ସବୁ ସନ୍ଦେହରେ କ୍ରାଇମବ୍ରାଞ୍ଚର ପୂର୍ଣ୍ଣଛେଦ : ଏସିଏଫ ସୌମ୍ୟ ମୃତ୍ୟୁ ଘଟଣାରେ ଡିଏଫଓଙ୍କୁ କ୍ଲିନଚିଟ୍, ବିଦ୍ୟାଙ୍କ ନାମରେ ଚାର୍ଜସିଟ୍

Published By : Prameya-News7 Bureau | October 08, 2021 IST

ଭୁବନେଶ୍ଵର ୦୮।୧୦: ସବୁ ସନ୍ଦେହ ଏବଂ ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲା କ୍ରାଇମବ୍ରାଞ୍ଚ। ବହୁ  ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରା ମୃତ୍ୟୁ ମାମଲାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ ଚିଟ୍ ମିଳିଥିବା ବେଳେ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ହେଲେ ସୌମ୍ୟଙ୍କ ମୃତ୍ୟୁରେ ଉଭୟଙ୍କ କୌଣସି ସଂପୃକ୍ତି ନଥିବା ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ। ଏପରିକି ଡିଏଫ୍ଓଙ୍କ ସହିତ ବିଦ୍ୟାଙ୍କର କୌଣସି ସମ୍ପର୍କ ନଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ସୌମ୍ୟଙ୍କ ମୃତ୍ୟୁ ଏକ ଆକସ୍ମିକ ଦୁର୍ଘଟଣା ବୋଲି ଏଡିଜି କହିଛନ୍ତି। ମୃତ୍ୟୁକାଳୀନ ଜମାନବନ୍ଦୀ ଏବଂ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଜଣା ପଡିଛି।  ବିଦ୍ୟାଙ୍କ ସହିତ ସୌମ୍ୟଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା।

ଏଡିଜି କହିଛନ୍ତି, କିରୋସିନିରୁ ନିଆଁ ଲାଗି ସୌମ୍ୟରଞ୍ଜନ ପୋଡି ଯାଇଥିବା ଜଣା ପଡିଛି । ତେଣୁ ଦୁର୍ଘଟଣାରେ ଡିଏଫଓ ସଂଗ୍ରାମ ବେହେରା କିମ୍ବା ରୋଷେୟାଙ୍କ କୌଣସି ସଂପ୍ତୃକ୍ତି ନଥିଲା। ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣା ପଡିଛି  ବୋଲି ଏଡିଜି କହିଛନ୍ତି। ତେଣୁ ବିଦ୍ୟାଭାରତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୌମ୍ୟଙ୍କ ଶରୀରରେ ନିଆଁ ଲାଗିଥିବା ବେଳେ ବିଦ୍ୟାଭାରତୀ ନିଆଁ ଲିଭାଇନଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା।

ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓଙ୍କ ସହ ରୋଷେୟାଙ୍କୁ ମଧ୍ୟ କ୍ଲିନ ଚିଟ୍ ମିଳିଛି। ତଦନ୍ତ ଏବଂ ମୃତ୍ୟୁକାଳୀନ ଜମାନବନ୍ଦୀ ଅନୁସାରେ ଡିଏଫଓଙ୍କ କୌଣସି ଭୂମିକା ନାହିଁ। ତାଙ୍କର ସଂପୃକ୍ତିକୁ ନେଇ କୌଣସି ପ୍ରମାଣ ମଧ୍ୟ ମିଳିନି। ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କର ବି ଘଟଣାରେ କିଛି ଭୂମିକା ନଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି।  ସୌମ୍ୟଙ୍କ ମୃତ୍ୟୁ ତାଙ୍କର ସକରାରୀ କ୍ଵାର୍ଟର୍ସରେ ହିଁ ଘଟିଛି।

