'ବିହାର ନିର୍ବାଚନରେ କଙ୍ଗନା ରଣାୱତଙ୍କ ଭଳି ଷ୍ଟାର ପ୍ରଚାରକଙ୍କ ଆବଶ୍ୟକତା ନାହିଁ, ଆମର ସୁପରଷ୍ଟାର ପ୍ରଧାନମନ୍ତ୍ରୀ ମୋଦି'

Published By : Prameya-News7 Bureau | September 14, 2020 IST

ମୁମ୍ବାଇ ୧୪/୦୯ : ବିହାରର ବିଜେପି ନିର୍ବାଚନ ପ୍ରଭାରୀ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ସୋମବାର ଦିନ କଟିହାରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପରେ କହିଥିଲେ ଯେ ବିହାର ନିର୍ବାଚନ ପାଇଁ କଙ୍ଗନା ରଣାୱତଙ୍କ ଭଳି ଷ୍ଟାର ପ୍ରଚାରକଙ୍କ ଆବଶ୍ୟକତା ନାହିଁ । ପ୍ରଧାନମନ୍ତ୍ରୀ ମୋଦି ନିଜେ ହିଁ ବିଜେପିର ସୁପରଷ୍ଟାର ବୋଲି ସେ କହିଛନ୍ତି । ଏକ ପ୍ରଶ୍ନର ଜବାବରେ ସେ କହିଥିଲେ ଯେ, ବିହାର ନିର୍ବାଚନରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଭଳି କୌଣସି ପ୍ରସଙ୍ଗ ନିର୍ବାଚନ ପ୍ରସଙ୍ଗ ନୁହେଁ । ଏନଡିଏରେ କୌଣସି ପ୍ରକାର ମତଭେଦ ନାହିଁ ବୋଲି ସେ କହିଛନ୍ତି ।

ଫଡଣବିସ କାଟିହାର ସମୃଦ୍ଧି ଭବନରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରିବା ପରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରିଥିଲେ । ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଥିଲେ ଯେ, ବିରୋଧୀଙ୍କ ୧୫ ବର୍ଷ ସହ ଆଜିର ୧୫ ବର୍ଷର ତୁଳନା ଜନତା ନିଜେ କରିପାରିବେ । ଦଳ ଏଥର ବିହାରରେ ସମ୍ମାନିତ ଆସନ ସହ ବିହାର ବିଧାନସଭା ନିର୍ବାଚନ ଲଢ଼ିବ । କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନା ଯୋଗୁଁ ସାରା ଦେଶ ଲାଭାନ୍ବିତ ହେଉଛି । କରୋନା ସମୟରେ ମଧ୍ୟ କେନ୍ଦ୍ର ସରକାର ନିଜ ଖଜଣା ସାଧାରଣ ଲୋକଙ୍କ ପାଇଁ ଖୋଲି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଲୋକଙ୍କୁ ବିଶ୍ୱାସ ଅଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.