ମହାରାଷ୍ଟ୍ରରେ ତୁଟୁନି ବିଜେପି ଶିବସେନା ବିବାଦ, ଜାଣନ୍ତୁ କ’ଣ କହିଛନ୍ତି ଦେବେନ୍ଦ୍ର ଫଡନବିଶ
29/10/2019 at 3:02 PM

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି-ଶିବସେନା କ୍ଷମତା କନ୍ଦଳ ଏବେ ପଦାରେ ପଡି ହାଟରେ ଗଡଗଡେଇଲାଣି। ମେଣ୍ଟ ସହଯୋଗୀ ଶିବସେନା ୫୦-୫୦ ଜିଦରେ ଅଡି ରହିଥିବା ବେଳେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡବନିଶ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଓ ତାହା ବି ପୁରା ୫ ବର୍ଷ ଲାଗି ବୋଲି କହିଛନ୍ତି। ଶିବସେନା ପକ୍ଷରୁ ସରକାର ସରକାର ଗଠନ ପାଇଁ ମଙ୍ଗଳବାର ଦୁଇ ଦଳ ମଧ୍ୟରେ ବସିବାକୁ ଥିବା ବୈଠକକୁ ବାତିଲ କରିଦିଆଯିବା ପରେ ଫଡନବିଶ ଏହି ଘୋଷଣା କରିଛନ୍ତି ଶିବସେନା ସହ କେବେ ବି ୫୦-୫୦ ଫର୍ମୁଲାରେ ଆଲୋଚନା ହୋଇ ନଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଦେଇଥିବା ବେଳେ ବିଜେପି ସାଂସଦ ସଞ୍ଜୟ କାକଡେ ଶିବସେନାରେ ଫାଟର ସୂଚନା ଦେଇଛନ୍ତି।

ଶିବସେନାର ପାଖାପାଖି ୪୫ ଜଣ ବିଧାୟକ ବିଜେପି ସହ ମିସି ସରକାର ଗଠନ କରିବାକୁ ଇଛୁକ ଥିବା କାକଡେ କହିଛନ୍ତି। ଇଛୁକ ବିଧାୟକମାନେ ଫୋନ କରି ନିଜର ଇଚ୍ଛା ପ୍ରକାଶ କରୁଥିବା କାକଡେ କହିଛନ୍ତି। ଏଣୁ ବର୍ତ୍ତମାନ ସମୟରେ ଶିବସେନା ଓ ବିଜେପି ହାତ ମିଳାଇନେବା ସବୁଠାରୁ ଉତ୍ତମ ହେବ ବୋଲି କହିଛନ୍ତି କାକଡେ ।

ସେପଟେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାବତ ସରକାର ଗଠନରେ ବିଳମ୍ବ ହେଉଥିବାରୁ ବିଜେପିକୁ ଆକ୍ଷେପ କରିଛନ୍ତି। କହିଛନ୍ତି ମହାରାଷ୍ଟ୍ରରେ କେହି ଦୁଷ୍ୟନ୍ତ ନାହାନ୍ତି ଯାହାଙ୍କ ପିତା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ବନ୍ଦୀ ଅଛନ୍ତି। ସଞ୍ଜୟ ରାବତ ହରିୟାଣା ଉପମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି (ଜଜପା)ନେତା ଦୁଷ୍ୟନ୍ତ ଚୌଟାଲାଙ୍କୁ ଇସାରା କରି ଏହା କହିଛନ୍ତି।

ତେବେ ସରକାର ଗଠନ ଲାଗି ଦୁଇ ଦଳଙ୍କ ବୈଠକ ମଙ୍ଗଳବାର ଅପରାହ୍ନ ୪ଟାରେ ବସିବାର ଥିଲା ।ବୈଠକରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡ଼େକର ଓ ଶିବସେନାର ବରିଷ୍ଠ ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ଶିବସେନା ପକ୍ଷରୁ କୁହାଯାଇଛି ଯେ ଲୋକସଭା ନିର୍ବାଚନ ପୂର୍ବରୁ ୫୦-୫୦ ଫର୍ମୁଲା ସ୍ଥିର ହୋଇଥିଲା ।ଏନେଇ ଶିବସେନା ମୁଖ୍ୟ ଉଦ୍ଧବ ଥାକରେ, ବିଜେପି ଅଧ୍ୟକ୍ଷ ଅମିତ ଶାହା ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ମଧ୍ୟରେ ଆଲୋଚନା ପରେ ୫୦-୫୦ ଫର୍ମୁଲା ସ୍ଥିର ହୋଇଥିଲା । କିନ୍ତୁ ଏବେ ବିଜେପି ସେହି କଥାକୁ ମାନୁନାହିଁ ।ତେବେ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।