wp:html /wp:html

ନିଆଁ ଲିଭାଇନଥିଲେ ବିଦ୍ୟା

ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ସଂପର୍କ ନେଇ ଉଠିଥିବା ଅଭିଯୋଗ ଉପରେ ଉଭୟଙ୍କୁ କ୍ଲିନ ଚିଟ୍ ମିଳିଛି। ହେଲେ ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଙ୍କୁ କ୍ଲିନଚିଟ୍ ମିଳିନାହିଁ। ଏଡିଜି କହିଛନ୍ତି  ଘଟଣା ଦିନ ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିଲେ ବି ପତ୍ନୀ ବିଦ୍ୟାଭାରତୀ ଲିଭାଇବାକୁ ଚେଷ୍ଟା କରିନଥିଲେ। ସୌମ୍ୟ ଜଳୁଥିଲେ ବି ବିଦ୍ୟା ନିଆଁ ଲିଭାଇବାକୁ ଆସିନଥିଲେ। ଏପରିକି ନିଆଁ ଲିଭାଇବାକୁ ସେ କାହାକୁ ଡାକିନଥିଲେ। ଏ ନେଇ ବିଦ୍ୟାଭାରତୀଙ୍କ ବିରୋଧରେ ଆଇପିସିର ଦଫା ୨୮୫ ଏବଂ ୩୦୪(ଏ) ଆଧାରରେ ମାମଲା ରୁଜୁ କରାଯାଇଛି।  ସୌମ୍ୟଙ୍କ ବିଦ୍ୟାଭାରତୀଙ୍କ ବୈବାହିକ ସଂପର୍କ ଆଦୌ ଭଲନଥିଲା। ତଦନ୍ତ ଏବଂ ବିଦ୍ୟାଙ୍କ ପଲିଗ୍ରାଫ ଟେଷ୍ଟ  ବେଳେ ଏହା ଜଣା ପଡିଥିବା ଏଡିଜି କହିଛନ୍ତି। ଦଫାରେ ଚାର୍ଜସିଟ୍ ଦାଖଲ କରାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି। ଏଥିରେ ଦୁଇ ବର୍ଷ ଦଣ୍ଡର ପ୍ରାବଧାନ ରହିଛି। ଆଇନ ଅନୁସାରେ ତାଙ୍କୁ ୪୧ ସିଆର୍‌ପିସି ଅନୁସାରେ ନୋଟିସ୍ ଦିଆଯାଇଛି ବୋଲି ସାମ୍ବାଦିକ ପ୍ରଶ୍ନର ଉତ୍ତର ଦେଇ ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ ଭାର ନେବା ପରେ ବିଦ୍ୟାଭାରତୀଙ୍କୁ ଘଣ୍ଟା  ଘଣ୍ଟା ଧରି ଜେରା କରିଛି। ଏପରିକି ଡିଏଫଓଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି। ବିଦ୍ୟା, ଡିଏଫଓ ଏବଂ ରୋଷେୟାଙ୍କ ପଲିଗ୍ରାଫ ଟେଷ୍ଟ ମଧ୍ୟ କରିଥିଲା କ୍ରାଇମବ୍ରାଞ୍ଚ।

ଜୁଲାଇ ୧୨ ତାରିଖରେ ସରକାରୀ କ୍ବାର୍ଟରରେ ନିଆଁରେ ପୋଡି ହୋଇଯାଇଥିଲେ ACF ସୌମ୍ୟରଞ୍ଜନ । ୯୫ ପ୍ରତିଶତ ପୋଡି ଯାଇଥିବା ଏସିଏଫଙ୍କର ତା ପରଦିନ କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ହତ୍ୟା ଅଭିଯୋଗ ଆଣି ପରିବାର ଲୋକେ ପତ୍ନୀ ବିଦ୍ୟାଭାରତୀ, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟାଙ୍କ ବିରୋଧରେ ପାରଳାଖେମୁଣ୍ଡି ଥାନାରେ ଏତଲା ଦେଇଥିଲେ । ଘଟଣାରେ ଗୁରାଣ୍ଡି ଥାନା ଓଆଇସିଙ୍କ ଭୂମିକା ମଧ୍ୟ ଥିଲା ସନ୍ଦେହଜନକ । ସୌମ୍ୟଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସକୁ ଓଆଇସି ମମତା କାହିଁକି ବାଟରେ ଅଟକାଇଥିଲେ ତାହା ଏବେବି ଅସ୍ପଷ୍ଟ ।

ତଦନ୍ତ ବେଳେ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଏକାଧିକ ଚିଠି ସାମ୍ନାକୁ ଆସିଥିଲା । ଅନେକ ବ୍ୟକ୍ତିବିଶେଷଙ୍କ ନାଁ ମଧ୍ୟ ଯୋଡି ହୋଇଥିଲା । ବିଭିନ୍ନ ଜିଲ୍ଲାକୁ ଯାଇ ତଦନ୍ତ କରିଥିଲା ପୋଲିସ । ଡିଏଫଓ, ଓଆଇସି, ରୋଷେୟାଙ୍କୁ ଜେରା ପରେ କ୍ଲିନ୍ ଚିଟ୍ ଅଭିଯୋଗ ଚର୍ଚ୍ଚା ହୋଇଥିଲା । ସେପଟେ ସନ୍ଦେହ ଘେରରେ ଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଘରକୁ ଯାଇ ଜେରା ପରେ ଜେରା କରିଥିଲା ପୋଲିସ । କିନ୍ତୁ ସୌମ୍ୟଙ୍କ ମୃତ୍ୟୁର ମାସେ ପରେ ବି ରହସ୍ୟ ଉପରୁ ପରଦା ହଟିନଥିଲା. । ଫଳରେ ପୋଲିସର ତଦନ୍ତ ଦିଗ ଉପରେ ଆଙ୍ଗୁଳି ମଧ୍ୟ ଉଠିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.