ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିପାରିବେ ଭକ୍ତ, ଅଧିକ ଭିଡ ହେଲେ ଜାରି ହୋଇପାରେ କଟକଣା

Published By : Prameya-News7 Bureau | March 11, 2021 IST

ଭୁବନେଶ୍ବର ୧୧।୩: ଲିଙ୍ଗରାଜ ମନ୍ଦିର ଭିତରେ ଦୀପ ଜାଳିପାରିବେ ଭକ୍ତ । କରୋନା କଟକଣାରେ ଭକ୍ତଙ୍କୁ ଅନୁମତି ମିଳିଛି । ଅଧିକ ଭିଡ ହେଲେ କଟକଣା ଜାରି ହୋଇପାରେ ବୋଲି ବିଏମସି ଅତିରିକ୍ତ କମିଶନର ଅବନୀ କାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି । ସାମାଜିକ ଦୂରତା ନ ମାନିଲେ ଅନୁମତି ବାତିଲ ହୋଇପାରେ । ମନ୍ଦିର ପରିଦର୍ଶନ ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର । ବର୍ତ୍ତମାନ ଶାନ୍ତି ଶୃଙ୍ଖଳାର ସହ ଶ୍ରଦ୍ଧାଳୁ ଦର୍ଶନ କରୁଛନ୍ତି ।

ମହାଶିବରାତ୍ରି ଉପଲକ୍ଷେ ହେବାକୁ ଥିବା ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ କୋଭିଡ୍‌ ଗାଇଡ୍‌ଲାଇନ୍‌ ଜାରି ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ଶ୍ରୀଲିଙ୍ଗରାଜଙ୍କ ପୀଠରେ ନୀତିକାନ୍ତି ଅନୁଷ୍ଠିତ ହେଉଛି । ସମସ୍ତ ନୀତିକାନ୍ତି ପରେ ଦିନ ୩ଟା ୪୫ମିନିଟରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ଦର୍ଶନ ମିଳିବ । ପୁନଶ୍ଚ ଛାମୁ ପରିଷ୍କାର ନୀତି ସମ୍ପାଦିତ ହୋଇ ଠାକୁର ବୀରକିଶୋର ବେଶରେ ବିରାଜିତ ହେବେ । ଦ୍ୱିପ୍ରହର ଧୂପ ନୀତି ସମ୍ପନ୍ନ ହେବା ପରେ ଠାକୁର ଠାକୁରାଣୀଙ୍କ ପହୁଡ଼ (ଶୟନ) ନୀତି ସମ୍ପାଦିତ ହେବ । ସନ୍ଧ୍ୟା ୭ଟା ୧୦ମିନିଟରେ ଠାକୁରଙ୍କ ଟେରାଫିଟା କରାଯାଇ ସନ୍ଧ୍ୟା ଆଳତୀ ହେବ । ରାତି ୮ଟା ୧୦ମିନିଟ ସୁଦ୍ଧା ଠାକୁରଙ୍କ ଯାତ୍ରା ନୀତି ସମ୍ପାଦିତ ହୋଇ ଚଳନ୍ତି ପ୍ରତିମାଙ୍କ ବେଢ଼ା ପରିକ୍ରମଣ ନୀତି ବିଧିମତେ ସମ୍ପାଦିତ ହେବ ।

ସନ୍ଧ୍ୟା ଧୂପ ପରେ ବିନ୍ଦୁସାଗରରୁ ୧୦୮ କଳସୀ ତୀର୍ଥଜଳ ଅଣାଯାଇ ଠାକୁରଙ୍କ ନିକଟରେ ଲାଗି ହେବ । ଏହାପରେ ରାତି ୧୦ଟା ବେଳେ ବିଧିମତେ ସମର୍ଥା ସେବାୟତ ମହାଦୀପ ଧରି ମନ୍ଦିର ଚୂଡ଼ାରେ ସ୍ଥାପନ କରିବା ନିଷ୍ପତ୍ତି ହୋଇଛି । ତେବେ ମହାଦୀପ ପରେ ହେବାକୁ ଥିବା ସାହାଣ ମେଲା ଦର୍ଶନକୁ ଚଳିତ ବର୍ଷ କୋଭିଡ୍‌ କଟକଣା ଦୃଷ୍ଟିରୁ ବନ୍ଦ କରାଯାଇଛି । ନିରାପତ୍ତା ଦୃଷ୍ଟିରୁ ମହାଦୀପ ଦର୍ଶନ ପରେ ମନ୍ଦିର ବେଢ଼ା ଖାଲି କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ବିଧି ମୁତାବକ ରାତିରେ ହେବାକୁ ଥିବା ଚାରିପ୍ରହର ପୂଜା ଓ ହରିହର ଭେଟ ନୀତି ଯଥାରୀତି ସମ୍ପନ୍ନ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.