ଚଳିତ ବଜେଟ୍‌ରୁ ଓଡିଶା ଭାଗରେ ସିଂହଭାଗ: ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | February 01, 2021 IST

ନୂଆଦିଲ୍ଲୀ ୧/ ୨: ସଂସଦରେ ସୋମବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀଙ୍କ ଦୂର ଦୃଷ୍ଟି ସମ୍ପନ୍ନ ଆତ୍ମନିର୍ଭର ଭାରତର ୬ଟି ସ୍ତମ୍ଭ ଯଥା ସ୍ୱାସ୍ଥ୍ୟ କଲ୍ୟାଣ, ଭୌତିକ ଓ ଆର୍ଥିକ ପୁଞ୍ଜି ଏବଂ ଭିତ୍ତିଭୂମି, ଆକାଂକ୍ଷା ଭାରତ ପାଇଁ ସମାବେଶୀ ବିକାଶ, ମାନବ ପୁଞ୍ଜିରେ ନୂଆ ଉନ୍ମାଦନା ସୃଷ୍ଟି କରିବା ସହ ନବ ଉନ୍ମେଷ ଓ ଗବେଷଣା ବିକାଶ, ନ୍ୟୁନତମ ସରକାର ଏବଂ ସର୍ବତ୍ତୋମ ଶାସନ ଉପରେ ଆଧାରିତ ୨୦୨୧-୨୨ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଚଳିତ ବଜେଟରେ ବିଭିନ୍ନ କ୍ଷେତ୍ରରୁ ଓଡିଶା ସିଂହଭାଗ ଲାଭ ପାଇବ ସହ ରାଜ୍ୟର ସବୁ ବର୍ଗର ଲୋକମାନେ ବିଶେଷଭାବରେ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୨୦୨୧-୨୨ ଆର୍ଥିକ ବର୍ଷର ସାଧାରଣ ବଜେଟକୁ ଯୁଗାନ୍ତକାରୀ ବଜେଟ୍‌ କହିବା ସହ ବଜେଟରେ କ୍ରୟ ଏବଂ ଖର୍ଚ୍ଚର ପୁନଃଉଦ୍ଧାର ସହ ପୁଞ୍ଜିନିବେଶ, ନିର୍ମାଣକୁ ଗତିଦେବା, ଭିତିଭୂମିକୁ ସୁଦୃଢ କରିବା, ଏମଏସଏମଇକୁ ଆଗ୍ରାଧିକାର ଦେବା, ନୂଆ ସୁଯୋଗ ସୃଷ୍ଟି କରିବା ସହ ରୋଜଗାର ଓ ବିକାଶକୁ ଗୁରୁତ୍ୱ ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେହିପରି ଭାରତବର୍ଷରେ ସଫଳତାର ସହ ୮ କୋଟି ମହିଳାଙ୍କୁ ଉଜ୍ଜଳା ଯୋଜନାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବା ପରେ ପୁଣି ଥରେ ଏହାକୁ ଅଧିକ ୧ କୋଟି ମହିଳାଙ୍କୁ ଯୋଗାଇ ଦେବା ପାଇଁ ବଜେଟରେ ବ୍ୟବସ୍ଥା ହେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି ।

ଆତ୍ମନିର୍ଭର ଭାରତ ସ୍ୱାସ୍ଥ୍ୟ ଯୋଜନା ସହ ପିଇବା ପାଣି, ସହରାଂଚଳରେ ଘର ନିର୍ମାଣ ଓ ପୋଷଣ ଅଭିଯାନ ନାଗରିକଙ୍କ ସ୍ୱାସ୍ଥ୍ୟ ସହ ଜଡିତ । ବଜେଟ୍‌ରେ ଅର୍ଥମନ୍ତ୍ରୀ ଏହାକୁ ବିଶେଷ ମହତ୍ୱ ଦେଇଛନ୍ତି । ଓଡିଶାରେ ପୋଷଣ ଅଭିଯାନରେ ଆମ ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲ୍ଲା ପ୍ରାଥମିକତା ପାଇବ । ଅପରପକ୍ଷରେ ବଜେଟରେ ଢାଂଚାଗତ କ୍ଷେତ୍ର ତଥା ସଡକପଥ, ରେଳପଥ, ଅର୍ଥନୈତିକ କୋରିଡର ତଥା ମାନବ ସମ୍ବଳର ବିକାଶ ପାଇଁ ପ୍ରଧାନ୍ୟ ଦିଆଯାଇଛି ।

