ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ: ନିଷାଦ ପାର୍ଟି ସହ ମେଣ୍ଟ ଘୋଷଣା କଲା ବିଜେପି

Published By : Prameya-News7 Bureau | September 24, 2021 IST

ଲକ୍ଷ୍ନୌ ୨୪।୯: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ-୨୦୨୨କୁ ବିଜେପି ରାଜ୍ୟରେ ନିଷାଦ ପାର୍ଟି ସହ ମେଣ୍ଟ କରି ଲଢିବ। ନିଷାଦ ପାର୍ଟି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ପ୍ରଦେଶ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘୋଷଣା କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିଷାଦ ପାର୍ଟିର ସଞ୍ଜୟ ନିଷାଦ ଓ ବିଜେପି ପ୍ରଦେଶ ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଉଭୟ ରାଜନୈତିକ ଦଳ ମେଣ୍ଟଘୋଷଣା ମଧ୍ୟ କରିଛନ୍ତି।

ତେବେ ନିଷାଦ ପାର୍ଟିକୁ ବିଜେପିରେ ବିଲୟ କରିବେନି ବୋଲି ସଞ୍ଜୟ ନିଷାଦ କହିଛନ୍ତି। ତାଙ୍କ ପାର୍ଟି ନିର୍ବାଚହ୍ନ ଚିହ୍ନରେ ଲଢିବ। କେବଳ  ନିଷାଦ ପାର୍ଟି ନୁହେଁ ରାଜ୍ୟରେ ଆପନା ଦଲ ସହ ମଧ୍ୟ ବିଜେପି ମେଣ୍ଟ କରିଥିବା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଧାନସଭା ନିର୍ବାଚନ ଲାଗି ଧର୍ମେନ୍ଦ୍ର ଗତ ୩ ଦିନ ହେଲା ୟୁପିରେ ଅବସ୍ଥାନ କରୁଥିବା ଓ ବିଧାନସଭା ନିର୍ବାଚନ ଲାଗି ବିଜେପିର ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ସେ କହିଛନ୍ତି।

ବିଜେପି ୟୁପିରେ ଆଗାମୀ ବିଧାନସଭା ନିର୍ବାଚନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନାମରେ ଲଢିବ ବୋଲି ଧର୍ମେନ୍ଦ୍ର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଓ ଯୋଗୀଙ୍କ ଉପରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ଭରସା ଥିବା ସେ କହିଛନ୍ତି। ଉଭୟ ସରକାରଙ୍କ କାମକୁ ନେଇ ଏହି ନିର୍ବାଚନ ଲଢାଯିବ। ତେବେ ମେଣ୍ଟରେ ନିଷାଦ ପାର୍ଟି ଓ ଆପନା ଦଲ ସହ କେତେ ଆସନରେ ଭାଗବଣ୍ଟା ହୋଇଛି ବୋଲି ପ୍ରଶ୍ନ କରାଯିବାରୁ ମେଣ୍ଟର ନେତା ଯୋଗୀ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ ସହଯୋଗୀଙ୍କୁ ସମ୍ମାନ ଜାଣନ୍ତି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.