ୟାଙ୍କ ସେବା ଯୋଗାଇବ । ୩ ଲକ୍ଷ ପୋଷ୍ଟମ୍ୟାନ ଓ ଗ୍ରାମୀଣ ଡାକସେବକଙ୍କ ଦ୍ବାରା ଏହି ବ୍ୟାଙ୍କ ସେବା ସହର, ଗାଁ ଏବଂ ଦୂରବର୍ତ୍ତୀ ଅଂଚଳର ଲୋକଙ୍କ ଘରେ ପହଞ୍ଚାଇବ । ଯାହା ଫଳରେ ସେମାନଙ୍କୁ ଆଉ କେବଳ ବ୍ୟାଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ଏହାର ୬୫୦ ଶାଖା ଏବଂ ୩ହଜାର ୨୫୦ଟି ଉପଶାଖାକୁ କାର୍ଯ୍ୟକାରୀ କରାଯାଇଛି । ଏଥିରେ ବ୍ୟାଙ୍କ ଜମାଖାତା, କରେଣ୍ଟ ଆକାଉଣ୍ଟ, କରେଣ୍ଟ ଆକାଉଣ୍ଟ ମନି ଟ୍ରାନ୍ସ୍ଫର ସହ ବିଭିନ୍ନ ବ୍ୟାଙ୍କିଙ୍ଗ୍ ସୁବିଧା ରହିବ । ଓଡ଼ିଶାରେ ମଧ୍ୟ ଆଜିଠାରୁ ଆଇପିପିବିର ୩୩ଟି ଶାଖା ଏବଂ ୧୬୫ଟି ଉପଶାଖାକୁ କାର୍ଯ୍ୟକାରୀ କରାଯାଇଛି । ୩୧ ଡିସେମ୍ବର ସୁଦ୍ଧା ଆହୁରି ୮ହଜାର ୫୦ ଡାକଘରେ ଏହି ସେବା ଉପଲବ୍ଧ ହେବ । ରାଜ୍ୟର ୧୩୬୭ଜଣ ପୋଷ୍ଟମ୍ୟାନ୍ ଏବଂ ୭ହଜାର ୯ଜଣ ଡାକ ବିତରକଙ୍କ ମାଧ୍ୟମରେ ଏହି ଡୋରଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇଦିଆଯିବ । ଓଡ଼ିଶା ଡାକ ପରିମଣ୍ଡଳର, ଭୁବନେଶ୍ବର କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ୟାଙ୍କିଙ୍ଗ୍ ସେବାକୁ ସମ୍ପୂର୍ଣ୍ଣ ସରଳ କରିବା ଲାଗି ଆଇପିପିବି ଆଧାରକାର୍ଡ଼ ଏବଂ ବାୟୋମେଟ୍ରିକ୍ ପ୍ରମାଣିକରଣ ଦ୍ବାରା ଗ୍ରାହକଙ୍କୁ ପେପରଲେସ୍ ସେଭିଙ୍ଗ୍ ଆକାଉଣ୍ଟ ଯୋଗାଇଦେବ ।କ୍ୟୁଆର୍ କାର୍ଡ଼ ସାହଯ୍ୟରେ ଗ୍ରାହକମାନେ ଖୁବ୍ ସହଜରେ ଅର୍ଥ ବିନିମୟ କରିପାରିବେ । ଏଥି ନିମନ୍ତେ ସେମାନଙ୍କୁ ଆକାଉଣ୍ଟ ନମ୍ବର କିମ୍ବା ପିନ୍ ନମ୍ବର ମନେ ରଖିବାର ଆବଶ୍ୟକତା ରହିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.