Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||

ନୂଆବର୍ଷ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର ; ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ

1/01/2019 at 10:12 AM

ପୁରୀ ୦୧|୦୧: ନୂଆବର୍ଷ ପାଇଁ ଶ୍ରୀକ୍ଷେତ୍ର ହୋଇ ଉଠିଛି ଚଳଚଞ୍ଚଳ। ନୂଆବର୍ଷର ନୂତନ ସୂର୍ଯ୍ୟୋଦୟ ଦେଖିବା ପାଇଁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିବା ବେଳେ ଶ୍ରୀମନ୍ଦିରରେ ମଧ୍ୟ ଲାଗିଛି ପ୍ରବଳ ଗହଳି। ନୂତନ ବର୍ଷରେ ପ୍ରଭୁ ଜଗତରନାଥ ଜଗନ୍ନାଥଙ୍କ ଆଶିଷ ଭିକ୍ଷା କରିବା ପାଇଁ ଭକ୍ତ ଏବଂ ପର୍ଯ୍ୟଟକ ସମସ୍ତେ ବ୍ୟାକୁଳ। ପୁରୀ ସହରରେ ଲକ୍ଷାଧିକ ପର୍ଯ୍ୟଟକ ତଥା ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାକୁ ମଧ୍ୟ ଖୁବ୍ କଡ଼ାକଡ଼ି ବ୍ୟବସ୍ଥା କରାଯାଇଛି।

ନୂଆବର୍ଷର ପ୍ରଥମ ସକାଳକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଓ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି ପୁରୀରେ। ବେଳଭୂମିରେ ନୂତନ ବର୍ଷ ୨୦୧୯ର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ପର୍ଯ୍ୟଟକମାନେ ଏକାଠି ହୋଇଛନ୍ତି। ଏଠାରେ ସୂର୍ଯ୍ୟୋଦୟ ଦେଖିବା ସହିତ ସମୁଦ୍ର ସ୍ନାନର ମଜା ମଧ୍ୟ ଉଠାଇଛନ୍ତି ଏହି ପର୍ଯ୍ୟଟକ ଗଣ। ନୂଆବର୍ଷ ୨୦୧୯କୁ ବଡ଼ି ଭୋରୁ ସ୍ବାଗତ କରିବା ପାଇଁ ସମସ୍ତେ ଏକତ୍ରିତ ହେବା ସହିତ ପୁରୀ ବେଳାଭୂମିରେ ସୃଷ୍ଟି ହୋଇଥିଲା ଏକ ନୂତନ ଉତ୍ସାହ ଓ ଆଗ୍ରହ।

ସେହିପରି ଅନେକ ଭକ୍ତ ଓ ପର୍ଯ୍ୟଟକ ବର୍ଷର ଶୁଭାରମ୍ଭ କରିଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ। ବର୍ଷର ପ୍ରଥମ ଦିନରେ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ସେଥିପାଇଁ ଶ୍ରୀମନ୍ଦିରରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ସିଂହଦ୍ବାର ସମ୍ମୁଖରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଛାମୁଣ୍ଡିଆ ବିଶିଷ୍ଟ ସୁନ୍ଦର ବ୍ୟାରିକେଡ଼ର ବ୍ୟବସ୍ଥା ସହ ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଥିଲା । ତେବେ ଭକ୍ତମାନେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଭିତରକାଠ ନିକଟରୁ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରି ଅନ୍ୟ ତିନିଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି । ଆଜିର ଦିନରେ ଶ୍ରୀଜିଉଙ୍କ ଦର୍ଶନ କରି ଭକ୍ତମାନେ ନିଜକୁ ଭାଗ୍ୟବାନ୍ ମନେ କରିବା ସହିତ ବର୍ଷସାରା ଭଲରେ କଟିବ ବୋଲି ଆଶା ରଖିଛନ୍ତି।   

ଶ୍ରୀମନ୍ଦିର ଓ ବେଳାଭୂମିକୁ ବାଦ୍ ଦେଲେ ସାତପଡ଼ା, କୋଣାର୍କ, ରାମଚଣ୍ଡି, ବାଲିହରଚଣ୍ଡି ସମେତ ପୁରୀ ଆଖପାଖରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଛି। ବର୍ଷକଯାକର ରାଗ, ଅଭିମାନକୁ ଭୁଲି ସମସ୍ତେ ସ୍ନେହ, ମମତା ଓ ଆନନ୍ଦର ଡ଼ୋରିରେ ବାନ୍ଧି ହୋଇଯାଇଛନ୍ତି।

   Related Posts