ଚଳିତବର୍ଷର ବଜେଟ ଅପାର ସମ୍ଭାବନାର ରାଜ୍ୟ ଓଡିଶାର ଇସ୍ପାତ୍‌, ଖଣି କ୍ଷେତ୍ର ତଥା ମାନବପୁଞ୍ଜିର ଅନେକ ସମ୍ଭାବନା ଆଣିଛି । ଏହି ପରିପ୍ରେକ୍ଷୀରେ ଆଗାମୀ ୩ ବର୍ଷରେ ଦେଶରେ ହେବାକୁ ଥିବା ୭ଟି ଟେକ୍ସଟାଇଲ ପାର୍କରେ ଓଡିଶାକୁ ପ୍ରଧାନ୍ୟ ମିଳିବ । ସେହିପରି ଓଡିଶାର ଭଦ୍ରକରେ ଆଇଓସିଏଲ ଦ୍ୱାରା ସୂତାର କାରଖାନା ପ୍ରତିଷ୍ଠା କରାଯାଉଛି । ଏହି ଦୃଷ୍ଟିରୁ ଓଡିଶାରେ ଦେଶର ଓ ବିଶ୍ୱର ଆବଶ୍ୟକତାକୁ ଦେଖି ଟେକ୍ସଟାଇଲ କ୍ଲଷ୍ଟର ନିର୍ମାଣ ହୋଇପାରିବ । ଏହା ଦ୍ୱାରା ଏହି କ୍ଷେତ୍ରରେ କାମ କରୁଥିବା ଓଡିଆମାନେ ଲାଭ ପାଇବେ ଏବଂ ଓଡିଶା ପାଇଁ ଅନେକ ସମ୍ଭାବନା ତିଆରି ହେବ । ମତ୍ସ୍ୟ ବ୍ୟବସାୟରେ ଅଗ୍ରଣୀ ରାଜ୍ୟ ଓଡିଶାର ପାରାଦୀପ ଠାରେ ବୃହତ ସମନ୍ୱିତ ମତ୍ସ୍ୟ ବନ୍ଦର ପ୍ରତିଷ୍ଠାର ଯୋଜନା ରଖାଯାଇଛି । ଏହିସବୁ ଯୋଜନାର ଲାଭ ଓଡିଶା ରାଜ୍ୟ ପାଇବ ।

ଶିକ୍ଷା କ୍ଷେତ୍ରରେ ଦେଖିବାକୁ ଗଲେ ଜନଜାତି ସଂପ୍ରଦାୟର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଷ୍ଠା ହୋଇଥିବା ଏକଲବ୍ୟ ବିଦ୍ୟାଳୟ ପାଇଁ ଚଳିତବର୍ଷ ୨୦ କୋଟିରୁ ବଢି ୩୮ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଏଥିରୁ ଲାଭମଧ୍ୟ ଓଡିଶା ପାଇବ । ସେହିପରି ନୂଆ ଜାତୀୟ ଶିକ୍ଷା ନୀତି ଜରିଆରେ ପିଲାଙ୍କୁ ପାଠପଢା ସହ ରୋଜଗାରଭିତିକ ଧନ୍ଦାମୂଳକ ଶିକ୍ଷା ପାଇଁ ନୂଆ ମଡେଲ ଆରମ୍ଭ କରାଯାଉଛି । ଏଥିରେ ୧୫ ହଜାର ସ୍କୁଲକୁ ଅଗ୍ରାଧିକାର ଦିଆଯିବ । ଏନଜିଓ ସହଭାଗୀତାରେ ୧୦୦ ସୈନିକ ସ୍କୁଲ ନିର୍ମାଣ କରାଯିବ । ଏହି ସବୁ ଦ୍ୱାରା ଓଡିଶା ଭଳି ରାଜ୍ୟକୁ ସୁଯୋଗ ମିଳିବ ।

ଏହି ବର୍ଷର ଆତ୍ମନିର୍ଭର ବଜେଟ୍‌ ଅର୍ଥନୀତିର ପୁନଃଉଦ୍ଧାର କରି ଏହାର ଅଭିବୃଦ୍ଧି କରିବ ଏବଂ ସମାଜର ସବୁ ଶ୍ରେଣୀ ଯଥା ଚାଷୀ, ଯୁବକ, ମହିଳା, ଶିଶୁ, ବରିଷ୍ଠ, ଶ୍ରମିକଙ୍କୁ ପ୍ରାଥମିକତା ଦେଇ ଦେଶ ପ୍ରଥମର ସଂକଳ୍ପକୁ ସୁଦୃଢ କରିବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କରୋନା ଉପରାନ୍ତେ ବଜେଟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ବିକାଶ ପାଇଁ ପ୍ରାଥମିକତା ଦିଆଯାଇଛି । କରୋନା ଟୀକାକରଣ ପାଇଁ ୩୫ ହଜାର କୋଟି ଟଙ୍କା ଆବଂଟନ କରାଯାଇଛି । ସାମଗ୍ରିକ ବଜେଟ ଦେଶ ଅର୍ଥନୀତିରେ ନୂଆ ସଂଚାର ଆଣିବ । କରଦାତା, ବରିଷ୍ଠ ନାଗରିକ କ୍ଷୁଦ୍ର ବ୍ୟବସାୟୀଙ୍କୁ ଟିକସରେ ରିହାତି ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.