ଚଳିତ ବର୍ଷ ଜବତ ହୋଇଛି ୨୦କେଜି ବ୍ରାଉନ୍ ସୁଗାର, ଗତ ୮ବର୍ଷରେ ଏହା ସର୍ବାଧିକ : ଡିଜିପି

Published By : Prameya-News7 Bureau | August 27, 2020 IST

କଟକ ୨୭।୮: ବ୍ରାଉନ ସୁଗାର ଜବତରେ ପୁଣି ପୋଲିସକୁ ମିଳିଲା ସଫଳତା । ଗୋଟିଏ ଦିନରେ ୪ କେଜି ୨୫ ଗ୍ରାମ୍ ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ । ଏହି କାରବାରରେ ଜଳେଶ୍ଵର ଥାନା ଅଞ୍ଚଳରୁ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଏ ବର୍ଷ ଏସଟିଏଫ ହାତରେ ଲାଗିଛି ୨୦ କେଜି ୭୩୬ ଗ୍ରାମ ବ୍ରାଉନ ସୁଗାର । ୨୨ ଟି ମାମଲାରେ ୪୩ ଜଣଙ୍କୁ କାବୁ କରିବାରେ ମଧ୍ୟ ଏସଟିଏଫ ସଫଳ ହୋଇଛି । ଗତ ୮ ବର୍ଷ ତୁଳନାରେ ଏହା ଏକ ରେକର୍ଡ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଡିଜିପି ଅଭୟ । ସେହିପରି ଚୋରା ଗଞ୍ଜେଇ ଚାଲାଣରେ ବି ସର୍ବାଧିକ ଜବତ ହୋଇଛି । ଏ ଯାଏଁ ୬୩୦ କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ଡିଜିପି କହିଛନ୍ତି ।

ତଦନ୍ତ ସମୟରେ ଏ ସମସ୍ତ ନିଶା ଦ୍ରବ୍ୟ ଚାଲାଣର ମୁଖ୍ୟ ରାସ୍ତା ପାଲଟିଛି ଭାୟା କଲିକତାରୁ ଓଡିଶା । ଏ ଯାଏଁ କଲିକତା ଲିଙ୍କ୍ ସ୍ପଷ୍ଟ ହୋଇଥିବା ବେଳେ ଆଉ କେଉଁ ସ୍ଥାନ ସହିତ ଓଡ଼ିଶା ଲିଙ୍କ୍ ରହୁଛି ତାହାର ତଦନ୍ତ ଜାରି ରହିଛି । ଏପରିକି ବିଦେଶ ଲିଙ୍କକୁ ମଧ୍ୟ ଖୋଳତାଡ କରାଯାଇଥିବା କହିଛନ୍ତି ଡିଜିପି । ଗଞ୍ଜେଇ ଚାଲାଣ ହେଉଛି ଓଡିଶା ଓ ଆନ୍ଧ୍ର ସୀମା ଅଞ୍ଚଳ । ଏ ସବୁ କାରବାର ରୋକିବା ଦିଗରେ ଓଡ଼ିଶା ପୋଲିସ ଅଭିଯାନ ଜାରି ରଖିଛି । ସମସ୍ତ ପୋଲିସ କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଯେଉଁଠି ପୋଲିସର ସଂପୃକ୍ତି ରହିବ ସେଠି କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଡିଜିପି କହିଛନ୍ତି ।

ବିଗତ ବର୍ଷମାନଙ୍କ ତୁଳନାରେ ଚଳିତ ବର୍ଷ ଉଭୟ ବ୍ରାଉନ ସୁଗାର ଓ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଓଡ଼ିଶା ପୋଲିସ ବେଶ୍ ଭଲ କାମ ରହିଛି । ଆଗକୁ ଏହି ଅଭିଯାନକୁ ଜୋରଦାର କରାଯିବ ବୋଲି ଡିଜିପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.