ଧାନ ବିଲରୁ କ୍ଷତାକ୍ତ ମୃତଦେହ ଉଦ୍ଧାର: ସାଇଣ୍ଟିଫିକ୍‌ ଟିମ୍‌ ଆରମ୍ଭ କଲା ଛାନ୍‌ଭିନ୍‌

Published By : Prameya-News7 Bureau | October 10, 2020 IST

ରାଇରଙ୍ଗପୁର୧୦/୧୦: ଧାନ ବିଲରୁ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଖଣ୍ଡଡେରା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ ଖଣ୍ଡଡେରା ଗ୍ରାମ ନିକଟସ୍ଥ ସ୍କୁଲ ପାଖ ଧାନବିଲରେ ଉକ୍ତ ଗ୍ରାମର ୫୫ ବର୍ଷୀୟ ଦୁଖିରାମ ସୋରେନଙ୍କ କ୍ଷତାକ୍ତ ମୃତ ଦେହ ପଡିଥିଲା। ମୃତକଙ୍କ ପୁଅ ଗାଲୁରାମ ସୋରେନ୍‌ ଧାନ ବିଲରେ ବାପାଙ୍କ ମୃତ ଦେହ ପଡ଼ିଥିବା ଦେଖି ତୁରନ୍ତ ଗ୍ରାମବାସୀ ଓ ପୋଲିସକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିବା ସହିତ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ ଟିମ୍‌କୁ ଡକାଇଥିଲେ। ସେପଟେ ପୁଅ ଗାଲୁରାମ ସୋରେନଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ଦିନ ଦୁଇଟା ପାଖରୁ ବାପା ଦୁଖିରାମ ସୋରେନ୍ ନିଖୋଜ ଥିଲେ। ମୃତକଙ୍କ ମୁଣ୍ଡ, ମୁହଁରେ କ୍ଷତ ଚିହ୍ନ ଥିବା ବେଳେ ନାକରୁ ରକ୍ତ ବାହାରୁଥିଲା। ପିଠି ପଟୁ ମଧ୍ୟ କେହି ଘୋଷାଡି ଥିବା ବେଳେ ପାରିପାର୍ଶ୍ବିକ ସ୍ଥିତିରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ଅନୁମାନ କରୁଛି। ସେପଟେ ବାଦାମପାହାଡ଼ ଥାନା ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.