ରେଳ ଲାଇନ୍ରୁ ମିଳିଲା କର୍ଣ୍ଣାଟକ ବିଧାନପରିଷଦର ଉପ-ସଭାପତିଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
29/12/2020 at 8:48 AM

ବେଙ୍ଗାଲୁରୁ ୨୯।୧୨: ରେଳ ଲାଇନ୍ରୁ ମିଳିଲା କର୍ଣ୍ଣାଟକ ରାଜ୍ୟ ବିଧାନ ପରିଷଦର ଉପ-ସଭାପତିଙ୍କ ମୃତେଦହ । ବିଧାନ ପରିଷଦର ଉପ-ସଭାପତି ଏସ୍ଏଲ୍ ଧର୍ମଗୌଡ଼ାଙ୍କ ମୃତଦେହ ଚିକମଙ୍ଗଲୁରୁ କହୁର ନିକଟରେ ଥିବା ଏକ ରେଳ ଲାଇନ୍ରୁ ମିଳିଛି । ମୃତଦେହ ନିକଟରୁ ଏକ ସୁଇସାଇଡ଼୍ ନୋଟ୍ ମଧ୍ୟ ଜବତ ହୋଇଛି । ସେପଟେ ଏସ୍ଏଲ୍ ଧର୍ମଗୌଡ଼ାଙ୍କ ମୃତ୍ୟୁର ଖବର ପାଇ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ସେକ୍ୟୁଲାର(ଜେଡିଏସ୍)ର ନେତା ଏଚ୍ଡି ଦେବେଗୌଡା ଗଭୀର ଶୋକ ଜାହିର କରିଛନ୍ତି । ଏହାସହିତ ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଦେବେଗୌଡ଼ା କହିଛନ୍ତି ।
It is shocking to learn the news of Deputy Speaker of State Legislative Council and JDS leader SL Dharmegowda's suicide. He was a calm and decent man. This is a loss of the state: HD Deve Gowda, former PM and JDS leader (File pic) https://t.co/3NHL9rJElz pic.twitter.com/BtdaLzjtwF
— ANI (@ANI) December 29, 2020
ଖବର ଅନୁଯାୟୀ, ମଙ୍ଗଳବାର ଦିନ ଭୋର ସମୟରେ ବିଧାନ ପରିଷଦର ଉପ-ସଭାପତି ଏସ୍ଏଲ୍ ଧର୍ମଗୌଡ଼ାଙ୍କ ମୃତଦେହ ରେଳ ଲାଇନ୍ରେ ପଡିଥିବାର ଦେଖିବାକୁ ମିଳିଥିଲା । ଯାହାପରେ ସ୍ଥାନୀୟ ଲୋକ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତେଦହକୁ ଜବତ କରିଛି । ତେବେ ପାରିପାଶ୍ୱିକ ସ୍ଥିତିକୁ ଦେଖି ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତାଙ୍କ ମୃତେଦହ ନିକଟରୁ ଏକ ସୁଇସାଇଡ଼୍ ନୋଟ୍ ମିଳିଛି । ଘଟଣାରେ ନିକଟସ୍ଥ ଥାନା ପୋଲିସ ଛାନ୍ଭିନ୍ ଜାରି ରଖିଛି ।
ସୂଚନାଯୋଗ୍ୟ ଯେ, ଏସ୍ଏଲ୍ ଧର୍ମଗୌଡ଼ା କିଛି ଦିନ ତଳେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ । ଯେତେବେଳେ କି କର୍ଣ୍ଣାଟକ ବିଧାନପରିଷଦରେ କଂଗ୍ରେସ ନେତାମାନେ ଏସ୍ଏଲ୍ ଧର୍ମଗୌଡ଼ାଙ୍କ ସହିତ ଦୁର୍ବବ୍ୟବହାର କରିଥିଲେ । ଏହାସହିତ ତାଙ୍କୁ ଚେୟାରରୁ ଟାଣି ଉଠାଇଦେଇଥିଲେ ।