ଡେବ୍ୟୁ ମ୍ୟାଚ୍‌ରେ ଶତକ ଅର୍ଜନ କଲେ ଡେଓ୍ଵନ କନଓ୍ଵେ, ଭାଙ୍ଗିଲେ ଗାଙ୍ଗୁଲିଙ୍କ ୨୫ ବର୍ଷର ପୁରୁଣା ରେକର୍ଡ

Published By : Prameya-News7 Bureau | June 02, 2021 IST

ଲର୍ଡ୍ସ ୦୨।୦୬: ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟସମ୍ୟାନ ଡେଓ୍ଵନ କନଓ୍ଵେ ବୁଧବାର ଇତିହାସ ରଚିଛନ୍ତି। ନିଜର ପଦାର୍ପଣ ମ୍ୟାଚ୍‌ରେ ସେ ଦମଦାର ଶତକ ଅର୍ଜନ କରିଛନ୍ତି। ଲର୍ଡ୍ସରେ ଏମିତି କମାଲ କରିବାରେ କନଓ୍ଵେ ଦୁନିଆର ଷଷ୍ଠ ବ୍ୟାଟସମ୍ୟାନ ହୋଇଛନ୍ତି। ଏଥିସହ ପଦାର୍ପଣ ମ୍ୟାଚ୍‌ରେ ଶତକ ଅର୍ଜନ କରିବାରେ କନଓ୍ଵେ ନ୍ୟୁଜିଲାଣ୍ଡର ୧୨ତମ ଖେଳାଳି। କନଓ୍ଵେ ୧୬୩ ବଲ୍‌ରେ ୧୧ଟି ଚୌକା ଜରିଆରେ ଶତକ ଅର୍ଜନ କରିଛନ୍ତି। ଏଥିସହ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, କନଓ୍ଵେ ଲର୍ଡ୍ସର ଐତିହାସିକ ପଡିଆରେ ନିଜର ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିବାରେ ତୃତୀୟ ବିଦେଶୀ ବ୍ୟାଟସମ୍ୟାନର ଉପଲବ୍ଧି ହାସଲ କରିଛନ୍ତି। ଏହା ପୂର୍ବରୁ ହ୍ୟାରି ଗ୍ରାହମ(୧୮୯୩) ଓ ସୌରଭ ଗାଙ୍ଗୁଲି(୧୯୯୬) ଏହି ସଫଳତା ହାସଲ କରିଥିଲେ। ଗାଙ୍ଗୁଲି ଲର୍ଡ୍ସରେ ହିଁ ଟେଷ୍ଟରେ ପଦାର୍ପଣ କରିଥିଲେ। ନିଜ ପଦାର୍ପଣ ମ୍ୟାଚ୍‌ରେ ସେ ୧୩୧ ରନର ଦମଦାର ଶତକୀୟ ଇନିଂସ ଖେଳିଥିଲେ। ହେଲେ ଲର୍ଡ୍ସରେ ପଦାର୍ପଣ ମ୍ୟାଚ୍‌ରେ ୧୩୬ ରନ କରି ଅପରାଜିତ ରହି ଗାଙ୍ଗୁଲିଙ୍କ ୨୫ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି।

ଏହା ପୂର୍ବରୁ ଡେଓ୍ଵନ କନଓ୍ଵେ ନ୍ୟୁଜିଲାଣ୍ଡ ତରଫରୁ ୨୦୨୦ ନଭେମ୍ବରରେ ସୀମିତ ଓଭର କ୍ରିକେଟ୍‌ ଖେଳି ନିଜର ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ୨୯ ବର୍ଷୀୟ ଏହି ବାମହାତୀ ବ୍ୟାଟସମ୍ୟାନ ନ୍ୟୁଜିଲାଣ୍ଡ ପକ୍ଷରୁ ତିନୋଟି ଦିନିକିଆ ଓ ୧୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଦିନିକିଆରେ ୭୫ ହାରରେ ୨୨୫ ରନ ଏବଂ ଟି-୨୦ରେ ୫୯.୧୦ ହାରରେ ୪୭୩ ରନ କରିଛନ୍ତି।

ସୂଚନାଯୋଗ୍ୟ. ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଆଜି ଐତିହାସିକ ଲର୍ଡ୍ସ ମଇଦାନରେ ଆରମ୍ଭ ହୋଇଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ନ୍ୟୁଜିଲାଣ୍ଡ ୩ ଓ୍ଵିକେଟ୍ ହରାଇ ୨୪୬ ରନ କରିଛି। କନଓ୍ଵେ ୧୩୬ ଏବଂ ହେନରି ନିକୋଲାସ ୪୬ ରନରେ ଅପରାଜିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.