IPLଫାଇନାଲ ଦେଖିବାକୁ ଡାକିନେଇ MCA ଛାତ୍ରକୁ ମନ୍ଦିର ବାରଣ୍ଡାରେ ପକାଇ ଦେଲେ ବଳି, ମହିଳା ତାନ୍ତ୍ରିକ ସମେତ ୩ ଗିରଫ

Published By : Prameya-News7 Bureau | October 17, 2021 IST

ଅରରିଆ ୧୭।୧୦:  ଦଶହରାରେ ନରବଳୀ ! ବିହାର ମେମ ଅରରିଆ ଜିଲ୍ଲା ଲୈଲୋଖର ପଞ୍ଚାୟତ ମଧୁବନୀ ଦୁର୍ଗାମନ୍ଦିରରେ ଜଣେ ୨୫ ବର୍ଷ ବୟଷ୍କ ଏମସିଏ ଛାତ୍ରକୁ ଦଶହରା ରାତିରେ ବଳି ପକାଇ ଦିଆଯାଇଛି। ନରବଳି ଘଟଣା ପ୍ରଘଟ ହେବା ପରେ ବିହାରରେ ଚାଞ୍ଚଲ୍ୟ ଖେଳି ଯାଇଛି। ବଳି ବେଳେ ଯୁବକ ମନ୍ଦିର ବାରଣ୍ଡାରେ ଶୋଇଥିଲା। ମୃତକକୁ ଜିତେନ୍ଦ୍ର କୁମାର ସିଂହ ଓରଫ ପ୍ରେମଚନ୍ଦ ପିତା ଭକ୍ତି ସିଂହ ତଥା କୁର୍ସାକାଣ୍ଟା ବ୍ଲକର ପୂର୍ବତନ ମୁଖିଆ ଧନଜିତ ସିଂହଙ୍କ ଭଣଜା ଭାବେ ଚିହ୍ନଟ କରାଯାଇଛି।

ଜିତେନ୍ଦ୍ର ଦିଲ୍ଲୀରେ ରହି ଏମସିଏ ପଢୁଥିବା ବେଳେ ଦଶହରା ଲାଗି ଲୈଲୋଖର ପଞ୍ଚାୟତ ମଧୁବନୀ ଆସିଥିଲା। ବିଜୟାଦଶମୀ ଦିନ ମୂର୍ତ୍ତି ବିସର୍ଜନ ପରେ ମନ୍ଦିରର ପୂଜକ ଜଗଦ୍ଦୀଶ ସିଂହଙ୍କ ପୁଅ ରାମ ଏକବାଲ ଜିତେନ୍ଦ୍ରକୁ ଆଇପିଏଲ ଫାଇନାଲ ମ୍ୟାଚ୍‌ ଦେଖିବା ଲାଗି ଡାକିନେଇଥିଲା। ମନ୍ଦିର ବାରଣ୍ଡାରେ ଶୋଇ ଖେଳ ଦେଖୁଥିବା ବେଳେ ଜିତେନ୍ଦ୍ରକୁ ନିଦ ଲାଗିଯାଇଥିବା ବେଳେ ଧାରୁଆ ହତିଆରରେ ତାକୁ ହତ୍ୟା କରିଦିଆଯାଇଛି। ଏହି କାଣ୍ଡ ଜଗଦ୍ଦୀଶ ସିଂହ କରିଥିବା ବେଳେ ପରବର୍ତ୍ତି ଦାୟିତ୍ୱ ପୁଅ ଉପରେ ପକାଇ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।

ରାମ ଏକବାଲ ମୁଖିଆଙ୍କ ଘରକୁ ଯାଇ ଜିତେନ୍ଦ୍ରର ହତ୍ୟା ହୋଇଥିବାର ପ୍ରଥମେ ସୂଚନା ଦେଇଥିଲା। ମନ୍ଦିରଟି ମୁଖିଆଙ୍କର ହୋଇଥିବା ବେଳେ ଜିତେନ୍ଦ୍ର ପୂଜାପାଠରେ ଋଚି ରଖେ। ଏଣୁ ଦଶହରା ବେଳେ ଗାଁକୁ ଆସି ପୂଜା ପାଠରେ ସାମିଲ ହେଉଥିଲା। ଜିତେନ୍ଦ୍ରକୁ କେହି ହତ୍ୟା କରିଦେଇଥିବାର ପ୍ରଥମେ ରାମ ଏକବାଲ କହୁଥିଲା। ତେବେ ଗାଁ ଲୋକେ ଘଟଣାକୁ ନେଇ ଏକଜୁଟ ହୋଇଯିବାରୁ ସତ୍ୟତା ଜଣାପଡିଛି। ହତ୍ୟାକାଣ୍ଡ ସୂଚନା ପାଇ କୂଆଡ଼ି ପୋଲିସ ପ୍ରଭାରୀ ଅବଧେଶ କୁମାର ଘଟଣାସ୍ଥଳରେ ପହଞ୍ଚି ରାମ ଏକବାଲକୁ ଗିରଫ କରିଥିଲେ।

ଗ୍ରାମୀଣଙ୍କ ସହଯୋଗରେ ପୋଲିସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜଗଦ୍ଦୀଶକୁ ନେପାଳ ସୀମା ନିକଟରୁ କାବୁ କରିଥିବା ବେଳେ ଏଥିରେ ସାମିଲ ମହିଳା ତାନ୍ତ୍ରିକ ରୂପା ଦେବୀ(୪୫)କୁ ମଧ୍ୟ ଗିରଫ କରାଯାଇଛି। ପୋଲିସ ପଚରା ଉଚରାରେ ହତ୍ୟାକାରୀ ଜଗଦ୍ଦୀଶ ସିଂହ ଅଭିଯୋଗକୁ ସ୍ୱୀକାର କରିଥିବା ଅରରିଆ ଏସଡିପିଓ ପୁଷ୍କର କୁମାର କହିଛନ୍ତି। ତେବେ ନରବଳି ଉଦ୍ଦେଶ୍ୟରେ ନୁହେଁ ଜମି ପାଇଁ ଥିବା ପୂର୍ବ ବିବାଦରୁ ସେ ଯୁବକକୁ ହତ୍ୟା କରିଥିବାର ଏସଡିପିଓ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.