ବିକାଶ ଏଜେଣ୍ଡାରେ ଶ୍ରୀକ୍ଷେତ୍ର: ଶ୍ରୀମନ୍ଦିର ବିକାଶ ପାଇଁ ୧ଲକ୍ଷ ଟଙ୍କା ଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
1/03/2021 at 6:34 PM

ପୁରୀ ୦୧/୦୩ : ଫୋକସରେ ପୁରୀ । ବିକାଶ ଏଜେଣ୍ଡାରେ ଶ୍ରୀକ୍ଷେତ୍ର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ଏବେ ଶ୍ରୀକ୍ଷେତ୍ର ପୁରୀ । ଗତ କିଛି ଦିନ ଧରି ବିଜେପି ଓ ବିଜେଡିର ପୁରୀ ଓ ଶ୍ରୀ ଜଗନ୍ନାଥଙ୍କ ପ୍ରୀତି ଏଭଳି କିଛି ସଙ୍କେତ ଦେଉଛି । ଗତକିଛି ଦିନ ଧରି ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ପୁରୀରେ ଜାରି ରଖିଛନ୍ତି। ପୁରୀ ଐତିହ୍ୟ କରିଡର ପାଇଁ ଅଧିନରେ ବିକାଶମୂଳକ କାର୍ଯ୍ୟ ହେଉଛି। ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ସଙ୍କଳ୍ପ ମଧ୍ୟ ପାରିତ କରିଛନ୍ତି ସରକାର । ସେହିପରି ଶ୍ରୀକ୍ଷେତ୍ର ବିକାଶର ବ୍ଲୁପ୍ରିଣ୍ଟ ରାଜ୍ୟବାସୀଙ୍କ ଆଗରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ କେନ୍ଦ୍ରର ବିଜେପି ସରକାରର ଫୋକସରେ ରହିଛି ପୁରୀ।
ଶ୍ରୀକ୍ଷେତ୍ର ପାଇଁ କେନ୍ଦ୍ର ସରକାର କଣ କରିଛନ୍ତି ତାର ତାଲିକା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି। ଗତକାଲି ପୁରୀ ଯାଇ ସେ ଶ୍ରୀଜୀଉଙ୍କୁ ଦର୍ଶନ କରି ୧ଲକ୍ଷ ଟଙ୍କା ଶ୍ରୀମନ୍ଦିର ବିକାଶ ପାଇଁ ଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୀ ବିକାଶ ପାଇଁ ୧୭୫ କୋଟି ଟଙ୍କାର ଅନୁଦାନ ଦେଇସାରିଥିବା ପ୍ରକାଶ କରିଥିଲେ କେନ୍ଦ୍ରମନ୍ତ୍ରୀ। ଯାହା ଦର୍ଶାଉଛି ଶ୍ରୀଜଗନ୍ନାଥ ଧାମର ବିକାଶ ମାଧ୍ୟରେ ଏବେ କେନ୍ଦ୍ର ଓ ରାଜ୍ୟର ବିଶେଷ ଭାବେ ତତ୍ପର ହୋଇଉଠିଛନ୍ତି।
ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏବେ ଶ୍ରୀକ୍ଷେତ୍ରମୁହାଁ ହୋଇଥିବା ବେଳେ କଂଗ୍ରେସ ଉଭୟଙ୍କୁ ଶ୍ରେୟ ରାଜନୀତିରେ ମାତିଥିବା କହିଛି। ତେବେ ଗତ କିଛି ବର୍ଷ ଧରି ପୁରୀରେ ଯେଉଁଭଳି ଭାବେ କାର୍ଯ୍ୟଧାରା ଚାଲିଛି ତାହା କିନ୍ତୁ ପୁରୀବାସୀଙ୍କୁ ବେଶ୍ ଖୁସି କରିଛି।
ଶ୍ରୀକ୍ଷେତ୍ର ଓ ଶ୍ରୀ ଜଗନ୍ନାଥଙ୍କ ପ୍ରତି ସାରା ଓଡିଶା ବାସୀଙ୍କର ଭାବାବେଗ ଜଡିତ ରହିଛି । ତେଣୁ ଶ୍ରୀଜଗନ୍ନାଥଙ୍କ ପ୍ରସଙ୍ଗ ଓ ବିକାଶକୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟର ଶାସକ ଦଳ ଲୋକଙ୍କ ପାଖରେ ପହଁଚିବାକୁ ପ୍ରୟାସ କରୁଛନ୍ତି । ତେବେ କାହାର ଶ୍ରେୟ କେତେ ତାହା ଜାଣୁଛନ୍ତି ଜନତା ଓ ଜଗନ୍ନାଥ ।