ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କୁ ହତ୍ୟା କରାଯାଇଛି !
18/10/2019 at 6:26 PM

ଭୁବନେଶ୍ବର ୧୮|୧୦: ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଜୋର ଧରିଲାଣି ରାଜନୀତି । ସ୍ବିତାରାଣୀଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଏଥିରେ ଶାସକ ଦଳ ସଦସ୍ୟଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଉଭୟ ପରିବାର ଲୋକେ ଏବଂ କଂଗ୍ରେସ ଓ ବିଜେପି। ଏପଟେ ଭୁବନେଶ୍ବରରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ବିଜେପି ଏକ ଟିମ ଧର୍ମଶାଳା ଯାଇ ତଥ୍ୟ ଅନୁସନ୍ଧାନ କରିଛି ।
ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳ ଆତ୍ମହତ୍ୟା କରିନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି। ଏମିତି ଅଭିଯୋଗ କରିଛନ୍ତି ସ୍ମିତାଙ୍କ ବାପା ଓ ପରିବାର ଲୋକେ। ସ୍ବିତା ଭତ୍ତା ବାଣ୍ଟୁଥିଲେ ତାଙ୍କ ଦ୍ବାରା ବେଆଇନ୍ କାର୍ଯ୍ୟ କରାଇବା ଲାଗି ପ୍ରବଳ ଚାପ ପକାଯାଉଲା । ସ୍ମିତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ଓ ଏଥିରେ ରାଜନେତାମାନଙ୍କ ହାତ ରହିଛି ବୋଲି ତାଙ୍କ ବାପା ଅଭିଯୋଗ କରିଛନ୍ତି। ଆଉ ସେ ଯାହା ଯାହା ବଖାଣିଛନ୍ତି ସେଥିରେ କିଛି ସାଂଘାତିକ କଥା ଲୁଚିଥିବା ଭଳି ସନ୍ଦେହ କରାଯାଉଛି।
ଯେଉଁଦିନ ଗେଷ୍ଟ ହାଉସରେ ଏହି ଘଟଣା ଘଟିଲା ସେଠାରେ ସରପଞ୍ଚ ସ୍ହାମୀ ଦୁଇଜଣ ସମିତି ସଭ୍ୟ ଜଣେ ସିମେଣ୍ଟ କାରଖାନାର ମ୍ୟାନେଜର ଥିବା ସୂଚନା ମିଳୁଛି। ଯେଉଁଠାରେ ମଦର ଆସର ଜମିଥିଲା । ଷଡ଼ଯନ୍ତ୍ର କରି ସ୍ମିତାରାଣୀଙ୍କୁ ସେଠାକୁ ନିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ସ୍ମିତାଙ୍କ ସ୍ବାମୀ କହିଛନ୍ତି ୭୨ ଘଣ୍ଟା ପରେ ଏହି ଘଟଣା ଉପରୁ ପରଦା ହଟି ନାହିଁ। ତେଣୁ ସେ ପୋଲିସ ଉପରେ ଭରସା କରିପାରୁ ନାହାନ୍ତି। ସରପଞ୍ଚଙ୍କ ସ୍ବାମୀଙ୍କ ନାଁରେ ସେ ଥାନାରେ ଏତଲା ଦେଇଛନ୍ତି।
ଏପଟେ ଏହି ଘଟଣାକୁ ନେଇ ଏବେ ରାଜନୀତି ଜୋର ଧରିଲାଣି। କଂଗ୍ରେସ ଶାସକ ଦଳ ସଦସ୍ୟଙ୍କ ସମ୍ପୃକ୍ତକୁ ନେଇ ଭୁବନେଶ୍ବରରେ ଗର୍ଜିବା ସହିତ ଭିଏଲଡବ୍ଲ୍ୟୁଙ୍କ ଗାଁକୁ ଯାଇ ସରଜମିନ ତଦନ୍ତ କରିଛି । ଏପଟେ ବିଜେପିର ଗୋଟିଏ ଟିମ ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଯାଇ ତାଙ୍କ ପରିବାରକୁ ଭେଟିଛନ୍ତି । କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି ଯେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ତ। ଯାହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି । ଏଥିରେ ସ୍ଥାନୀୟ ବିଧାୟକ, ସରପଞ୍ଚଙ୍କ ସ୍ବାମୀଙ୍କ ସହ ସିମେଣ୍ଟ କରାଖାନା ମ୍ୟାନେଜର ଓ ସମିତି ସଭ୍ୟଙ୍କ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି। ଏପରିକି ଏହି ଘଟଣାର ସବିଆଇ ତଦନ୍ତ ଦାବି କରିଛନ୍ତି। ଏହି ଘଟଣା ନେଇ ବିଜେଡି ସହିତ ଯୋଗା ଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରି ନାହିଁ। ୭୨ ଘଣ୍ଟା ପରେ ବି ସ୍ମିତାରାଣୀ ହତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାଉପରୁ ପରଦା ଊଠାଇପାରିନି ।