ଧନତେରାସରେ ଏହି ସବୁ ଜିନିଷ କିଣିଲେ ହେବ ଶୁଭ : ଜାଣନ୍ତୁ ଏଥର କିଣିବାର ଶୁଭ ସମୟ
25/10/2019 at 10:38 AM

ନୂଆଦିଲ୍ଲୀ ୨୫/୧୦: ଆଜି ଧନତେରାସ ଏବଂ ଅକ୍ଟୋବର ୨୭ତାରିଖରେ ମହାଲକ୍ଷ୍ମୀ ପୂଜା ଅର୍ଥାତ୍ ଦିପାବଳୀ ପାଳନ କରାଯିବ। ଧନତେରାସରେ ଧନ ଦେବତା କୁବେର ଏବଂ ଧନ୍ବନ୍ତରୀଙ୍କ ପୂଜା କରାଯାଇଥାଏ। ଏହି ପର୍ବର ବିଶେଷ ମହତ୍ତ୍ବ ରହିଛି। ଧନତେରାସ ଦିନ ଘରେ ଦୀପ ଜଳାଇବା ଦ୍ବାରା ବ୍ୟକ୍ତିଙ୍କୁ ଯଶ,ଧନ ଏବଂ ବୈଭବ ପ୍ରାପ୍ତି ହୋଇଥାଏ। ଧନତେରାସ ସନ୍ଧ୍ୟାରେ ଦୀପ ଜଳାଯାଇଥାଏ। ସମୁଦ୍ରମନ୍ଥନ ସମୟରେ ଜନ୍ମ ହୋଇଥିବା ଧନ୍ବନ୍ତରୀଙ୍କ ହାତରେ ଅମୃତ କଳଶ ଥିଲା ଏଥିପାଇଁ ଧନତେରାସରେ ବାସନକୁସନ କିଣିବାର ପରମ୍ପରା ରହିଛି। କୁହାଯାଇଥାଏ ଏହି ଦିନ ଯେଉଁ ବ୍ୟକ୍ତମାନେ ନିଜ ଘରକୁ ନୂଆ ଜିନିଷ ଆଣିଥାଆନ୍ତି ଏଥିରେ ଧନ ୧୩ଗୁଣ ବୃଦ୍ଧି ହୋଇଥାଏ। ଧନତେରାସ ଦିନ ଶୁଭ ମୁହୂର୍ତ୍ତରେ ନୂଆ ବସ୍ତୁ କିଣିବା ଉଚିତ୍। ଏହି ଦିନ ବାସନକୁସନ,ସୁନା,ଚାନ୍ଦି ବସ୍ତୁ ବହୁଳ ମାତ୍ରାରେ କିଣାଯାଇଥାଏ।
ଧନତେରାସରୁ ଦୀପାବଳି ଆରମ୍ଭ ହୋଇଥାଏ। ପରମ୍ପରା ଅନୁସାରେ,ସମୁଦ୍ର ମନ୍ଥନ ସମୟରେ କାର୍ତ୍ତିକ ମାସରେ ଅନେକ ଜିନିଷ ଉତ୍ପନ୍ନ ହୋଇଥିଲା ଯେଉଁଥିରେ ଶରତ ପୂର୍ଣ୍ଣିମାରେ ଚନ୍ଦ୍ର,ଦ୍ବାଦଶୀ ତିଥିରେ କାମଧେନୁ ଗାଈ,ତ୍ରୟୋଦଶୀ ତିଥିରେ ଭଗବାନ ଧନ୍ବନ୍ଦରୀ,ଚତୁର୍ଦ୍ଦଶୀ ତିଥିରେ ମାଆ କାଳୀ ଏବଂ ଅମାବାସ୍ୟାରେ ମାଆ ଲକ୍ଷ୍ମୀଙ୍କର ଉତ୍ପତ୍ତି ହୋଇଥିଲେ। ତ୍ରୟୋଦଶୀ ତିଥିରେ ଧନ୍ବନ୍ତରୀ ଅମୃତ କଳସ ସହ ପ୍ରକଟ ହୋଇଥିବାରୁ ଧନତେରାସ ପାଳନ କରାଯାଇଥାଏ।
ଧନତେରାସରେ ଭଗବାନ ଧନ୍ବନ୍ତରୀ,ମାଆ ଲକ୍ଷ୍ମୀ ଏବଂ କୁବେରଙ୍କ ପୂଜା କରାଯାଇଥାଏ। ଧନତେରାସ ଦିନ ସୁନା-ଚାନ୍ଦି କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଧନତେରାସ ଦିନ ଭଗବାନ ଧନ୍ବନ୍ତରୀଙ୍କ ପୂଜା କରିବା ଦ୍ବାରା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ କାରଣ ଭଗବାନ ଧନ୍ବନ୍ତରୀଙ୍କୁ ଆୟୁର୍ବେଦର ଜନକ ବୋଲି କୁହାଯାଏ। ଧନ୍ବନ୍ତରୀ ଲୋକଙ୍କ କଲ୍ୟାଣ ନିମନ୍ତେ ଅମୃତମୟ ଔଷଧର ଆବିଷ୍କାର କରିଥିଲେ।
ଆଜି ଶୁକ୍ରବାରରେ ଧନତେରାସ ହୋଇଥିବା ଯୋଗୁଁ ନକ୍ଷତ୍ରଙ୍କ ରାଜା ସୂର୍ଯ୍ୟଙ୍କ
ପ୍ରଭାବ ଅତ୍ୟନ୍ତ ଶୁଭଙ୍କର ହେବ। ଜ୍ୟୋତିଷ ଅନୁସାରେ ଗୋଚରରେ ଚନ୍ଦ୍ର ସିଂହ ରାଶିରେ ରହିବେ ଯାହା
ଫଳରେ ପର୍ବରେ ବାତାବରଣ ସୁଖକର ରହିବ।
ଆଜି
ଧନତେରାସରେ ସୁନା,ଚାନ୍ଦି,ଗହଣା କିମ୍ବା ଯେକୌଣସି ଧାତୁ କିଣିବା ଶୁଭ ହେବ। ବିଶେଷ ଭାବେ ଚାନ୍ଦି
ଧାତୁ କିଣିବା ଲାଭଦାୟକ ହେବ। ଘରର ମହିଳାମାନେ ନିଜେ ଜିନିଷ କିଣିଲେ ଅତ୍ୟନ୍ତ ଶୁଭ ହେବ। ଚନ୍ଦ୍ରମାର
ପ୍ରଭାବ ଏବଂ ସୂର୍ଯ୍ୟ ,ଶୁକ୍ର ଗ୍ରହଙ୍କ ଏକାଠି ତୁଳା ରାଶିରେ ରହିବା ଭାଗ୍ୟଶାଳୀ ବୋଲି କୁହାଯାଇଛି।
ଘରେ ଚାନ୍ଦିର ଗଣେଶ ଏବଂ ଲକ୍ଷ୍ମୀଙ୍କୁ ସ୍ଥାପନ କରିବା ଅତ୍ୟନ୍ତ ଶୁଭଙ୍କର ହେବ।
ଧନତେରାସରେ କିଣାକିଣି କରିବାର ଶୁଭ ମୁହୂର୍ତ୍ତ ହେଉଛି ସନ୍ଧ୍ୟା ୬ଟା ୪୩ରୁ ୭ଟା ୮।