ଆଜି ମହାଶିବରାତ୍ରୀ : ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ରାତି ୧୦ଟାରେ ଉଠିବ ମହାଦୀପ

Published By : Prameya-News7 Bureau | March 04, 2019 IST

ଭୁବନେଶ୍ବର ୪|୩ : ମହାଶିବରାତ୍ରି ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଛି । ୩ଟି ପର୍ଯ୍ୟାୟରେ ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ନିର୍ଘଣ୍ଟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୋର୍ ୩ଟା ୩୦ରୁ ସକାଳ ସାଢ଼େ ୧୦ଟା, ଦ୍ବିତୀୟ ପର୍ଯ୍ୟାୟରେ ଅପରାହ୍ନ ୩ଟା ୪୫ରୁ ୪ଟା ୪୫ ଓ ଶେଷ ପର୍ଯ୍ୟାୟରେ ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହେବ । ରାତି ତିନିଟାରୁ ପହଡ ଖୋଲାଯାଇ ୩ ଟା ୩୦ମିନିଟ  ପର୍ଯ୍ୟନ୍ତ  ମଙ୍ଗଳ ଆଳତି ଓ ଅବକାଶ ନୀତି ଅନୁଷ୍ଠିତ ହୋଇଛି । ଏହାପରେ ଶ୍ରଦ୍ଧାଳୁମାନେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରୁଛନ୍ତି । ସାଢେ ୧୦ଟାରେ ରୋଷ ହୋମ, ଛାମୁ ପରିଷ୍କାର ଓ ମହାପ୍ରଭୁଙ୍କୁ ବେଶ କରାଯିବ ।  ଦିନ ୧୨ ଟା ୧୫ ରୁ ଦୁଇଟା ମଧ୍ୟରେ ସୂର୍ଯ୍ୟ ପୂଜା, ଦ୍ବାର ପାଳ ପୂଜା, ଠାକୁରାଣୀ ବହ୍ଲଭ ନିତି  ସମାପନ ହେବ ।

ଦିନ ୨ଟାରେ ଶ୍ରୀଭୁବନେଶ୍ବରଙ୍କ ସକାଳ ଧୂପ ହେବାକୁ ଥିବା ବେଳେ ୨ଟା ୪୫ରୁ ୩ଟା ୪୫ ଭିତରେ ଭୋଗ ମଣ୍ଡପ ହେବ। ସନ୍ଧ୍ୟା ୭ଟାରୁ ୭ଟା ୧୦ ମିନିଟ ପର୍ଯ୍ୟନ୍ତ ପହୁଡ଼ ହେବାକୁ ଥିବା ବେଳେ ୭ଟା ୩୦ରେ ଟେରା ଫିଟା ନୀତି ରହିଛି। ଶ୍ରୀଜିଉଙ୍କ ସନ୍ଧ୍ୟା ଧୂପ ଓ ତୀର୍ଥ ଜଳ ଆନୟନ ରାତି ୮ଟା ୫୫ରୁ ୧୦ଟା ଭିତରେ ହେବାକୁ ଥିବା ବେଳେ ୧୦ଟା ରାତିରେ ମହାଦୀପ ଉଠିବା କାର୍ଯ୍ୟକ୍ରମ ରହିଛି। ଏହା ପରେ ରାତି ୧୧ ଟା ପର୍ଯ୍ୟନ୍ତ  ଭକ୍ତମାନେ ସାହାଣମେଳା ଦର୍ଶନ କରିପାରିବେ । ରାତି ୧୧ଟା ୩୦ରୁ ୩ଟା ୩୦ ପର୍ଯ୍ୟନ୍ତ ଚାରି ପହର ପୂଜା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ମଙ୍ଗଳବାର ଭୋର ସାଢେ ୩ଟାରୁ ସାଢ଼େ ୪ଟା ଭିତରେ ହରିହର ଭେଟ ନୀତି ରହିଛି। ୪ଟା ୩୦ରେ ବଡ଼ସିଂହାର ବେଶ ହେବା ସହ ୫ଟା ୧୫ ମିନିଟରେ ଶ୍ରୀଜିଉଙ୍କ ପହୁଡ଼ ନୀତି ହୋଇଛି।

ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି । ଭକ୍ତମାନଙ୍କ ସୁରକ୍ଷା ପାଇଁ ମନ୍ଦିର ବାହାରେ ଅଧିକ ସିସିଟିଭି ଲଗାଯିବା ସହିତ ମନ୍ଦିର ଚାରିପଟେ ବ୍ୟାରିକେଟର ବ୍ୟସ୍ଥା କରାଯାଇଛି । ଏହା ସହ କମିଶନରେଟ ପୋଲିସ ତରଫରୁ  ସ୍ବତନ୍ତ୍ର ପାର୍କିଂର ବ୍ୟବସ୍ଥା କରାଯାଇଛି । ଶିଶୁଭବନ ଓଭରବ୍ରୀଜ ଦେଇ ଲିଙ୍ଗରାଜ ମନ୍ଦିର ଆସୁଥିବା ଭକ୍ତ ସେମାନଙ୍କ ଯାନବାହାନ ତିନି ମୁଣ୍ଡିଆ ପାଖ ରଥରୋଡରେ  ପାର୍କିଂ କରିବେ । ସେହିଭଳି ବିନ୍ଦୁସାଗର ଅନନ୍ତ ବାସୁଦେବଙ୍କ ମନ୍ଦିର ରାସ୍ତାରେ ଦୁଇଚକିଆ ଓ ଚାରିଚକିଆ ଯାନ ରହିବ । ସେପଟେ ଗ୍ୟାରେଜ ଛକରୁ ଆସୁଥିବା ଭକ୍ତ ସେମାନଙ୍କର ଯାନବାହାନ ଗୁଡିକୁ ନିର୍ଧାରିତ ଗାଡି ପାର୍କିଂରେ ରଖିବାକୁ ପୋଲିସ ପ୍ରସାସନ ପକ୍ଷରୁ ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.