ଅନ୍ତର୍ଜାତୀୟ ଉଡାଣ ଉପରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ପୁଣି ରୋକ, ଜାରି ରହିବ କାର୍ଗୋ ସେବା
26/11/2020 at 8:42 PM

ନୂଆଦିଲ୍ଲୀ ୨୬।୧୧: କୋଭିଡ-୧୯ ମହାମାରୀ ଲାଗି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ ଜାରି କଟକଣା ପୁଣି ସମ୍ପ୍ରସାରିତ ହୋଇଛି। ବେସାମରିକ ବିମାନ ଚଳାଚଳା ନିର୍ଦ୍ଦେଶାଳୟ (ଡିଜିସିଏ) ଗୁରୁବାର ଏ ନେଇ ଏକ ସର୍କୁଲର ଜାରି କରିଥିବା ବେଳେ ଡିସେମ୍ବର ୩୧ ପର୍ଯ୍ୟନ୍ତ ଦେଶରେ ଅନ୍ତର୍ଜାତୀୟ ଯାତ୍ରୀବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି। ତେବେ ଏହି କଟକଣା ପୂର୍ବ ଭଳି କାର୍ଗୋ ବିମାନ ନିମନ୍ତେ ଲାଗୁ ହେବନାହିଁ ବୋଲି କୁହାଯାଇଛି।
— DGCA (@DGCAIndia) November 26, 2020
ତେବେ କିଛି ସିଲେକ୍ଟେଡ ରୁଟରେ ଅନୁସୂଚିତ ବିମାନ ସେବା ଯୋଗାଇ ଦିଆଯିବ ବୋଲି ସର୍କୁଲାରରେ ଉଲ୍ଲେଖ ରହିଛି। ଭାରତ ଏୟାର ବବଲ ବ୍ୟବସ୍ଥାରେ ବିମାନ ସେବା ଲାଗି କିଛି ଦେଶଙ୍କ ସହ ଦ୍ୱିପାକ୍ଷୀୟ ରାଜିନାମା କରିଛି। ଏହି ସବୁ ମାର୍ଗରେ ଏବେ ଅନ୍ତର୍ଜାତୀୟ ବିମାନ ସେବା ଉପଲବ୍ଧ କରାଯାଉଛି। ଏହି ବ୍ୟବସ୍ଥାରେ ଉଭୟ ଦେଶ ପରସ୍ପର ଏୟାରଲାଇନ୍ସ ମାଧ୍ୟମରେ ଯାତ୍ରୀ ସେବା ଯୋଗାଇ ଦେଉଛନ୍ତି।

ଦେଶରେ କୋଭିଡ-୧୯ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ୨୫ ମାର୍ଚ୍ଚ ୨୦୨୦ରେ ସରକାର ଦେଶରେ ବିମାନ ଚଳାଚଳ ବନ୍ଦ ଘୋଷଣା କରିଥିଲେ। ଏଥିରେ ଘରୋଇ ସମେତ ଅନ୍ତର୍ଜାତୀୟ ବିମାନଚଳାଚଳକୁ ମଧ୍ୟ ବନ୍ଦ ରଖାଯାଇଥିଲା। ଗତ ମେ ମାସରୁ ସରକାର ଅନଲକ ପର୍ଯ୍ୟାୟ ଆରମ୍ଭ କରିଥିବା ବେଳେ ଏବେ ଦେଶ ଭିତରେ ଘରୋଇ ଉଡାଣ କ୍ରମଶଃ ସ୍ୱଭାବିକ ହେଉଥିଲେ ହେଁ ଅନ୍ତର୍ଜାତୀୟ ଉଡାଣ ଆରମ୍ଭ ହୋଇ ନାହିଁ।