ଗତକାଲି ପୁରୀରେ ଅଭାବନୀୟ ସ୍ଥିତି ପରେ ଆଜି ଶ୍ରୀଜିଉଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

Published By : Prameya-News7 Bureau | October 04, 2018 IST

ପୁରୀ ୪|୧୦:  ଗତକାଲି ଶ୍ରୀମନ୍ଦିର ଏବଂ ବଡଦାଣ୍ଡରେ ଅଭାବନୀୟ ସ୍ଥିତି ପରେ ଆଜି ଭକ୍ତ ଏବଂ ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି । ବାଇଶିପାହାଚରୁ ବାରିକେଡ୍ ଉଠିଯାଇଛି । ପରମ୍ପରା ଅନୁଯାୟୀ ଲୋକେ ବାଇଶିପାହାଚ ଉପରେ ପିଣ୍ଡଦାନ କରୁଛନ୍ତି । ଆଜି ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ବଡଦାଣ୍ଡରୁ ୧୪୪ ଧାରା ମଧ୍ୟ ଉଠିଯାଇଛି । ସ୍ଥାନୀୟଲୋକଙ୍କ ତୀବ୍ର ବିରୋଧ ଏବଂ ହିଂସାକାଣ୍ଡ ପରେ ଧାଡି ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ କରିଛି ପ୍ରଶାସନ । ସ୍ଥାନୀୟ ଅଧିବାସୀ  ୪ଦ୍ବାର ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ । ଏବେ ଶ୍ରୀମନ୍ଦିର ୪ଦ୍ବାରରେ  ସୁରକ୍ଷା ବଳ ନିୟୋଜିତ ଅଛନ୍ତି । ଶ୍ରୀଜିଉଙ୍କ ନୀତିକାନ୍ତି ଯଥାରୀତି ଚାଲିଛି । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟଙ୍କ  ପ୍ରସ୍ତାବକୁ ପରୀକ୍ଷାମୂଳକ ଭାବରେ ଲାଗୁ କରିଥିଲା ପ୍ରଶାସନ । ତେବେ ଆରମ୍ଭରୁ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଏହାକୁ ନେଇ ଦୀର୍ଘ ସମୟ ଧରି ଭଙ୍ଗାରୁଜା ଏବଂ ପୋଡାଜଳା ଚାଲିଥିଲା । ଏହି ଘଟଣା ଉପରେ ଆମିକସ୍ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍ ଜିଲ୍ଲା ପ୍ରଶାସନକୁ ରିପୋର୍ଟ ମାଗିଛନ୍ତି । ବାଇଶିପାହାଚ ବାରିକେଡ୍ ଭାଙ୍ଗିଥିବା ଲୋକଙ୍କ ସଂପର୍କରେ ବିସ୍ତୃତ ବିବରଣୀ ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦେଇଛନ୍ତି । ଭଙ୍ଗାରୁଜା ଘଟଣାର ଭିଡିଓ ଚିତ୍ର ମାଗିଛନ୍ତି ଆମିକସ୍ କ୍ୟୁରୀ । ଏପଟେ ପୁରା ଘଟଣାର ସିସିଟିଭି ଫୁଟେଜ୍ ଦେଖି ତଦନ୍ତ ଆରମ୍ଭ କରିଛି ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.