ଧାମରା ଉପରୁ ଟଳିଲା ବିପଦ, ଏବେ ଚାରି ଆଡେ ଜଳବନ୍ଦୀ

Published By : Prameya-News7 Bureau | May 26, 2021 IST

ଧାମରା ୨୬।୦୫: ଧାମରା ଉପରୁ ବିପଦ ଟଳିଲା। ୟାସ ଧାମରା ଦେହରେ ଘଷି ହୋଇ ଚାଲିଗଲା । ଯିବା ପୂର୍ବରୁ ଧାମରା ବାସୀଙ୍କୁ ଡରେଇ କି ଗଲା । ଯେତିକି କ୍ଷତି ଆଶଙ୍କା କରାଯାଉଥିଲା ସେତିକି କ୍ଷୟକ୍ଷତି ହେଲା ନାହିଁ । ୨୫ ତାରିଖ ରାତିରୁ ଆଜି ଦିନ ୯ ଟା ଯାଏ ସୁ ସୁ ଗର୍ଜନ କରି ୟାସ ସମସ୍ତଙ୍କ ମନରେ ଭୟ ସଂଚାର କରିଥିଲା। ବାତ୍ୟା ପରବର୍ତ୍ତୀ ସମୟରେ ଅନେକ କ୍ଷୟ କ୍ଷତି ହୋଇଥିବା ଦେଖିବାକୁ ମିଳିଛି ।

ଧାମରା ଓ ଏହା ପାଖକୁ ଲାଗି ଥିବା ଅମର ନଗର, ରବୀନ୍ଦ୍ର ନଗର , କାନାଳି, ଚନ୍ଦନୀପାଳ ଗାଁ ଗୁଡିକରେ ବହୁ କ୍ଷୟକ୍ଷତି ହୋଇଛି । ବାତ୍ୟା ମାଡ଼ ସହ୍ୟ କରି ନପାରି ଧାମରା ଓ ଦୋସିଙ୍ଗା ରାସ୍ତା ଉପରେ ଅନେକ ଗଛ , ବିଦ୍ୟୁତ୍ ଖୁଣ୍ଟି ଉପୁଡ଼ି ପଡ଼ିଛି। ଗାଁ ଭିତରେ ବି ଗଛ ଉପୁଡ଼ିଛି। କାହାର ମାଟି ଘର ଭାଙ୍ଗି ଗଲା ତ କାହାର ଆଜବେଷ୍ଟସ ଉଡ଼ିଯାଇଥିଲା ।

ଧାମରାରେ ଥିବା ଏସ ବି ଆଇ ର ଗୋଟିଏ ପର୍ଶନାଲ ଟାୱାର ଉପୁଡ଼ି ଯାଇଛି । କିଛି ଲୋକଙ୍କର ମାଛ ଧରା ଡଙ୍ଗା ଭଙ୍ଗାରୁଜା ହୋଇଛି । ଦୁଇ ଦିନ ଲଗାଦର ପ୍ରବଳ ବର୍ଷା ଯୋଗୁଁ କିଛି ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଘରେ ପାଣି ପଶିଛି। କୌଣସି ମୃତାହତ ଘଟଣା ସାମ୍ନାକୁ ଆସିନାହିଁ । ପୋଲିସ, ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ଭାବେ ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇ ରଖାଯାଇଥିଲା। ଏବେ କେବଳ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଧାମରା ବାସୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.