ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନ ପି.ଭି ସିନ୍ଧୁଙ୍କୁ ସମ୍ବର୍ଦ୍ଧିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | September 04, 2019 IST

ନୂଆଦିଲ୍ଲୀ/ଭୁବନେଶ୍ୱର - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ନୂଆଦିଲ୍ଲୀ ଠାରେ ଭାରତୀୟ ବ୍ୟାଡମିଂଟନ ଖେଳାଳୀ ତଥା ବିଶ୍ୱ ବିଜୟିନୀ ପି.ଭି ସିନ୍ଧୁ ଏବଂ ତାଙ୍କ ପିତା ପି.ଭି ରମଣଙ୍କ ସହ ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ପ୍ରଧାନ ପି.ଭି ସିନ୍ଧୁଙ୍କୁ ଦେଶର ଗୌରବ ବୋଲି ଅଭିହିତ କରିବା ସହ ବିଡବ୍ଲ୍ୟୁଏଫ୍ ବିଶ୍ୱ ଚାମ୍ପିୟନସିପ୍ରେ ସ୍ୱର୍ଣ୍ଣ ହାସଲ କରିବା ପାଇଁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ। ଏହାବ୍ୟତିତକେନ୍ଦ୍ରମନ୍ତ୍ରୀ ପ୍ରଧାନ ପି.ଭି ସିନ୍ଧୁଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ୨୦୨୦ ଅଲମ୍ପିକ୍ସ ପ୍ରତିଯୋଗୀତା ପାଇଁ ଶୁଭକାମନା ଜଣାଇଥିଲେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ପି.ଭି ସିନ୍ଧୁ ଏବଂ ତାଙ୍କ ପିତାଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ଅବସରରେ ଭାରତ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ସ୍ମାରକ ମୁଦ୍ରା ଓ ଏକ ଓଡିଆ ସାଲ୍ ଉପହାରସ୍ୱରୂପ ପ୍ରଦାନ କରିଥିଲେ।
ପି.ଭି ସିନ୍ଧୁଙ୍କୁ ଜଣେ ଆଗଧାଡିର ଯୁବ ପ୍ରତିଭା ଏବଂ ତାଙ୍କର ଉଦ୍ୟମ ସାମାଜିକ ପରିବର୍ତନ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ। ଏହାସହ ତାଙ୍କୁ ରାଷ୍ଟ୍ରୀୟ ମିଶନ ଏବଂ କାର୍ଯ୍ୟକ୍ରମ ଯଥା ସ୍ୱଚ୍ଛ ଭାରତ ମିଶନ,
ଜଳଶକ୍ତି ଅଭିଯାନ ପରି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ ସହ ଆଲୋଚନା ପରେ ପି.ଭି ସିନ୍ଧୁ ଖୁସିବ୍ୟକ୍ତ କରିବା ସହ ସମ୍ବର୍ଦ୍ଧିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାସହ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ(ଆରଆଇଏନ୍ଏଲ୍)କୁ ମଧ୍ୟ ସମର୍ଥନ ଦେବା ପାଇଁ ଧନ୍ୟବାଦ ଜଣାଇଥିଲେ।
ଉଲ୍ଲେଖନୀୟ ଯେ, ରାଷ୍ଟ୍ରୀୟ ଇସ୍ପାତ୍ ନିଗମ ଲିମିଟେଡର ବ୍ରାଂଡ ଆମ୍ବାସେଡର ହେଉଛନ୍ତି ପି.ଭି ସିନ୍ଧୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.