ଜନ୍ମ ବେଦୀରେ ଶ୍ରୀଜିଉ : ଶ୍ରୀଜିଉଙ୍କ ସାହାଣମେଳା ଦର୍ଶନ

Published By : Prameya-News7 Bureau | July 06, 2019 IST

ପୁରୀ ୬|୭: ଘୋଷଯାତ୍ରାରେ ବାହାରିଥିବା ମହାପ୍ରଭୁ ଆଡ଼ପମଣ୍ଡପ ବିଜେ କରିଛନ୍ତି । ଆଜି ସକାଳୁ ସାହାଣମେଳା ଦର୍ଶନ ଆରମ୍ଭ ହୋଇଛି । ସେହିପରି  ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ଆଡପ ଅବଢା ମିଳିବ । ତେବେ ଶ୍ରୀଜିଉଙ୍କ ଏହି ପହଣ୍ଡି ବିଜେ ଗତ ବର୍ଷ ଭଳି ଏବର୍ଷ ମଧ୍ୟ ରେକର୍ଡ଼ ସୃଷ୍ଟି କରିଛି । 

ଗତକାଲି ସନ୍ଧ୍ୟା ଧୂପ ପରେ ପ୍ରାୟ ୬ ଟା ୨୫ ମିନିଟରେ ଆରମ୍ଭ ହୋଇଥିବା ପହଣ୍ଡି ରାତି ୮ ଟା ୩୦ରେ ଶେଷ ହୋଇଥିଲା । ୩ ରଥର ଚାରମାଳ ବନ୍ଧା ଯିବା ପରେ ପ୍ରଥମେ ଚଳନ୍ତି ପ୍ରତିମା ରାମକୃଷ୍ଣ ଓ ମଦନମୋହନ ବିଜେ କରିବା ପରେ ପ୍ରଭୁ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ କରାଯାଇଥିଲା । ଏହାପରେ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଟାହିଆ ବନ୍ଧାଯାଇ ଆରମ୍ଭ ହୋଇଥିଲା ଭବ୍ୟ ପହଣ୍ଡି । ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ ।

ଝିପ୍ ଝିପ୍ ବର୍ଷା ସତ୍ତ୍ବେ ଶରଧାବାଲିରେ ହଜାର ହଜାର ଶ୍ରଦ୍ଧାଳୁ ଏକାଠି ହୋଇ ମହାପ୍ରଭୁଙ୍କର ଦିବ୍ୟ ପହଣ୍ଡି ବିଜେ ଦର୍ଶନ କରିଥିଲେ । ସୋମବାର ହେରା ପଞ୍ଚମୀ, ୯ରେ ରଥ ଦକ୍ଷିଣମୋଡ ଏବଂ ୧୧ରେ ସନ୍ଧ୍ୟା ଦର୍ଶନ ନୀତି ଅନୁଷ୍ଠିତ ହେବ । ୧୨ରେ ବାହୁଡା ଯାତ୍ରା । ୧୩ରେ ରଥ ଉପରେ ଦାରୁବ୍ରହ୍ମଙ୍କୁ ସୁନାବେଶ କରାଯିବ । ୧୪ରେ ଅଧରପଣା ଭୋଗ ଓ ୧୫ରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.