ନବାବ ମଲିକଙ୍କ ଅଣ୍ଡରୱାର୍ଲଡ ଲିଙ୍କ: ମୁମ୍ବାଇ ବିସ୍ଫୋରଣ ଦୋଷୀ ଓ ଦାଉଦ ଇବ୍ରାହିମର ସହଯୋଗୀଠୁ ଶସ୍ତାରେ କିଣିଥିଲେ ଜମି- ଫଡଣବିସ

Published By : Prameya-News7 Bureau | November 09, 2021 IST

ମୁମ୍ବାଇ ୦୯/୧୧ : ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ମନ୍ତ୍ରୀ ନବାବ ମଲିକଙ୍କ ଉପରେ ଅଣ୍ଡରୱାର୍ଲଡ ସହ ସମ୍ବନ୍ଧ ଥିବା ଆରୋପ ଲଗାଇଛନ୍ତି। ମଙ୍ଗଳବାର ଦିନ ଫଡଣବିସ ଏକ ସାମ୍ବାଦିକ ସମ୍ମିଳନୀରେ ମୁମ୍ବାଇ ସିରିଏଲ ବ୍ଲାଷ୍ଟର ଅଭିଯୁକ୍ତଙ୍କ ସମ୍ପର୍କରେ କହିଛନ୍ତି। ସେ ଆରୋପ ଲଗାଇଛନ୍ତି ଯେ ମଲିକ ବିସ୍ଫୋରଣ କରିଥିବା ଅଭିଯୁକ୍ତଙ୍କ ଠାରୁ ଜମି କିଣିଥିଲେ। କିଛି ଦିନ ପୂର୍ବରୁ ସେ କହିଥିଲେ ଯେ ସେ ରାଷ୍ଟ୍ରବାଦୀ କଂଗ୍ରେସର ନେତାଙ୍କ ସହ ଜଡିତ ଅନେକ ପ୍ରମାଣ ଖୁଲାସା କରିବେ।

ଫଡଣବିସ ମଙ୍ଗଳବାର ଦିନ ଶାହବ ଅଲି ଖାନ, ମହମ୍ମଦ ସଲିମ ପଟେଲ ସମେତ ଅନେକ ନାମ ସାମ୍ନାକୁ ଆଣିଛନ୍ତି। ସେ କହିଛନ୍ତି ଯେ ନବାବ ମଲିକଙ୍କ ଅଣ୍ଡରୱାର୍ଲଡ ଲୋକଙ୍କ ସହ ସମ୍ପର୍କ ଅଛି ଯେଉଁମାନେ ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ମନ୍ତ୍ରୀ ଦୋଷୀଙ୍କ ଠାରୁ ଶସ୍ତାରେ ଜମି କିଣିଛନ୍ତି। ସେ ପ୍ରଶ୍ନ କରିଛନ୍ତି, ଏହି ଡିଲ ଟାଡା ଅନୁସାରେ ଜମି ଜବତ ହେବାରୁ ବଞ୍ଚାଇବାକୁ କରାଯାଇଥିଲା କି ? ଫଡଣବିସ କହିଛନ୍ତି ଏମିତି ୪ଟି ଜମି ଅଛି ଯାହାର ଲିଙ୍କ ଅଣ୍ଡରୱାର୍ଲଡ ସହ ଅଛି।

ଫଡଣବିସ ଜମି କିଣାର କାଗଜପତ୍ର ମଧ୍ୟ ପେଶ କରିଥିଲେ। ସେ କହିଛନ୍ତି ୩ ଏକର ଜମି ୩୦ ଲକ୍ଷ ଟଙ୍କାରେ କିଣିଥିଲେ ଓ ୨୦ ଲକ୍ଷ ଟଙ୍କା ଦେଇଥିଲେ। ତାଙ୍କ ଟଙ୍କା ସଲିମ ପଟେଲ ଆକାଉଣ୍ଟକୁ ଯାଇଥିଲା। ପଟେଲ ଦାଉଦ ଇବ୍ରାହିମର ଭଉଣୀ ହସିନା ପାରକରର ମୁଖ୍ୟ ଥିଲା। ଦାଉଦ ଫେରାର ହୋଇଯିବ ପରେ ପାରକର ପାଖରେ ସମ୍ପତ୍ତି ଜମା ହେଉଥିଲା ଏବଂ ସେ ସବୁ କାମ ବୁଝୁଥିଲା।

ଦେବେନ୍ଦ୍ର ଫଡଣବିସ ସୂଚନା ଦେଇଛନ୍ତି ଯେ ଅନେକ ଏକର ଜମି କିଣା ଯାଇଥିଲା ଯାହାକୁ ଗୋଆ ଵାଲା କମ୍ପାଉଣ୍ଡ କୁହାଯାଏ। ଏହି ଜାଗା କୁର୍ଲାର ଏଲବିଏସ ରୋଡ଼ରେ ରହିଛି ଯାହାର ସଉଦା ସାଲିଣ୍ଡସ ନାମକ କମ୍ପାନୀ ସହ ହୋଇଥିଲା। ଏହି ଡିଲରେ ପାୱାର ଅଫ ଆଟର୍ଣ୍ଣି ସଲିମ ପଟେଲ ଥିଲା। ଏହି କମ୍ପାନୀ ଆଗରୁ ନବାବ ମଲିକ ମଧ୍ୟ ସାମିଲ ଥିଲେ ଓ ଏବେ ବି ତାଙ୍କ ପରିବାର ସଦସ୍ୟ ଏଥିରେ ଅଛନ୍ତି ବୋଲି ଫଡଣବିସ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.